ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ସ୍ଵତନ୍ତ୍ର ଅଧିବେଶନ
  • ଅଧିବେଶନରେ କେନ୍ଦ୍ର ସରକାର ଆଗତ କରିବେ ୪ଟି ବିଲ୍
  • ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ

ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ୨୨ ତାରିଖ ଯାଏଁ ଭାରତୀୟ ସଂସଦର ସ୍ଵତନ୍ତ୍ର ଅଧିବେଶନ ହେବାକୁ ଯାଉଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ୪ଟି ବିଲ୍ ଆଗତ କରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବରଣୀ ଜାରି ହୋଇଛି। ଏହାପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା ଦେଇଛନ୍ତି।

ସଂସଦର ଏହି ସ୍ଵତନ୍ତ୍ର ଅଧିବେଶନରେ ଭାରତୀୟ ପୋଷ୍ଟ ଅଫିସ ବିଲ୍‌-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ଆଗତ ହେବ। ସେହିପରି ଆଡଭୋକେଟ୍ସ ଆମେଣ୍ଡମେଣ୍ଟ ବିଲ୍‌-୨୦୨୩ ଏବଂ ପ୍ରେସ୍‌ ଆଣ୍ଡ ରେଜିଷ୍ଟ୍ରେସନ ଅଫ ପିରିଓଡିକାଲ ବିଲ୍-୨୦୨୩ ଆଗତ ହେବାର ଯୋଜନା ରହିଛି।

ଅଧିବେଶନର ପ୍ରଥମ ଦିନରେ ଭାରତୀୟ ସଂସଦର ୭୫ ବର୍ଷର ଯାତ୍ରା, ଉପଲବ୍ଧି ଓ ସ୍ମୃତିକୁ ନେଇ ଚର୍ଚ୍ଚା କରାଯିବ। ସ୍ଵତନ୍ତ୍ର ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବନାହିଁ। ଏହା ସହିତ କୌଣସି ପ୍ରାଇଭେଟ୍‌ ବିଲ୍‌ ମଧ୍ୟ ଆଗତ ହୋଇପାରିବ ନାହିଁ।

ଅନ୍ୟପଟେ ରବିବାର ହେବାକୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀ ଦଳର ପ୍ରତିନିଧିମାନେ ଯୋଗ ଦେବେ। ସ୍ଵତନ୍ତ୍ର ଅଧିବେଶନରେ ଆଗତ ହେବାକୁଥିବା ବିଲ୍‌ ଓ ଅନ୍ୟାନ୍ୟ ବିଷୟରେ ଏଠାରେ ଆଲୋଚନା କରାଯିବ।

Tags: #ParliamentofIndia #SpecialSession #CentralGovt #NewDelhi

Comment