ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭଦ୍ରକରେ ବିଜେଡି ହାଟ୍ରିକ ଜିତିସାରିଥିବା ବେଳେ ପୁଣି ଥରେ ବାଜିମାତ କରିବା ଲକ୍ଷ୍ୟରେ ଅଛି। ବିଜେଡିର ଭେଟେରାନ ନେତା ପ୍ରଫୁଲ୍ଲ ସାମଲଙ୍କ ଲଢ଼େଇ ଏଥର କଂଗ୍ରେସ ଓ ବିଜେପିର ଦୁଇ ଯୁବନେତାଙ୍କ ସହ ହେବ। ଭଦ୍ରକ ଓ ଭଣ୍ଡାରିପୋଖରୀ ଆସନରୁ ବହୁବାର ବିଧାୟକ ନିର୍ବାଚିତ ପ୍ରଫୁଲ୍ଲ ଏଥର ବି ସହଜରେ ପାର୍ ହୋଇଯିବା ଆଶାରେ ଥିବାବେଳେ କଂଗ୍ରେସ ଓ ବିଜେପି ନେତା ବାଜି ପଲଟାଇବାର ସମ୍ଭାବନା ମଧ୍ୟ ରହିଛି।

ପୁଣି ଭଦ୍ରକ ଫେରିଲେ ପ୍ରଫୁଲ୍ଲ

ଭଣ୍ଡାରିପୋଖରୀ ଆସନରୁ ହାଟ୍ରିକ ବିଜୟ ଲାଭ କରିଥିବା ପ୍ରଫୁଲ୍ଲ ସାମଲଙ୍କୁ ଏଥର ବିଜେଡି ଏଠାରୁ ରିପିଟ୍ କରିନାହିଁ। ଏହା ସହିତ ଅସନ୍ତୁଷ୍ଟ ମଧ୍ୟ କରିବାକୁ ଚାହିଁନାହିଁ। ନିର୍ବାଚନ ଜିତିବାରେ ପ୍ରଫୁଲ୍ଲ ସାମଲଙ୍କର ଅଭିଜ୍ଞତାରେ ଉଣାନାହିଁ। ନିର୍ବାଚନ ପରିଚାଳନାରେ ମଧ୍ୟ ସେ ମାହିର। ଏହା ସହିତ ଏକାଧିକ ଥର ମନ୍ତ୍ରୀ ହୋଇଥିବାରୁ ତାଙ୍କର ଲୋକପ୍ରିୟତା ରହିଛି। କିନ୍ତୁ ଏଥର ନିର୍ବାଚନ ତାଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ରାଜନୀତି ପଣ୍ଡିତଙ୍କ ମତ।

ରାଜନୀତି ସମୀକ୍ଷକଙ୍କ କହିବା କଥା ଜିଲ୍ଲାରେ ବିଜେପିର ଶକ୍ତି ବୃଦ୍ଧି ହୋଇଛି। କଂଗ୍ରେସ ଗତ ନିର୍ବାଚନ ତୁଳନାରେ ଟାଣୁଆ ପ୍ରାର୍ଥୀ ଦେଇଥିବା ଦାବି କରୁଛି। କିନ୍ତୁ ଏସବୁ ଭେଦ କରିବାର ଦକ୍ଷତା ଥିବାରୁ ପ୍ରଫୁଲ୍ଲଙ୍କ ପାଇଁ ନିର୍ବାଚନ କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ। କିନ୍ତୁ ନିଜେ ପ୍ରଫୁଲ୍ଲ ଏଠାରୁ କେତେ ସହଜ ଅନୁଭବ କରୁଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଞ୍ଜୀବଙ୍କ ସଂଗଠନ ପ୍ରପୁଲ୍ଲଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ ନକଲେ ଖେଳ ପଲଟିଯିବାର ଆଶଙ୍କା ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି।

ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ଏଥର ବିଜେଡିରେ ସାମିଲ ହୋଇଛନ୍ତି। ଏହା ସହିତ ଭଦ୍ରକ ମ୍ୟୁନିସିପାଲିଟି ଚେୟାରମ୍ୟାନ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ତେଣୁ ବିଜେଡିର ସଂଗଠନ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ଦଳର ନେତାମାନେ କହିଛନ୍ତି।

