ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସବୁ ସହରାଞ୍ଚଳରେ ଥିବା ବିଭିନ୍ନ କଚ୍ଚା ରାସ୍ତାର ନବୀକରଣ କରାଯିବ। ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ୫-ଟି ଅଧୀନରେ ସବୁ କଚ୍ଚା ରାସ୍ତା ପକ୍କା ହେବ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍ ସମସ୍ତ ପୌରସଂସ୍ଥାକୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ସବୁ ପୌରସଂସ୍ଥାକୁ ନିଜ ଅଞ୍ଚଳରେ ଥିବା କଚ୍ଚା ରାସ୍ତାର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। କେଉଁ ପ୍ରକାରର କଚ୍ଚା ରାସ୍ତା ଓ କେତେ ଲମ୍ବର ରାସ୍ତା ନବୀକରଣ କରାଯିବ ସେ ନେଇ ହିସାବ ଦେବାକୁ କୁହାଯାଇଛି।

ପୌରସଂସ୍ଥା ରାସ୍ତା ପାଇଁ କେତେ ଖର୍ଚ୍ଚ ହେବ ତାହାର ମଧ୍ୟ ହିସାବ କରିବ। ମେ’ ମାସ ୫ ତାରିଖ ସୁଦ୍ଧା ଏହି ଅଟକଳ ବିଭାଗକୁ ପଠାଇବା ପାଇଁ ପୌରସଂସ୍ଥାଗୁଡ଼ିକୁ କୁହାଯାଇଛି। ଓଡ଼ିଶା ସରକାରଙ୍କ ‘ଉନ୍ନତି’ ଯୋଜନା ଅନ୍ତର୍ଗତ ଏଥିରେ ଅର୍ଥ ଖର୍ଚ୍ଚ ହେବ।

ସରକାରଙ୍କ ନିର୍ଦେଶ ମୁତାବିକ ସବୁ ପୌରସଂସ୍ଥା ନିଜ ଅଞ୍ଚଳରେ ରାସ୍ତାଗୁଡ଼ିକରେ ସର୍ଭେ କରିବେ। ଏହି ସର୍ଭେ ସମୟରେ ପକ୍କା ହେବାକୁ ଥିବା ରାସ୍ତାର ‘ଜିଓ କୋର୍ଡିନେଟ୍’ କରାଯିବ। ଏହା ଆଧାରରେ ରାସ୍ତାଗୁଡ଼ିକୁ ପକ୍କା କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯିବ।

Tags: #Roads #development #UrbanAreas #PaveredRoads #H&UDDept #Odisha

Comment