ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ମେ’ ୧୩ ତାରିଖରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଲୋକସଭା ପାଇଁ ୪୫୪ ଜଣ ଏବଂ ବିଧାନସଭା ପାଇଁ ୨,୩୮୭ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରିବେ। ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ କୁମାର ମୀନା ସୂଚନା ଦେଇଛନ୍ତି।

ଚଳିତ ବର୍ଷ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ୪୯୪ ଜଣ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୪୦ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ। ସେହିପରି ରାଜ୍ୟର ୧୭୫ଟି ବିଧାନସଭା ଆସନ ପାଇଁ ୨,୭୦୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୩୧୮ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ।

ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସର୍ବାଧିକ ୩୩ ଜଣ ପ୍ରାର୍ଥୀ ବିଶାଖାଟଣା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏବଂ ସର୍ବନିମ୍ନ ୧୨ ଜଣ ପ୍ରାର୍ଥୀ ରାଜମହେନ୍ଦ୍ରଭରମ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ରାଜ୍ୟର ତିରୁପତି ବିଧାନସଭା ଆସନରେ ସର୍ବାଧିକ ୪୬ ଜଣ ପ୍ରାର୍ଥୀ ରହିଥିବାବେଳେ ଚୋଡ଼ାଭରମ ଆସନରେ ସର୍ବନିମ୍ନ ୬ ଜଣ ପ୍ରାର୍ଥୀ ରହିଛନ୍ତି।

ଆନ୍ଧ୍ରପ୍ରଦେଶର ପ୍ରମୁଖ ନିର୍ବାଚନମଣ୍ଡଳୀ

ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ବିଧାନସଭା ଆସନରୁ ତେଲୁଗୁ ଦେଶମ ପାର୍ଟିର (ଟିଡିପି) ଜାତୀୟ ସାଧାରଣ ସମ୍ପାଦକ ନାରା ଲୋକେଶଙ୍କ ସହିତ ଚାଳିଶ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ପୁଲିଭେନ୍ଦୁଲା ନିର୍ବାଚନ ମଣ୍ଡଳରୁ ୱାଇଏସଆର୍ କଂଗ୍ରେସ ପାର୍ଟି ମୁଖ୍ୟ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କ ସହ ମୋଟ ୨୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।  

ଅନ୍ୟପଟେ କୁପମ ବିଧାନସଭା ଆସନରୁ ଟିଡିପି ସୁପ୍ରିମୋ ନାରା ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାସହ ରାଜ୍ୟର ପିଠାପୁରମ ବିଧାନସଭା ଆସନରୁ ଜନସେନା ପାର୍ଟି (ଜେଏସପି) ସଭାପତି ପୱନ କଲ୍ୟାଣଙ୍କ ସମେତ ୧୩ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ତେବେ ଆନ୍ଧ୍ରପ୍ରଦେଶର ସବୁଠାରୁ ହଟ୍ ସିଟ କୁହାଯାଉଥିବା କାଡ଼ପ୍ପା ଲୋକସଭା ଆସନରୁ ଆନ୍ଧ୍ରପ୍ରଦେଶ କଂଗ୍ରେସ ସଭାପତି ୱାଇ.ଏସ. ଶର୍ମିଲା ଏବଂ ୱାଇଏସଆର କଂଗ୍ରେସ ଦଳର ଅବିନାଶ ରେଡ୍ଡୀଙ୍କ ସମେତ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

Tags: #AndhraPradesh #Elections #Politics #TDP #YSRCP #Congress #ECI #India

LEAVE A REPLY

Please enter your comment!
Please enter your name here