ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲଙ୍କୁ ମାରପିଟ ଅଭିଯୋଗ ଏବେ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର ସ୍ଵାତୀଙ୍କୁ ମାଡ଼ ମରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏନେଇ ସ୍ଵାତୀ ପୋଲିସରେ ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ଆମ ଆଦମୀ ପାର୍ଟି ପାଇଁ ଅଡୁଆ ବଢ଼ିବାରେ ଲାଗିଛି।
ମେ’ ୧୩ ତାରିଖ ଦିନ ସ୍ଵାତୀ ମାଲିୱାଲ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଥିବା ସମୟରେ ବିଭବ କୁମାର ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ତାଙ୍କ ଛାତି ଏବଂ ପେଟରେ ଆଘାତ ଲାଗିଥିବା ସେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଆଇପିସିର ଧାରା ୩୨୩, ୩୫୪, ୫୦୬ ଓ ୫୦୯ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ଏହି ଘଟଣାରେ ସ୍ଵାତୀଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା। ଶୁକ୍ରବାର ଦିଲ୍ଲୀ ପୋଲିସର ଏକ ଟିମ୍ ସ୍ଵାତୀଙ୍କ ସହ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲେ। ଏଠାରେ ଘଟଣାର ସିନ୍ ରିକ୍ରିଏସନ୍ କରାଯାଇଥିଲା। ଏହାସହ ବିଭବ କୁମାରଙ୍କୁ ଗିରଫ କରିବା ପାଇଁ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ଉ କରାଯାଇଥିଲା। ଶନିବାର ତାଙ୍କୁ ଗିରଫ କରାଯାଇଛି।
ତେବେ ଏହି ମାମଲାରେ ବିଜେପି ପକ୍ଷରୁ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମୀ ପାର୍ଟିକୁ କଡ଼ା ସମାଲୋଚନା କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜଣେ ସାଂସଦ ତଥା ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷାଙ୍କୁ ମାରପିଟ ଘଟଣା ସବୁଠୁ ନିନ୍ଦନୀୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ଘଟଣା ଆମ ଆଦମୀ ପାର୍ଟିର ଅସଲ ଚରିତ୍ର ସାମ୍ନାକୁ ଆଣିଥିବା ବିଜେପି ଟାର୍ଗେଟ କରିଛି।
ଅନ୍ୟପଟେ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ସ୍ଵାତୀ ମାଲିୱାଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଯାଇଛି। ଭିଡିଓରେ ସ୍ଵାତୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ସୁରକ୍ଷାକର୍ମୀଙ୍କ ସହ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳିଛି। ସ୍ଵାତୀ କୌଣସି ରାଜନୈତିକ ଦଳର ପ୍ରଭାବରେ ଆସି ଏହି ଅଭିଯୋଗ କରିଥିବା ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି।
ତେବେ ଏହି ଭିଡିଓକୁ ଅପ୍ରାସଙ୍ଗିକ ଭାବେ ସେୟାର କରାଯାଇଥିବା ସ୍ଵାତୀ କହିଛନ୍ତି। ଆମ ଆଦମୀ ପାର୍ଟି ନିଜ ଛବି ବଞ୍ଚାଇବା ପାଇଁ ଏଭଳି ଉଦ୍ୟମ କରୁଥିବା ସ୍ଵାତୀ ମାଲିୱାଲ ଅଭିଯୋଗ କରିଛନ୍ତି।
ସ୍ଵାତୀ ମାଲିୱାଲ ଜଣେ ଆମ ଆଦମୀ ପାର୍ଟିର ନେତ୍ରୀ। ସେ ୨୦୧୧ ମସିହାରେ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହାପରେ ୨୦୧୫ ମସିହାରେ ଦିଲ୍ଲୀ ସରକାର ତାଙ୍କୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଥିଲେ। ପ୍ରାୟ ୯ ବର୍ଷ ଏହି ପଦବୀରେ ରହିବାପରେ ୨୦୨୪ ଜାନୁଆରି ମାସରେ ଆମ ଆଦମୀ ପାର୍ଟି ପକ୍ଷରୁ ସ୍ଵାତୀଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା।
Tags: #SwatiMaliwal #RajyaSabhaMP #AAP #ArvindKejriwal #DCW #Delhi