ଓଡ଼ିଶାଲାଇଭ୍ ବ୍ୟୁରୋ

ଶୋଇଥିବା ବେଳେ ବୋରଓ୍ଵେଲ ଗାଡ଼ି ମାଡ଼ିଯିବାରୁ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ। ମୃତକମାନେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି।
ବୁଧବାର ରାତିରେ ବିର୍ଜାମ ଗାଁରେ ବୋରଓ୍ଵେଲ ଖୋଳା ହେଉଥିଲା। ତେଲ ସରିଯିବାରୁ କିଛି ଶ୍ରମିକ ତେଲ ପାଇଁ ନିକଟରେ ଥିବା ମାର୍କେଟକୁ ଯାଇଥିଲେ। ଅନ୍ୟ ୫ ଜଣ ଶ୍ରମିକ ଗାଡ଼ି ପାଖରେ ଶୋଇଥିଲେ। ବୋରଓ୍ଵେଲ ଗାଡ଼ିର ଡ୍ରାଇଭର ମଧ୍ୟ ଗାଡ଼ି ଭିତରେ ଶୋଇଯାଇଥିଲେ। ଏହି ସମୟରେ ଗାଡ଼ିଟି ସେଠାରେ ଶୋଇଥିବା ୫ ଜଣ ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା।
ଗୁରୁତର ଆହତ ଅବସ୍ଥାରେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଶ୍ରମିକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #Accident #Death #Bargarh #Borewellwork #Labour