ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ନିଜର ଜାମିନ ଅବଧି ବଢ଼ାଇବା ପାଇଁ ସେ କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହା ଉପରେ ଅନ୍ୟ କୌଣସି ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନରେ ଥିବା ଅରବିନ୍ଦ କେଜ୍ରିୱାଲ ଏହାର ଅବଧିକୁ ଆଉ ୭ ଦିନ ବଢ଼ାଇବାକୁ ଚାହୁଁଥିଲେ। ଏନେଇ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଆବେଦନ ଖାରଜ କରିବାସହ ତାଙ୍କୁ ଜୁନ୍ ୨ ତାରିଖରେ ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମେ’ ୧୦ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଜାମିନ ଅବଧି ମଧ୍ୟରେ କେଜ୍ରିୱାଲଙ୍କୁ ଦିଲ୍ଲୀ ବିଧାନସଭା ଓ ସଚିବାଳୟ ଯିବାକୁ ବାରଣ କରାଯାଇଥିଲା।
ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।
Tags: #ArvindKejriwal #CMofDelhi #LiquorScam #SupremeCourt #ED #NewDelhi


















