ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଇତିହାସ ରଚିଲା ଭାରତ। ଚନ୍ଦ୍ରଯାନର ଏହି ସଫଳତା ପାଇଁ ସମଗ୍ର ବିଶ୍ଵରୁ ଭାରତକୁ ଛୁଟିଲା ଶୁଭେଚ୍ଛାର ସୁଅ। ସାରା ଦେଶକୁ ଗୌରାବାନ୍ଵିତ କଲା ଇସ୍ରୋର ଏହି ଅଭିଯାନ। ଚନ୍ଦ୍ରଯାନ-୩ର ସଫଳତା ପଛରେ ରହିଛି ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ।

ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ରେ ତିଆରି ହୋଇଛି ଚନ୍ଦ୍ରଯାନ-୩ରେ ବ୍ୟବହୃତ ଅନେକ ଯନ୍ତ୍ରାଂଶ। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର, ରୋଭର ଏବଂ ମହାକାଶଯାନ ଲାଗି ଇସ୍ରୋ ପକ୍ଷରୁ ଡିଜାଇନ୍ ଚୂଡ଼ାନ୍ତ ହେବା ପରେ ଯନ୍ତ୍ରାଂଶ ପ୍ରସ୍ତୁତି ପାଇଁ ସିଟିଟିସିକୁ ମିଳିଥିଲା ଦାୟିତ୍ଵ। ଏଥିପାଇଁ ଦିନରାତି ଏକ କରିଦେଇଥିଲେ ସିଟିଟିସିର ୧୫୦ଜଣ ଟେକ୍ନିସିଆନ। ଦୁଇବର୍ଷରୁ ଅଧିକ ସମୟ ଧରି ପ୍ରାୟ ୭୫ ହଜାର ଜଟିଳ ତଥା ସୂକ୍ଷ୍ମ ଯନ୍ତ୍ରାଂଶ ତିଆରି କରିଛି ସିଟିଟିସି।

ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟରରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। କାରଣ ଏହି ଅଭିଯାନର ସଫଳତା ସହ ଯୋଡ଼ି ହୋଇଥିଲା ସିଟିଟିସିରେ ତିଆରି ହୋଇଥିବା ବହୁ ଗୁରୁତ୍ଵପୂର୍ଣ୍ଣ ଯନ୍ତ୍ରାଂଶ।

“ଆରଜିପିଡି କମ୍ପୋନେଣ୍ଟ, ଆଇଏଲଜି କମ୍ପୋନେଣ୍ଟ, ବିଭିନ୍ନ ପ୍ରକାର ଗ୍ଲାସ୍ କମ୍ପୋନେଣ୍ଟ, ୨୩ ପ୍ରକାରର ଭାଲଭ ସହ ଉତକ୍ଷେପଣ ସମୟରେ ବ୍ୟବହୃତ ଅନେକ ଯନ୍ତ୍ରାଂଶ ସିଟିଟିସିରେ ତିଆରି ହୋଇଛି। ଏହି ସବୁ ଜଟିଳ ତଥା ସୂକ୍ଷ୍ମ ଯନ୍ତ୍ରାଂଶ ତିଆରି ପାଇଁ ଲାଗିଥିଲା ଦୁଇବର୍ଷରୁ ଅଧିକ ସମୟ। ପଏଣ୍ଟ ୫ ମାଇକ୍ରୋନରୁ ୩ ମାଇକ୍ରୋନର ଯନ୍ତ୍ରାଂଶ ତିଆରି କରିବା ଅଧିକ କଷ୍ଟକର ଥିଲା”, କହିଛନ୍ତି ସିଟିଟିସି ଜେନେରାଲ ମ୍ୟାନେଜର ଏଲ୍ ରାଜଶେଖର।

ସିଟିଟିସିର ୪୫ ଜଣିଆ ସ୍ଵତନ୍ତ୍ର ଟିମ୍ ଇସ୍ରୋରେ ରହି ଚନ୍ଦ୍ରଯାନ-୩ର ପ୍ରସ୍ତୁତିରେ ସହଯୋଗ କରିଥିଲେ। ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଗଗନଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସିଟିଟିସି। ଇସ୍ରୋ ପକ୍ଷରୁ ଗଗନଯାନର ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ ଦାୟିତ୍ଵ ମଧ୍ୟ ସିଟିଟିସିକୁ ଦିଆଯାଇଛି।

ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Chandrayaan3 #MoonMission #CTTCBhubaneswar #Odisha

LEAVE A REPLY

Please enter your comment!
Please enter your name here