ହାରିବା ପରେ ଭଦ୍ରକ ଛାଡ଼ିଥିଲେ

ଭଦ୍ରକରୁ ପ୍ରଫୁଲ୍ଲ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏକାଧିକ ଥର ଭଦ୍ରକରୁ ଜିତିବାର ଅଭିଜ୍ଞତା ଥିବାରୁ ତାଙ୍କୁ ଭଦ୍ରକ ପଠାଇଛି ଦଳ। ୧୯୮୦ରୁ କଂଗ୍ରେସ (ୟୁ)ରୁ ବିଧାନସଭା ପାଇଁ ନିର୍ବାଚନ ଲଢ଼ି ହାରିଯାଇଥିଲେ ପ୍ରଫୁଲ୍ଲ। ଏହା ପରେ ୧୯୯୦, ୧୯୯୫ରେ ଜନତା ଦଳ ଟିକଟରେ ଜିତିଥିଲେ। କିନ୍ତୁ  ୨୦୦୦ରେ ବିଜେଡିରୁ ପ୍ରଥମ ଥର ପ୍ରାର୍ଥୀ ହୋଇ ହାରିଯାଇଥିଲେ। କଂଗ୍ରେସ ବିଧାୟକ ବୀରେନ ପଲେଇଙ୍କ ପରଲୋକ ପରେ ଏଠାରେ ୨୦୦୧ରେ ଉପନିର୍ବାଚନ ହୋଇଥିଲା। ପ୍ରଫୁଲ୍ଲ ଏଠାରୁ ବିଜେଡି ଟିକଟରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୪ ନିର୍ବାଚନରେ ସେ ଆଉ ଜିତି ପାରିନଥିଲେ। ବୀରେନଙ୍କ ଭାଇ ନରେନ ବାଜି ମାରି ନେଇଥିଲେ।

ଅସିତଙ୍କ ଭରସାରେ କଂଗ୍ରେସ

ଦିନ ଥିଲା ଭଦ୍ରକ କଂଗ୍ରେସର ଗଡ଼ ଥିଲା। ଏଠାରୁ ଯୁଗଳ ପଟ୍ଟନାୟକ କଂଗ୍ରେସ ଛାଡ଼ିବା ପରେ ଆଉ କଂଗ୍ରେସ ଜିତିନାହିଁ। କିନ୍ତୁ ଗତ ନିର୍ବାଚନରେ ଯୁଗଳଙ୍କୁ ଆଉ ପ୍ରାର୍ଥୀ କରିନଥିଲା ଦଳ। ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ତଥା ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ ଟିକଟ ଆଶାୟୀ ଥିଲେ। ଏଥର ସେ ବିଜେଡି ଛାଡ଼ି କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ତୁରନ୍ତ ଟିକଟ ଦେଇଛି। ସେ ବିଜେଡିରେ ଥିବା ବେଳେ ନିଜର ଏକ ସମାନ୍ତରାଳ ସଂଗଠନ କରିଥିଲେ। ଯେଉଁଥିପାଇଁ ପୌର ନିର୍ବାଚନରେ ବିଜେଡିକୁ ଅଡୁଆ ମଧ୍ୟ ହୋଇଥିଲା।

ନିଜ ସଂଗଠନ, ବାପାଙ୍କ ସମର୍ଥକ ଓ କଂଗ୍ରେସର ବଳ ଉପରେ ଖୁବ୍ ଭରସା କରିଛନ୍ତି ଅସିତ। ତାଙ୍କର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନଥିଲେ ମଧ୍ୟ ନିର୍ବାଚନ ପରିଚାଳନା କରିବାର ଅଭିଜ୍ଞତା ରହିଛି। ଏହା ତାଙ୍କୁ ସହଯୋଗ କରିବ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି। କିନ୍ତୁ ଗତଥର ବିଜେପି ଏଠାରେ ଦ୍ଵିତୀୟ ଆସନକୁ ଉଠିଯାଇଥିଲା ଏବଂ କଂଗ୍ରେସ କମ୍ ଭୋଟ୍ ପାଇଥିବାରୁ ଏ ନିର୍ବାଚନ ସହଜ ହେବ ନାହିଁ ବୋଲି କିଛି ରାଜନୀତି ସମୀକ୍ଷକଙ୍କ ମତ।

ବିଜେପି ଭୋଟ୍ ବ୍ୟାଙ୍କ ରଖିପାରିବେ କି ସୀତାଂଶୁ?

