ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ-ପରିଣୀତି
ପତିପତ୍ନୀ ପାଲଟିଲେ ପରୀ-ରାଘବ। ପରିଣୀତି ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଆପ ନେତା ରାଘବ ଚଢ଼ା। ରାଜସ୍ଥାନ ଉଦୟପୁରସ୍ଥିତ ଲୀଲା ପ୍ୟାଲେସରେ ଏହି ସେଲିବ୍ରିଟି ଯୋଡ଼ିଙ୍କ ବିବାହ ଅନୁଷ୍ଠିତ ହୋଇଛି। ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରୀ।
ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଡିଜାଇନର୍ ମନୀଷ ମଲହୋତ୍ରା ପ୍ରମୁଖ ଯୋଗ ଦେଇଥିଲେ। ମେ ୧୩ ତାରିଖରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା।
ସେପଟେ ପରିଣୀତି ନିଜେ ସୋସିଆଲ ମିଡିଆରେ ବାହାଘର ସମୟର କିଛି ଫଟୋ ସେୟାର କରିଛନ୍ତି। ଫଟୋ ପୋଷ୍ଟ କରି କ୍ୟାପସନରେ ଆଶୀର୍ବାଦ ମାଗିଛନ୍ତି। ପରିଣୀତି ଓ ରାଘବଙ୍କ ଏହି ଫଟୋକୁ ଲକ୍ଷ ଲକ୍ଷ ଲୋକ ଲାଇକ୍ କରିବା ସହ ସେମାନଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।
୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ। ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ସେହିପରି ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ପରିଣୀତି ପରିଚିତ। କଲେଜ ବେଳଠୁ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢ଼ା ପରସ୍ପରଙ୍କୁ ଜାଣିଛନ୍ତି। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଉଭୟ ପାଠ ପଢ଼ିଛନ୍ତି।
Tags: #parineetiraghavwedding #parineetichopra #raghavchadha #celebritywedding

















