ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୋହନା ଦକ୍ଷିଣ ଓଡ଼ିଶାର ଏମିତି ଏକ ଆସନ ଯେଉଁଠାରେ ଶେଷ ପର୍ଯ୍ୟାୟ ଗଣତି ଯାଏଁ ବି କହି ହୁଏନି ଜିତିବ କିଏ। ଏଠି ସବୁ ଦଳ ପ୍ରାର୍ଥୀର ପରସ୍ପରକୁ ଦେଇଥାନ୍ତି କଡ଼ା ଟକ୍କର। ୨୦୧୯ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ହେଲେ ବିଜେଡି ଓ ବିଜେପି ପ୍ରତିଦ୍ଵନ୍ଦ୍ଵୀ ବେଶୀ ପଛରେ ନ ଥିଲେ। ଏଥର ବି ସେମିତି ଲଢ଼େଇ ହେବାର ସମ୍ଭାବନା ରହିଛି।
ବିଜେଡିରେ ନୂଆ ମୁହଁ
ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଛାଡ଼ିଦେଲେ ମୋହନାରୁ ବିଜେଡି କାହକୁ ବି ଏକାଧିକ ଥର ପ୍ରାର୍ଥୀ କରିନାହିଁ। ଗତ ଥର ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ଜୋରଦାର ଲଢ଼େଇ କରିଥିଲେ। ତଥାପି ଏଥର ଦଳ ତାଙ୍କ ଉପରେ ଭରସା କରିନାହିଁ। ହେଲେ ତାଙ୍କ ପରିବାରକୁ ମଧ୍ୟ ଅସନ୍ତୁଷ୍ଟ ମଧ୍ୟ କରିନାହିଁ। ଚଳିତ ନିର୍ବାଚନରେ ତାଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ଦଳ ଟିକେଟ ଦେଇଛି।
ଅନ୍ତର୍ଯ୍ୟାମୀ ବିଜେପିରେ ଥିଲେ। ୨୦୦୯ରେ ସେ ବିଜେପି ପ୍ରାର୍ଥୀ ହୋଇ କଡ଼ା ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଚକ୍ରଧର ପାଇକଙ୍କୁ। ଗତ ନିର୍ବାଚନ ବେଳେ ସେ ବିଜେଡିରେ ମିଶିଥିଲେ ଓ ତାଙ୍କ ପତ୍ନୀ ନିର୍ବାଚନ ଲଢ଼ିଥିଲେ।

ଅନ୍ତର୍ଯ୍ୟାମୀ ନିଜେ ଜଣେ ଦୃଢ଼ ସଂଗଠକ। ଏହା ଛଡ଼ା ପତ୍ନୀଙ୍କର ମଧ୍ୟ ନିର୍ବାଚନ ପରିଚାଳନା କରିବାର ଅଭିଜ୍ଞତା ରହିଛି। ଅନ୍ତର୍ଯ୍ୟାମୀ ଓ ତାଙ୍କ ପତ୍ନୀ ଖୁବ କମ୍ ଭୋଟରେ ହାରିଥିବାରୁ ଏଥର ଅନୁକମ୍ପା ଆଶାରେ ମଧ୍ୟ ଅଛନ୍ତି। ମୋହନାରେ ବିଜେଡିର ମଧ୍ୟ ସାଂଗଠନିକ ଅଭିବୃଦ୍ଧି ହୋଇଛି। କାରଣ ପୂର୍ବେ ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ମଧ୍ୟ ଦଳକୁ ଫେରିଛନ୍ତି। ଏହା ବିଜେଡିର ଶକ୍ତି ବୃଦ୍ଧି କରିବ ବୋଲି କିଛି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।
ପୁରୁଣା ଚେହେରା ଉପରେ କଂଗ୍ରେସର ଭରସା
ଚଳିତ ନିର୍ବାଚନରେ ବିଧାୟକ ଦାଶରଥି ଗମାଙ୍ଗଙ୍କ ଉପରେ ପୁଣି ଭରସା କରିଛି କଂଗ୍ରେସ। ସେ ଲଗାତର ୩ ଥର କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ୨ ଥର ଜି ଉଦୟଗିରି ବ୍ଲକ ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି। ନିର୍ବାଚନ ପରିଚାଳନା ଓ ଭୋଟରଙ୍କ ମୁଡ୍ ବୁଝିବା ତାଙ୍କ ପାଇଁ ନୂଆ ନୁହେଁ। ବିଜେପି ଓ କଂଗ୍ରେସରେ କନ୍ଦଳ ଥିବାରୁ ତାର ଫାଇଦା ନେବା ଆଶାରେ ଅଛନ୍ତି ଦାଶରଥି। ତଥାପି ତାଙ୍କୁ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିବ।