୨୦୧୪ରେ ବିଜେପିର ପ୍ରାର୍ଥୀ ହୋଇଥିଲେ ଡାକ୍ତର ପ୍ରଦୀପ ନାୟକ। ପ୍ରଥମ ଲଢ଼େଇରେ ସେତେ ଭଲ କରିନଥିଲେ ମଧ୍ୟ ୨୦୧୯ରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ପ୍ରଦୀପ ନାୟକ। ଚଳିତ ଥର କିନ୍ତୁ ସେ ବିଜେପି ଛାଡ଼ି ବିଜେଡିରେ। ଏଥର ଯୁବ ଉଦ୍ୟୋଗୀ ସୀତାଂଶୁ ଶେଖର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗତ ଥର  ବିଜେପି ଖାତାକୁ ଯାଇଥିବା ଭୋଟ୍‌କୁ ସେ ସୁରକ୍ଷିତ ରଖିପାରିବେ କି ନାହିଁ ସେ ନେଇ ସନ୍ଦେହ ରହିଥିବା ରାଜନୀତି ସମୀକ୍ଷକ କହିଛନ୍ତି। କିନ୍ତୁ ଗତ ନିର୍ବାଚନ ତୁଳନାରେ ଭଦ୍ରକରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବାରୁ ତାଙ୍କ ପାଇଁ ମଧ୍ୟ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ଦଳ ଅନ୍ୟ ଦଳରୁ ନେତା ଓ ସମର୍ଥକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଜେପି ସପକ୍ଷରେ ମଧ୍ୟ ଗତ ନିର୍ବାଚନ ତୁଳନାରେ ଚର୍ଚ୍ଚା ବଢ଼ିଛି। କଂଗ୍ରେସ ଜଣେ ଟାଣୁଆ ଯୁବନେତାଙ୍କୁ ପ୍ରାର୍ଥୀ କରିଛି। ଏସବୁ ସମୀକରଣକୁ ଦେଖିଲେ ତ୍ରିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚୂଡ଼ାନ୍ତ ଫଳାଫଳ ପାଇଁ ଶେଷ ଦୁଇ ୩ ରାଉଣ୍ଡ ଗଣତି ଯାଏଁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିପାରେ।

ବିଜେଡି ସପକ୍ଷରେ ପରିସଂଖ୍ୟାନ

୨୦୦୯ରେ ବିଜେଡି ପ୍ରାର୍ଥୀ ଯୁଗଳ ପଟ୍ଟନାୟକ ୭୫,୨୯୪ ଭୋଟ୍, କଂଗ୍ରେସ ପ୍ରାର୍ଥୀ ନରେନ ପଲେଇ ୫୩,୮୬୬ ଓ ବିଜେପି ପ୍ରାର୍ଥୀ ତୁଷାରକାନ୍ତି ଜେନା ୭,୭୫୫ ଭୋଟ୍ ପାଇଥିଲେ। ୨୦୧୪ରେ ଯୁଗଳ ୮୦,୫୮୨, କଂଗ୍ରେସ ପ୍ରାର୍ଥୀ ନରେନ ପଲେଇ ୫୬,୪୯୫ ଓ ବିଜେପି  ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକ ୧୯,୩୮୪ ଭୋଟ୍ ପାଇଥିଲେ। ୨୦୧୯ରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ୯୩,୬୬୮, ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକ ୬୦,୨୭୯ ଓ କଂଗ୍ରେସ ପ୍ରାର୍ଥୀ ନଳିନୀ ମହାନ୍ତି ୨୨,୬୩୦ ଭୋଟ୍ ପାଇଥିଲେ।

ଗତ ୩ ନିର୍ବାଚନର ପରିସଂଖ୍ୟାନକୁ ଦେଖିଲେ ବିଜେଡି ତା’ର ଭୋଟ୍ ପରିମାଣ କ୍ରମାଗତ ଭାବେ ବଢ଼ାଇ ଚାଲିଛି। ବିଜେପିର ମଧ୍ୟ ଭୋଟ୍ ବଢ଼ିଛି। କିନ୍ତୁ କଂଗ୍ରେସ ନିଜ ପୁରୁଣା ଆସନରେ ଅଧାରୁ ଅଧିକ ଭୋଟ୍ ହରାଇସାରିଛି। ତେବେ ଦେଖିବାକୁ ବିକି ରହିଲା ବିଜେଡି, ବିଜେପି ନା କଂଗ୍ରେସ, କାହାକୁ ମିଳିବ ଭୋଟରଙ୍କ ସମର୍ଥନ।

Tags: #Politics #OdishaPolitic #BJD #BJP #Congress #Bhadrak #OdishaAssemblyElections2024 #Odisha

LEAVE A REPLY

Please enter your comment!
Please enter your name here