ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପ୍ ପାଖେଇ ଆସୁଥିବାବେଳେ ଏହାକୁ ନେଇ ସବୁ ଅଂଶଗ୍ରହଣକାରୀ ଦଳ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ଏହି ଦିନିକିଆ ବିଶ୍ଵକପର ବିଜେତା ଦଳକୁ ୪ ମିଲିଅନ୍ ଡଲାର ବା ପ୍ରାୟ ୩୩ କୋଟି ଟଙ୍କା ଅର୍ଥ ପୁରସ୍କାର ମିଳିବ। ସେହିପରି ରନର୍ସ ଅପ୍ ଟିମକୁ ୨ ମିଲିଅନ୍ ଡଲାର ବା ପ୍ରାୟ ୧୭ କୋଟି ଟଙ୍କା ପୁରସ୍କାର ଦିଆଯିବ। ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଘୋଷଣା କରାଯାଇଛି।
ଏଥର ବିଶ୍ୱକପରେ ମୋଟ ପୁରସ୍କାର ରାଶି ୧୦ ମିଲିୟନ ଡଲାର ରଖାଯାଇଛି। ସେହିପରି ବିଶ୍ଵକପ ସେମିଫାଇନାଲରେ ପରାଜିତ ହୋଇଥିବା ଦଳକୁ ୮ଲକ୍ଷ ଡଲାର ଲେଖାଏଁ ପ୍ରଦାନ କରାଯିବ। ସେମିଫାଇନାଲ ପୂର୍ବରୁ ବାଦ୍ ପଡ଼ିଥିବା ଦଳଗୁଡ଼ିକୁ ୧ ଲକ୍ଷ ଡଲାର ଲେଖାଏଁ ରାଶି ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।
ଅନ୍ୟପଟେ ଗ୍ରୁପ୍ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚର ବିଜେତାଙ୍କୁ ୪୦ ହଜାର ଡଲାର ପ୍ରଦାନ କରାଯିବ। ଆଇସିସି ପକ୍ଷରୁ ଉଭୟ ମହିଳା ଓ ପୁରୁଷ ବିଶ୍ଵକପ ପାଇଁ ସମାନ ଧରଣର ପୁରସ୍କାର ବ୍ୟବସ୍ଥା ଲାଗୁ କରାଯିବ ବୋଲି କୁହାଯାଇଛି। ଏଥିପାଇଁ ୨୦୨୫ ମହିଳା କ୍ରିକେଟ ବିଶ୍ଵକପରେ ମଧ୍ୟ ଦଳମାନଙ୍କୁ ଏହି ଭଳି ପୁରସ୍କାର ରାଶି ମିଳିବ।
ଚଳିତବର୍ଷ ପୁରୁଷ କ୍ରିକେଟ ବିଶ୍ଵକପରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଓ ନେଦରଲାଣ୍ଡସ୍ ବିଶ୍ଵକପରେ ଖେଳିବେ।
ଭାରତରେ ହେବାକୁ ଥିବା ଏହି ବିଶ୍ଵକପ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖ ଯାଏଁ ଚାଲିବ। ଦେଶର ୧୦ଟି ଷ୍ଟାଡିୟମରେ ବିଶ୍ଵକପର ମୋଟ ୪୮ ମ୍ୟାଚ୍ ଖେଳାଯିବ। ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
Tags: #ICCCricketWorldCup2023 #Cricket #Sports #ICC #BCCI #India



















