ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବାଲେଶ୍ଵର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟ। ଗତ ଜୁନ ମାସରୁ ବର୍ଷାଦିନ ପାଇଁ ବନ୍ଦ ରହିବାପରେ ବୁଧବାର ଅଭୟାରଣ୍ୟକୁ ଖୋଲାଯାଇଛି। ପ୍ରଥମ ଦିନରେ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଯାଇଛନ୍ତି। ସେମାନଙ୍କ ସ୍ଵାଗତ ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ପର୍ଯ୍ୟଟକଙ୍କ ଆସିବାପରେ କୁଲଡିହା ଅଭୟାରଣ୍ୟ ପୁଣି ଚଳଚଞ୍ଚଳ ହୋଇଉଠିଛି। ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି।
ସେହିପରି ପର୍ଯ୍ୟଟକଙ୍କ ରାତି ରହଣୀ ପାଇଁ ଅଭୟାରଣ୍ୟରେ ଥିବା ‘ରିସିଆ ପ୍ରକୃତି ନିବାସ’ରେ ୯ଟି ତମ୍ବୁଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକ ବ୍ୟବସ୍ଥା କରାଯାଇଛି। ସେହିପରି ପର୍ଯ୍ୟଟକଙ୍କ ପାଇଁ ରିସିଆ ଡ୍ୟାମରେ ବୋଟିଂର ସୁବିଧା ମଧ୍ୟ କରାଯାଇଛି।
ଅଭୟାରଣ୍ୟରେ ବୁଲିବା ଲାଗି ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ସମୟ ରଖାଯାଇଛି। ସେହିପରି ଏଠାରେ ଜଣେ ବ୍ୟକ୍ତି ପାଇଁ ଟିକେଟର ମୂଲ୍ୟ ୪୦ ଟଙ୍କା ରହିଛି। ସେହିପରି କ୍ୟାମେରା ପାଇଁ ୫୦ ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଟିକେଟ ରହିଛି।
ସେହିପରି ପ୍ରକୃତି ନିବାସରେ ରାତ୍ରିଯାପନ ପାଇଁ ପ୍ରତି ପର୍ଯ୍ୟଟକଙ୍କ ପିଛା ୩ ହଜାର ୮୫୪ ଟଙ୍କା ଧାର୍ଯ୍ୟ କରାଯାଇଛି। ବନ ବିଭାଗର ୱେବସାଇଟରେ ଏହାର ବୁକିଂ କରାଯାଇପାରିବ। ଚଳିତବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା ରଖିଛନ୍ତି କୁଲଡ଼ିହା ଅଭୟାରଣ୍ୟ କର୍ତ୍ତୃପକ୍ଷ।
ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଭାରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି। ପର୍ଯ୍ୟଟକମାନେ ଏଠାରେ ହାତୀ, ବାଘ, ହରିଣ, ସମ୍ବର, ଗୟଳ, ଝିଙ୍କ, ଭାଲୁ, ମାଙ୍କଡ଼, ଠେକୁଆ ଭଳି ଜୀବଜନ୍ତୁଙ୍କ ସହ ଅନେକ ଦେଶୀ ଓ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ପାଇଥାନ୍ତି।
Tags: #KuldihaWildlifeSanctuary #Wildlife #WildAnimals #Forest #Balasore #Odisha