ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଋତୁସ୍ରାବ ସ୍ୱଚ୍ଛତା ଦିବସ। ଋତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୮ ତାରିଖକୁ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି।
ଏକ ଏନଜିଓ ସଂସ୍ଥା ‘ଓ୍ୱାଶ’ ଏହି ଦିବସର ଆରମ୍ଭ କରିଥିଲା। ୨୦୧୪ ମସିହା ମେ’ ୨୮ ତାରିଖରେ ଏହି ଦିବସ ପ୍ରଥମ ଥର ପାଳିତ ହୋଇଥିଲା।
ମେ’ ୨୮ ତାରିଖକୁ କାହିଁକି ବଛା ଯାଇଥିଲା?
ୠତୁସ୍ରାବ ସ୍ୱଚ୍ଛତା ଦିବସ ମେ’ ମାସର ୨୮ ତାରିଖକୁ ବଛା ଯାଇଥିଲା। କାରଣ ୨୮ ଦିନର ବ୍ୟବଧାନରେ ମହିଳାମାନଙ୍କର ମାସିକ ୠତୁସ୍ରାବ ହୋଇଥାଏ। ଏହି ଦିବସ ପାଳନ ହେବାର ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା, ଯାହା ଦ୍ୱାରା ମହିଳାମାନେ ଏ ସମ୍ପର୍କରେ ଖୋଲି କଥା ହୋଇପାରିବେ।
କେଉଁ ଦିଗ ପ୍ରତି ଧ୍ୟାନ ଦେବେ?
ମାସିକ ୠତୁଚକ୍ର ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଯେପରିକି, କପଡ଼ାର ବ୍ୟବହାର ନକରି ସାନିଟାରି ପ୍ୟାଡର ବ୍ୟବହାର କରିବା, ସଫା ସୁତରା ଉପରେ ବିଶେଷ ଧ୍ୟାନ ରଖିବା।
ପ୍ରତି ୪ରୁ ୫ ଘଣ୍ଟା ସମୟ ବ୍ୟବଧାନରେ ସାନିଟାରି ପ୍ୟାଡ୍ ବଦଳାଇବା। ଏଥିରେ ଅବହେଳା ହେଲେ ୟୁରିନ୍ ଇନଫେକ୍ସନ୍, ଗୁପ୍ତାଙ୍ଗରେ କୁଣ୍ଡିଆ ହେବା, ଜଳିବା ପୋଡ଼ିବା ଭଳି ସମସ୍ୟା ହୁଏ।
ସାନିଟାରି ପ୍ୟାଡ୍ ବଦଳାଇବା ପୂର୍ବରୁ ଗୁପ୍ତାଙ୍ଗକୁ ସଫା କରନ୍ତୁ। ପୁରୁଣା ପ୍ୟାଡରେ ପ୍ରବାହିତ ରକ୍ତ ଗୁପ୍ତାଙ୍ଗରେ ଲାଗି ରହିଲେ ସଂକ୍ରମଣ ହୁଏ।
ପିରିୟଡସ୍ ସମୟରେ ଅନ୍ତଃବସ୍ତ୍ର ପ୍ରତି ବି ଧ୍ୟାନ ଦେବାକୁ ପଡ଼ିଥାଏ। ମାସିକ ୠତୁଚକ୍ର ପାଖେଇବା ସମୟରେ ତଥା ସେହି ସମୟରେ ବାହାରକୁ ଗଲାବେଳେ ଗୋଟିଏ ସଫା ପାଉଚ୍ କିମ୍ବା ପେପର୍ ବ୍ୟାଗରେ ଏକ୍ସଟ୍ରା ସାନିଟାରି ପ୍ୟାଡ୍, ନରମ ଟାଓ୍ୱାଲ୍, ଟିସ୍ୟୁ ପେପର୍, ହ୍ୟାଣ୍ଡ୍ ସାନିଟାଇଜର୍, କିଛି ପୋଷକ ଖାଦ୍ୟ, ପାଣି ବୋତଲ ସବୁବେଳେ ପାଖରେ ରଖିବା ଆବଶ୍ୟକ। ଏହି ସମୟରେ ଉଷୁମ ପାଣି ପିଇଲେ ଭଲ। ଅତ୍ୟଧିକ ତେଲ ମସଲା ଖାଦ୍ୟ ଖାଆନ୍ତୁ ନାହିଁ।
ମାସିକ ୠତୁଚକ୍ର ସମୟରେ ଯଥାସମ୍ଭବ ବିଶ୍ରାମ କରନ୍ତୁ। ବେଶୀ ଚଲାବୁଲା କରିବା, ଦୌଡ଼ିବା, ସାଇକେଲ ଚଳାଇବା ମୁଖ୍ୟତଃ ନାଚିବା ବା ଡିଆଁକୁଦା କରିବା ଗୁପ୍ତାଙ୍ଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର କାରଣ ହୋଇପାରେ। ପରେ ଗର୍ଭଧାରଣ ସମୟରେ ଏହାର ବହୁତ ଖରାପ ପ୍ରଭାବ ପଡ଼େ।
ପିରିୟଡସ୍ ବା ଋତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ସମାଜରେ କେତେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେବାକୁ ସଙ୍କୋଚ ମନେ କରୁଛନ୍ତି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।
Tags: #LetsTalkPeriods #PeriodFriendlyWorld #BreaktheTaboo #MHDay2024