ଓଡ଼ିଶାଲାଇଭ୍ ବ୍ୟୁରୋ

- ମୁକ୍ତା ଯୋଜନାରେ ନିର୍ମିତ ପ୍ରକଳ୍ପର ରକ୍ଷଣାବେକ୍ଷଣ କାର୍ଯ୍ୟ
- ନିୟୋଜିତ ହେବେ ମିଶନ ଶକ୍ତି ଓ ବସ୍ତି ବିକାଶ ସଂଗଠନର ସଦସ୍ୟ
ଓଡ଼ିଶାର ସହରାଞ୍ଚଳରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ନିର୍ମିତ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ପୌରାସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ଅନେକ ମୁକ୍ତା ଯୋଜନାର ପ୍ରକଳ୍ପର ସୁରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ମୁକ୍ତା ଯୋଜନାର ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଗୁରୁବାର ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଶାରଦା ପ୍ରସାଦ ପଣ୍ଡା ସବୁ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ଚିଠି ଲେଖିଛନ୍ତି।
“ଓଡ଼ିଶାର ୧୧୫ଟି ପୌରାଞ୍ଚଳରେ ଥିବା ୨,୦୫୫ଟି ୱାର୍ଡରେ ମୁକ୍ତା ଯୋଜନା ଅନ୍ତର୍ଗତ ୫ ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି। ଏଥିରେ ଛୋଟ ପାର୍କ, ଶିଶୁ ଉଦ୍ୟାନ, ପାଦଚଲା ରାସ୍ତା ଏବଂ ବହୁମୁଖି କମ୍ୟୁନିଟି ହଲ୍ ନିର୍ମାଣ କରାଯାଇଛି। ଏହାସହ ଯୋଜନା ଅନ୍ତର୍ଗତ ୩୭ ହଜାରରୁ ଅଧିକ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହୋଇଛି। ଏହାର ରକ୍ଷଣାବେକ୍ଷଣ ପାଇଁ ବିଭାଗ ଯୋଜନା କରିଛି”, କହିଛନ୍ତି ଶାରଦା ପ୍ରସାଦ ପଣ୍ଡା।
ପ୍ରକଳ୍ପର ରକ୍ଷଣାବେକ୍ଷଣ କାମରେ ମିଶନ ଶକ୍ତି ଗୋଷ୍ଠୀ, ବସ୍ତି ବିକାଶ ସଂଗଠନର ସଦସ୍ୟଙ୍କୁ ନିୟୋଜିତ କରିବାକୁ ପୌରସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏହା ସହ ଜନସ୍ୱାସ୍ଥ୍ୟ ବିଭାଗ, ୱାଟକୋ ଏବଂ ପୌରସଂସ୍ଥାରେ ଗଠିତ ମୁକ୍ତା ବିଶେଷଜ୍ଞ ଦଳ ଏହି କାମର ତଦାରଖ କରିବେ।
ସେହିପରି ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିରୁ ମିଳିଥିବା ଟଙ୍କା ଖର୍ଚ୍ଚ ହେବ। ଏହି କାମରେ ନିୟୋଜିତ ହୋଇଥିବା ଲୋକଙ୍କୁ ଠିକ ସମୟରେ ସେମାନଙ୍କ ପାରିଶ୍ରମିକ ଦେବାକୁ ପୌରସଂସ୍ଥାଗୁଡ଼ିକୁ ନିର୍ଦେଶ ରହିଛି।
ଓଡ଼ିଶାର ସହରାଞ୍ଚଳରେ ଥିବା ଗରିବ ଲୋକଙ୍କୁ ରୋଜଗାର କ୍ଷମ କରିବା ଲକ୍ଷ୍ୟରେ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ମୁକ୍ତା ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ୧୧୫ଟି ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପାଇଁ ୩ଟି ପର୍ଯ୍ୟାୟରେ ୮୩୩.୨୧ କୋଟି ମଞ୍ଜୁର କରାଯାଇଥିଲା।
Tags: #MuktaYojana #PublicWelfareProjects #Municipalities #H&UDOdisha










