ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ପୌରାସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ୧୧୧ଟି ପୌରାଞ୍ଚଳରେ ଥିବା ଏଭଳି ୩୭ ହଜାରରୁ ଅଧିକ ପ୍ରକଳ୍ପର ସୁରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ କାମରେ ମିଶନ ଶକ୍ତି ଗୋଷ୍ଠୀ, ବସ୍ତି ବିକାଶ ସଂଗଠନର ସଦସ୍ୟଙ୍କୁ ନିୟୋଜିତ କରିବାକୁ ପୌରସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏହା ସହ ଜନସ୍ୱାସ୍ଥ୍ୟ ବିଭାଗ ଓ ୱାଟକୋର ବିଶେଷଜ୍ଞ ଦଳ ଏହି କାମର ତଦାରଖ କରିବେ।

ସେହିପରି ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିରୁ ଆବଶ୍ୟକୀୟ ଟଙ୍କା ପୌରସଂସ୍ଥାକୁ ଯୋଗାଇ ଦିଆଯିବ। ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ ପାଇଁ ଏକ ଫର୍ମାଟ ପ୍ରସ୍ତୁତ କରାଯାଇ ସେହିଥିରେ ତଥ୍ୟ ସଂଗ୍ରହ କରାଯିବ। ଏହି କାମରେ ନିୟୋଜିତ ହୋଇଥିବା ଲୋକଙ୍କୁ ୭ ଦିନ ମଧ୍ୟରେ ସେମାନଙ୍କ ପାରିଶ୍ରମିକ ଦେବାକୁ ନିର୍ଦେଶ ଦିଆଯାଇଛି।

୨୦୨୧ ଓ ୨୦୨୨ ମସିହାରେ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁକ୍ତା ଯୋଜନା ଅନ୍ତର୍ଗତ ୩୭ ହଜାର ୨୪୨ଟି ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଭୂତଳ ଜଳର ସରଂକ୍ଷଣ ପାଇଁ ଏହି ପ୍ରକଳ୍ପଗୁଡ଼ିକ ବେଶ୍‍ ଉପଯୋଗୀ ହେଉଥିବାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଏବେ ରାଜ୍ୟ ସରକାର ଯୋଜନା କରିଛନ୍ତି।

Tags: #MuktaYojana #RainwaterHarvestProject #Municipalities #H&UDOdisha

Comment