ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩କୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଶୁକ୍ରବାର ଦିନ ବିଧାନସଭାରେ ଏହି ବିଧେୟକ ପ୍ରତ୍ୟାହାର ହୋଇଛି। ଏନେଇ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଘୋଷଣା କରିଛନ୍ତି।

ସରକାର ଏହି ନୂଆ ବିଲ୍ ଜରିଆରେ ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକାକୁ ଶୃଙ୍ଖଳିତ କରିବା ପାଇଁ ଯୋଜନା ରଖିଥିଲେ। ଏବେ ଏହି ବିଧେୟକରେ ସଂଶୋଧନର ଆବଶ୍ୟକତା ଥିବାରୁ ଏହାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାର ସୋମବାର ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩କୁ ବିଧାନସଭାରେ ଆଗତ କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଥିଲେ। ଏହି ନୂଆ ଆପାର୍ଟମେଣ୍ଟ ବିଧେୟକକୁ ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ କ୍ୟାବିନେଟର ମଞ୍ଜୁରି ମିଳିଥିଲା।

ଶୁକ୍ରବାର ଦିନ ବିଧାନସଭାରେ ଆପାର୍ଟମେଣ୍ଟ ବିଲ୍ ସହିତ ଓଡ଼ିଶା ପଛୁଆ ବର୍ଗ ଆୟୋଗ (ସଂଶୋଧନ) ବିଲ୍ ୨୦୨୩ ଏବଂ ଓଡ଼ିଶା ନିୟୋଜିତ କ୍ଷତିପୂରଣ ଅଧିକାର (ସଂଶୋଧନ) ବିଲ୍ ୨୦୨୩କୁ ମଧ୍ୟ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର। ଗୃହରେ ବିଭଗୀୟ ମନ୍ତ୍ରୀମାନେ ବିଲ୍ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ।

ଆଗକୁ ଏହି ସମସ୍ତ ବିଧେୟକରେ ଆବଶ୍ୟକ ସଂଶୋଧନ କରାଯିବା ପରେ ଏଗୁଡ଼ିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି ପାଇଁ ପଠାଯିବ। କ୍ୟାବିନେଟରେ ଅନୁମୋଦନ ହେବାପରେ ଏହାକୁ ପୁଣି ବିଧାନସଭାରେ ଆଗତ କରିବେ ରାଜ୍ୟ ସରକାର।

‘ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩’ରେ କ’ଣ ରହିଛି? ଜାଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

Tags: #OdishaApartmentBill #Wtihdrwan #OdishaAssembly #GovtofOdisha

Comment