ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆ କପ୍ କ୍ରିକେଟ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆ କପରେ ଖେଳିବ। ଏନେଇ ସୋମବାର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସୂଚନା ଦେଇଛନ୍ତି।

ଏସିଆ କପ୍ ପାଇଁ ଦଳରେ ରୋହିତ ଶର୍ମାଙ୍କ ବ୍ୟତୀତ ଶୁଭମନ ଗିଲ୍, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ହାର୍ଦିକ ପାଣ୍ଡ୍ୟା ପୂର୍ବ ଭଳି ଦଳର ଉପଅଧିନାୟକ ରହିବେ।

ସେହିପରି ଆହତ ହୋଇ ଭଲ ହୋଇଥିବା କେଏଲ ରାହୁଲ ଓ ଶ୍ରେୟସ ଅୟର ଟିମକୁ ଫେରିଛନ୍ତି। ଏହାସହ ଅଲରାଉଣ୍ଡର ଭାବେ ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏହାସହ କୁଲଦୀପ ଯାଦବ ସ୍ପିନର ଭାବେ ଦଳରେ ରହିଛନ୍ତି।

ଅନ୍ୟପଟେ ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜଙ୍କୁ ଏସିଆ କପ୍ ପାଇଁ ଦଳରେ ଚୟନ କରାଯାଇଛି। ହେଲେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ।

ଚଳିତବର୍ଷ ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଯାଏଁ ଏସିଆ କପ କ୍ରିକେଟ ଅନୁଷ୍ଠିତ ହେବ। ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ। ଟିମ୍ ଇଣ୍ଡିଆ ୨୦୨୨ ଏସିଆ କପରେ ଗ୍ରୁପ ପର୍ଯ୍ୟାୟ (ସୁପର ୪)ରୁ ବିଦାୟ ନେଇଥିଲା। ଏଥର ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଭଲ ରହିବ ବୋଲି ଆଶା କରାଯାଉଛି।

Tags: #AsiaCupCricket2023 #PlayerAnnouncement #RohitSharma #Cricket #BCCI #India

LEAVE A REPLY

Please enter your comment!
Please enter your name here