ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କଥାରେ ଅଛି ‘ରଖେ ହରିତ ମାରେ କିଏ…?’ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ। ବିଦ୍ୟୁତ୍ ସଂସ୍ପର୍ଶରେ ଚେତାଶୂନ୍ୟ ହୋଇ ରାସ୍ତା ଉପରେ ପଡ଼ିଯାଇଥିବା ସାଇ କୁମାର ନାମକ ଜଣେ ୬ ବର୍ଷର ଶିଶୁକୁ ସିପିଆର (କୃତ୍ରିମ ଶ୍ଵାସକ୍ରିୟା) ଚିକିତ୍ସା ଦ୍ଵାରା ତା’ର ଜୀବନ ବଞ୍ଚାଇଛନ୍ତି ଡାକ୍ତର ଏନ ରାଭାଲି।

ସାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାସ୍ତା ଉପରେ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖି ସ୍ଥାନୀୟ ଲୋକ ସେଠାରେ ଭିଡ଼ ଜମାଇଥିଲେ। ଲୋକଙ୍କ ଭିଡ଼ ଦେଖି ସେହି ରାସ୍ତାରେ ଯାଉଥିବା ଡାକ୍ତର ଏନ ରାଭାଲି ଅଟକି ଭିଡ଼ ନିକଟକୁ ଯାଇଥିଲେ ଏବଂ ସାଇ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ସମୟ ନଷ୍ଟ ନକରି ସେ ସାଇର ସିପିଆର ଚିକିତ୍ସା ଆରମ୍ଭ କରିଥିଲେ।

ଡାକ୍ତରଙ୍କ ପ୍ରୟାସ ଯୋଗୁଁ ଧୀରେ ଧୀରେ ସାଇର ଚେତା ଫେରିଥିଲା। ତୁରନ୍ତ ସାଇକୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାର ଦୁଇଘଣ୍ଟା ପରେ ସାଇ ସୁସ୍ଥ ହୋଇ ଘରକୁ ଫେରିଛି। ଡାକ୍ତର ଏନ ରାଭାଲିଙ୍କ ପାଇଁ ସାଇର ଜୀବନ ବଞ୍ଚିଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Tags: #CPRTreatment #Vijayawada #SaveLife #AndhraPradesh

Comment