ବିଜେପିରେ ବି ପୁରୁଣା ଚେହେରା
ଏଥର ମୋହନାରେ ବିଜେପି ମଧ୍ୟ ପ୍ରାର୍ଥୀ ବଦଳାଇନାହିଁ। ପୁଣି ଦଳରୁ ଟିକଟ ପାଇଛନ୍ତି ପ୍ରଶାନ୍ତ ମଲ୍ଲିକ। ଗତ ଥର ସେ ନିର୍ବାଚନ ହାରିଥିଲେ। ହେଲେ ପଞ୍ଚାୟତ ସମିତି ସଭ୍ୟ ଭାବେ ସେ ନିର୍ବାଚିତ ହୋଇଛନ୍ତି। ତେଣୁ ସେ କର୍ମୀ ଓ ନେତାଙ୍କ ସହ ସମନ୍ଵୟ ରଖିଥିବା କୁହାଯାଉଛି। ଏହା ସହିତ ତାଙ୍କର ମୋହନା ବ୍ଲକର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବାର ଅଭିଜ୍ଞତା ମଧ୍ୟ ରହିଛି। ରାଜ୍ୟରେ ବିଜେପି ସଂଗଠନ ଶକ୍ତିଶାଳୀ ହୋଇଥିବାରୁ ସେ ଏଥର ଭୋଟରଙ୍କ ପ୍ରଥମ ପସନ୍ଦ ହେବେ ବୋଲି ଆଶା ରଖିଛନ୍ତି।

ମୋହନା ପରିସଂଖ୍ୟାନ
ମୋହନାରୁ ୧୯୯୦ରୁ ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିଲେ। ପ୍ରଥମେ ଜନତା ଦଳ ଓ ପରେ ୨୦୦୦ରୁ ୨୦୦୯ ଯାଏଁ ବିଜେଡିରୁ ବିଧାୟକ ଥିଲେ। ତେବେ ଏହି ନିର୍ବାଚନମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ସେ ଦିଗପହଣ୍ଡିକୁ ବାଛି ଥିଲେ।
ସୂର୍ଯ୍ୟଙ୍କ ପରେ ଏହା ଆଉ ବିଜେଡିର ଗଡ଼ ହୋଇ ରହି ନ ଥିଲା। ୨୦୦୯ରେ କଂଗ୍ରେସ, ୨୦୧୪ରେ ବିଜେଡି ଓ ୨୦୧୯ରେ ପୁଣି କଂଗ୍ରେସ ଜିତିଥିଲା। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଚକ୍ରଧର ପାଇକ ୩୭,୬୯୭ ଭୋଟ୍, ବିଜେପି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ୩୬,୭୮୦ ଓ ବିଜେ଼ଡି ପ୍ରାର୍ଥୀ ଯୋହାନ ଦଳବେହେରା ୨୦,୨୦୬ ଭୋଟ୍ ପାଇଥିଲେ।
ସେହିପରି ୨୦୧୪ ନିର୍ବାଚନରେ ବିଜେଡିର ବାସନ୍ତୀ ମଲ୍ଲିକ ୪୩,୦୦୬ ଏବଂ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୪୨,୮୯୧ ଭୋଟ ପାଇଥିଲେ। ମାତ୍ର ୧୧୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବାସନ୍ତୀ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଭରତ ପାଇକ ୩୯,୬୨୫ ଭୋଟ ପାଇଥିଲେ।
ଏହାପରେ ୨୦୧୯ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ୍ ପାଇ ନିର୍ବାଚନ ଜିତିଥିଲେ। ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ୫୧,୩୫୧ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକ ୪୬,୧୭୬ ଭୋଟ୍ ପାଇଥିଲେ।
ଏଥର ମଧ୍ୟ ମୋହନାରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
Tags: #OdishaAssemblyElections2024 #MohanaAssemblyseat #BJD #BJP #Congress #Politics #Odisha