ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପିରିୟଡସ୍ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ଆବଶ୍ୟକ। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣର କାରଣ ପାଲଟିଥାଏ। ପରିୟଡସ୍ ପରିଚ୍ଛନ୍ନତାକୁ ନେଇ ପ୍ରତ୍ୟେକ କିଶୋରୀ ଏବଂ ମହିଳାଙ୍କୁ ସଚେତନ ହେବା ଦରକାର।
ପ୍ରତିବର୍ଷ ମେ’୨୮ରେ ପିରିୟଡସ୍ ବା ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।
ପ୍ଲାଷ୍ଟିକ୍ମୁକ୍ତ ସାନିଟାରି ପ୍ୟାଡ୍ ବ୍ୟବହାର କରିବା ଜାରୁରୀ
ଅଧିକାଂଶ ମହିଳା ଭାବନ୍ତି ପ୍ୟାଡ୍ ଫୋପାଡ଼ି ସାରିବା ପରେ ହାତ ଧୋଇବା ଉଚିତ। କିନ୍ତୁ ପ୍ୟାଡ୍ ପିନ୍ଧିବା ପୂର୍ବରୁ ଏବଂ ଜେନିଟାଲ ଟ୍ରାକ୍କୁ ସଫା କରିବା ପୂର୍ବରୁ ଉଷୁମ ପାଣି କିମ୍ବା ସାଧା ପାଣିରେ ସାବୁନରେ ହାତ ସଫା କରିବା ଅତ୍ୟନ୍ତ ଜରୁରୀ। ପ୍ୟାଡ ଫୋପାଡ଼ିବା ପୂର୍ବରୁ ମଧ୍ୟ ହାତ ଧୋଇବା ଦରକାର।
୪ରୁ ୬ ଘଣ୍ଟା ଭିତରେ ସାନିଟାରି ପ୍ୟାଡ୍କୁ ବଦଳାଇବା ଆବଶ୍ୟକ
ଯଦି ଅତ୍ୟଧିକ ରକ୍ତସ୍ରାବ ହେଉଛି, ତେବେ ସାନିଟାରି ପ୍ୟାଡ୍ ଅଳ୍ପ ବ୍ୟବଧାନରେ ବଦଳାନ୍ତୁ। ପରିସ୍ରା ଦ୍ୱାର ଏବଂ ଜେନିଟାଲ ଟ୍ରାକ୍କୁ ସବୁବେଳେ ଶୁଖିଲା ରଖିବା ଆବଶ୍ୟକ। ଯେତେ ଓଦା ରହିବ, ସଂକ୍ରମଣ ବ୍ୟାପିବାର ଆଶଙ୍କା ସେତେ ଅଧିକ ରହିଥିବା ଡାକ୍ତର କୁହନ୍ତି।
ପରିସ୍ରା ଯୋଗୁଁ ଏବଂ ପିରିୟଡ୍ସ ସମୟରେ ରକ୍ତ ସ୍ରାବ ଯୋଗୁଁ ଅନ୍ତଃବସ୍ତ୍ର ଓଦା ହେବାର ସମ୍ଭାବନା ରହିଛି। ତେଣୁ ଦିନରେ ଦୁଇଥର ଅନ୍ତଃବସ୍ତ୍ରକୁ ବଦଳାଇବା ଆବଶ୍ୟକ।
ଯୌନାଙ୍ଗ ଧୋଇବା ପାଇଁ ସାବୁନ୍ କିମ୍ବା ଅନ୍ୟ ଡିଟରଜେଣ୍ଟର ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଯୌନାଙ୍ଗର ପିଏଚ୍ ସ୍ତରର ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ରହିଛି।
ପିରିୟଡସ୍ ସମୟରେ ସହବାସ କରିବାରୁ ନିବୃତ୍ତ ରହିବା ଆବଶ୍ୟକ। ଏହି ସମୟରେ ସହବାସ ଦ୍ୱାରା ପୁରୁଷଙ୍କଠାରୁ ମହିଳାଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ।
କପଡ଼ା ବ୍ୟବହାର କରୁଥିଲେ ଭଲ ଭାବେ ସଫା କରନ୍ତୁ
ଯଦି ସାନିଟାରି ପ୍ୟାଡ୍ କିଣିବା ପାଇଁ ସୁବିଧା ନାହିଁ, ତାହା ହେଲେ ସଫା ସୂତା କପଡ଼ା ବ୍ୟବହାର କରିପାରିବେ। ବ୍ୟବହାର ପରେ ଏହି କପଡ଼ାକୁ ଗରମ ପାଣିରେ ସଫା କରି ଟାଣ ଖରାରେ ଶୁଖାଇବା ଆବଶ୍ୟକ।
ଯଦି କପଡ଼ା ବ୍ୟବହାର କରୁଛନ୍ତି, ତାହାହେଲେ ଦୁଇରୁ ତିନିଥର ପରେ ଆଉ ବ୍ୟବହାର କରନ୍ତୁ ନାହିଁ। କାରଣ ଯେତେ ଭଲରେ ସଫା କଲେ ବି ଜୀବାଣୁ ରହିଯାଆନ୍ତି ବୋଲି ଡାକ୍ତର କୁହନ୍ତି।
ପ୍ଲାଷ୍ଟିକ୍ରେ କାର୍ସିନୋଜେନିକ୍ କେମିକାଲ ଥାଏ, ଯାହା କ୍ୟାନ୍ସରର କାରଣ ପାଲଟେ। ଯଦି ପ୍ଲାଷ୍ଟିକ୍ ଥିବା ସାନିଟାରି ପ୍ୟାଡ୍ ବ୍ୟବହାର କରାଯାଏ, ତେବେ ଏଣ୍ଡୋମେଟ୍ରିଓସିସ୍ ହେବାର ଆଶଙ୍କା ବଢ଼ିଯାଏ ଏବଂ କ୍ୟାନ୍ସର ମଧ୍ୟ ହେବା ଭୟ ରହିଛି। ଏହାଛଡ଼ା ପିରିୟଡଓ୍ ପାଇଁ ଟାମ୍ପୁନସ୍ ଏବଂ ସିଲିକନ୍ କପ୍ ବ୍ୟବହାର କରିପାରିବେ।
Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India