ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ଗଠନ ହୋଇଛି ‘ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ’ (ବିଏମଆରସି)। ଏହାର ସିଇଓ ଓ ମହାପ୍ରବନ୍ଧକଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ବିଏମଆରସିର ସିଇଓ ଭାବେ ଶିବପ୍ରସାଦ ସାମନ୍ତରାୟ ନିଯୁକ୍ତ ହୋଇଥିବାବେଳେ ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ଏହାର ମହାପ୍ରବନ୍ଧକ ଭାବେ ନିଯୁକ୍ତି ମିଳିଛି। ଏନେଇ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନର ଉଭୟ ସିଇଓ ଓ ମହାପ୍ରବନ୍ଧକଙ୍କୁ ପ୍ରାଥମିକ ଭାବେ ୧ ବର୍ଷ ଯାଏଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଛି। ବିଏମଆରସିର ସିଇଓ ହୋଇଥିବା ଶିବପ୍ରସାଦ ସାମନ୍ତରାୟ ଏହାପୂର୍ବରୁ ପୂର୍ବତଟ ରେଳପଥର ମୁଖ୍ୟ ପ୍ରକଳ୍ପ ନିର୍ଦେଶକ ଥିଲେ।

ଅନ୍ୟପଟେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ପ୍ରସନ୍ନ ଷଡ଼ଙ୍ଗୀ ବର୍ତ୍ତମାନ ବିଏମଆରସିର ମହାପ୍ରବନ୍ଧକ ସହ ‘ମୋ ବସ’ ପରିଚାଳନା କରୁଥିବା ସଂସ୍ଥା କ୍ରୁଟର ମହାପ୍ରବନ୍ଧକ ଭାବରେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ଏବେ ଡିପିଆର ପ୍ରସ୍ତୁତି ଚାଲିଛି। ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ପକ୍ଷରୁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ପାଇଁ ‘ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ’ କରାଯାଉଛି। ଏଥିରେ ମେଟ୍ରୋ ଚାଲିବାକୁ ଥିବା ବିଭିନ୍ନ ସ୍ଥାନରେ ମାଟିର ଗୁଣବତ୍ତା ଯାଞ୍ଚ କରାଯାଉଛି।

ଓଡ଼ିଶା ସରକାର କଟକ-ଭୁବନେଶ୍ଵର-ଖୋର୍ଦ୍ଧା-ପୁରୀକୁ ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପାଇଁ ଯୋଜନା ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୂଳିଆରୁ ଭୁବନେଶ୍ଵର ବିମାନବନ୍ଦର ମଧ୍ୟରେ ମେଟ୍ରୋ ନିର୍ମାଣ କାମ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହାର ସମ୍ପ୍ରସାରଣ କରାଯିବ। ଏନେଇ ଚଳିତବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ଘୋଷଣା କରାଯାଇଥିଲା।

Tags: #BhubaneswarMetroProject #MetroRail #BMRC #Bhubaneswar

Comment