ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରଯାନ-୩। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରି ଇତିହାସ ରଚିଛି ଭାରତ। ଏହି ସଫଳତା ସମସ୍ତ ଭାରତବାସୀଙ୍କୁ ଖୁସିରେ ଉତଫୁଲ୍ଲିତ କରିଛି। ଏହି ସଫଳତା ପାଇଁ ଇସ୍ରୋକୁ ଏବେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
୪୦ ଦିନର ଯାତ୍ରା ପରେ ଇସ୍ରୋ ଚନ୍ଦ୍ରଯାନ-୩କୁ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବାରେ ସଫଳ ହୋଇଛି। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରରେ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଏହି ଅବତରଣକୁ ସବୁ ଲୋକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ।
ଏହି ଐତିହାସିକ ଘଟଣାର ଭାରତ ସହ ବିଶ୍ଵର ଅନେକ ଲୋକ ସାକ୍ଷୀ ରଖିଛନ୍ତି। ଚନ୍ଦ୍ରଯାନ-୩ର ଅବତରଣ ବେଳେ ଇସ୍ରୋର ୟୁଟ୍ୟୁବ ଚ୍ୟାନେଲରେ ପ୍ରାୟ ୪୦ ଲକ୍ଷ ଲୋକେ ଏହାର ସିଧାପ୍ରସାରଣ ଦେଖିଥିଲେ।
ଚନ୍ଦ୍ରଯାନ-୩ର ସଫ୍ଟଲ୍ୟାଣ୍ଡିଂ ସହ ଚନ୍ଦ୍ରରେ ଅବତରଣ କରିଥିବା ବିଶ୍ଵର ଚତୁର୍ଥ ଦେଶ ବନିଛି ଭାରତ। ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ଏହି ସଫଳତା ହାସଲ କରିଥିଲେ।
ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ ତାରିଖରେ ଆାନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ପୃଥିବୀ ଚାରିପଟେ ୫ଟି ଅଣ୍ଡାକାର କକ୍ଷ (ଇଲିପ୍ଟିକାଲ ଅର୍ବିଟ)ରେ ଘୂରିଥିଲା। ଅଗଷ୍ଟ ୧ ତାରିଖରେ ଏହା ପୃଥିବୀର କକ୍ଷ ଛାଡ଼ି ଚନ୍ଦ୍ର ଆଡ଼କୁ ଯାତ୍ରା କରିଥିଲା।
Tags: #Chandrayaan-3 #MoonMission #SoftLanding #SpaceExploration #MoonExperiment #ISRO


















