ଓଡ଼ିଶାଲାଇଭ୍ ବ୍ୟୁରୋ

ବାରାଣାସୀ ଲୋକସଭା ଆସନରୁ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ମଙ୍ଗଳବାର ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ଦିଆଯାଇଛି।

ପ୍ରାର୍ଥିପତ୍ର ଖାରଜ ହେବାପରେ ଶ୍ୟାମ ରଙ୍ଗିଲା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ବେଆଇନ ଭାବରେ ତାଙ୍କ ପ୍ରାର୍ଥିପତ୍ର ଖାରଜ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

“ଆଜି ଆମ ଦେଶରେ ଜଣେ ସାଧାରଣ ନାଗରିକର ନିର୍ବାଚନ ଲଢ଼ିବାର ଅଧିକାରକୁ ଛଡ଼ାଇ ନିଆଯାଇଛି। ମତେ ବାରାଣାସୀରୁ ଲଢ଼ିବାକୁ ଦିଆଯିବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇସାରିଥିଲା। ମୁଁ ଠିକ୍ ସମୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲି। ହେଲେ ମଙ୍ଗଳବାର ରାତିରେ ସମୟ ସରିବା ପୂର୍ବରୁ ମତେ ନିର୍ବାଚନ ପାଇଁ ଶପଥ ଗ୍ରହଣ କରିବାକୁ ଦିଆଗଲା ନାହିଁ। ଏଥିରେ ମୋ ହୃଦୟ ନିଶ୍ଚିତ ଭାବରେ ଭାଙ୍ଗିଛି, କିନ୍ତୁ ଆତ୍ମା ଭାଙ୍ଗି ନାହିଁ”, କହିଛନ୍ତି ଶ୍ୟାମ ରଙ୍ଗିଲା।

ଅନ୍ୟପଟେ ଏହି ମାମଲାରେ ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ଶ୍ୟାମ ରଙ୍ଗିଲା ନିଜ ପ୍ରାର୍ଥିପତ୍ର ସହ ଆଫିଡେବିଟ୍ ଦାଖଲ କରିନଥିଲେ। ତାଙ୍କ ପ୍ରାର୍ଥିପତ୍ରକୁ ଯାଞ୍ଚ କରାଯିବା ପରେ ଏହାକୁ ଖାରଜ କରାଯାଇଥିବା ମାଜିଷ୍ଟ୍ରେଟ୍ କହିଛନ୍ତି।

ଶ୍ୟାମ ରଙ୍ଗିଲା ଜଣେ ବିଶିଷ୍ଟ ହାସ୍ୟ ଅଭିନେତା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଅନେକ ରାଜନେତାଙ୍କ ମିମିକ୍ରି କରି ଲୋକଲୋଚନକୁ ଆସିଥିଲେ। ତାଙ୍କ ଭିଡିଓଗୁଡ଼ିକରେ ସେ ନିଜ ମଜାଳିଆ ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରୁଥିବାର ଦେଖିବାକୁ ମିଳେ।  

ଚଳିତ ବର୍ଷ ଲୋକସଭା ନିର୍ବାଚନରେ ସେ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧର ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏହାପରେ ବାରାଣାସୀରେ ଅସଲି ମୋଦୀ ବନାମ ନକଲି ମୋଦୀ ମଧ୍ୟରେ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଥିଲା।  

ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ବାରାଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୫୫ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ଏବେ ମଇଦାନରେ ୧୭ ଜଣ ପ୍ରାର୍ଥୀ ରହିଛନ୍ତି। ଜୁନ୍ ୧ ତାରିଖରେ ଏଠାରେ ଭୋଟ୍ ଗ୍ରହଣ ହେବ।    

Tags: #ShyamRangeela #Nomination #Elections #PMNarendraModi #Varanasi #ECI #India    

LEAVE A REPLY

Please enter your comment!
Please enter your name here