ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଷ୍ଣୁଦେଓ ସାଏ। ବୁଧବାର ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ବିଜେପି ନେତା ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  

ରାୟପୁରର ସାଇନ୍ସ କଲେଜ ପଡ଼ିଆରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସହ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।  

ଚଳିତ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ କ୍ଷମତା ହାସଲ କରିଥିଲା ବିଜେପି। ଦଳ ୯୦ଟି ଆସନରୁ ୫୪ଟି ଜିତିବାରେ ସଫଳ ହୋଇଥିଲା। ସେହିପରି କଂଗ୍ରେସକୁ ୩୫ଟି ସିଟ୍ ମିଳିଥିଲା।    

ଛତିଶଗଡ଼ରେ କ୍ଷମତାକୁ ଆସିବାପରେ ବିଷ୍ଣୁଦେଓ ସାଏଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚୟନ କରାଯାଇଥିଲା। ଏନେଇ ରବିବାର ହୋଇଥିବା ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। 

Tags: #VishnuDeoSai #NewCM #Swearing-in-Ceremony #Raipur #Chhattisgarh

LEAVE A REPLY

Please enter your comment!
Please enter your name here