ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତ ସାଧାରଣ ନିର୍ବାଚନରେ ବିଜେପି କବ୍‌ଜାରେ ଥିଲା ବାଲେଶ୍ଵର ବିଧାନସଭା ନିର୍ବାଚନମଣ୍ଡଳୀ। କିନ୍ତୁ ଉପ ନିର୍ବାଚନରେ ପୁଣି ଛଡ଼ାଇ ନେଇଥିଲା ବିଜେଡି। ଉପନିର୍ବାଚନରେ ବିଜେଡି ଓ ବିଜେପିର ପ୍ରାର୍ଥୀ ଏଥର ବି ଲଢୁଛନ୍ତି। କେବଳ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ଏଥର ପୁଣି ଥରେ ବିଜେଡି ଏହି ଆସନକୁ ନିଜ ଅଧୀନରେ ରଖିବାକୁ ଚେଷ୍ଟା ଚଳାଇଥିବା ବେଳେ ବିଜେପି ମଧ୍ୟ ପ୍ରାଣମୁର୍ଛା ଉଦ୍ୟମ ଚଳାଇଛି।

ପୁଣି ସ୍ଵରୂପଙ୍କ ଉପରେ ବିଜେଡିର ଭରସା

ବାଲେଶ୍ଵର ବିଧାନସଭା ଆସନ ଲାଗି ବିଜେଡି ଏଥର ବି ସ୍ଵରୂପ ଦାସଙ୍କୁ ପ୍ରାର୍ଥୀ କରିଛି। ବାଲେଶ୍ଵର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତ ପରେ ବାଲେଶ୍ଵର ପୁଣି ଏକ ନିର୍ବାଚନର ସାମ୍ନା କରିଥିଲା। ଉପ ନିର୍ବାଚନରେ ବିଜେପି ସପକ୍ଷରେ ସାମ୍ଭାବ୍ୟ ଅନୁକମ୍ପାକୁ ପ୍ରତିଫଳିତ ହେବାରେ ରୋକିପାରିଥିଲେ ସ୍ଵରୂପ। ଅବଶ୍ୟ ବିଜେଡିର ଆଞ୍ଚଳିକ ଓ ରାଜ୍ୟ ସଂଗଠନ ଦିନରାତି ଏକ୍ କରିଦେଇଥିଲା।

ଏଥର ବାଲେଶ୍ଵର ଜିଲ୍ଲାରେ ଏକାଧିକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ କିଛି ମାତ୍ରାରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହାର ପ୍ରଭାବ ବାଲେଶ୍ଵରରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି। କିନ୍ତୁ ବିଜେଡି ଅନ୍ୟ ଦଳର ନେତାଙ୍କୁ ବିଜେଡିରେ ମିଶାଇ ଏହାର ମୁକାବିଲା କରିବାକୁ ରଣନୀତି କରିଛି। ଗତ ଉପନିର୍ବାଚନରେ ମଧ୍ୟ ସମାନ ରଣନୀତି କରିଥିଲା ବିଜେଡି।

ବିଜେପି ଖାତାକୁ ପୁଣି ଫେରିବ କି ବାଲେଶ୍ଵର?

ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସ୍ଵର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ। ସେ ଗତ ଉପନିର୍ବାଚନରେ ମଧ୍ୟ ଲଢ଼ିଥିଲେ। ବାପା ପାଇଥିବା ଭୋଟ୍‌କୁ ଉଣା ଅଧିକେ ସୁରକ୍ଷିତ କରିପାରିଥିଲେ ମଧ୍ୟ ବାପାଙ୍କ ଅକାଳ ବିୟୋଗର ଅନୁକମ୍ପା ତାଙ୍କ ସପକ୍ଷରେ ଯାଇନଥିଲା। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ବିଜେଡିକୁ ଫାଇଦା ଦେଇଥିଲା। ଏଥର କିନ୍ତୁ ମାନସ ପ୍ରଥମରୁ ହିଁ ନିର୍ବାଚନ ପ୍ରସ୍ତୁତି ଚଳାଇ ଆସିଛନ୍ତି।

ବୁଥ୍‌ ସ୍ତରରୁ ଭୋଟ ବ୍ୟାଙ୍କକୁ ବ୍ୟବସ୍ଥିତ ରଖିବା ପାଇଁ ମାନସ ଉଦ୍ୟମ ଚଳାଇ ଆସିଛନ୍ତି। ଏହା ସହିତ ବାପାଙ୍କ ସମର୍ଥକ ଏବଂ  ବିଜେପିର ସଂଗଠନ ତାଙ୍କୁ ଭୋଟ୍ ଗଣତିର ଶେଷ ପର୍ଯ୍ୟନ୍ତ ଆଶାବାଦୀ ରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏକାଧିକ ବାର ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବିଜେପି ସମର୍ଥକଙ୍କୁ ଏକଜୁଟ୍ କରିବା ସହ ମାନସଙ୍କ ସପକ୍ଷରେ ଜନମତ ବୃଦ୍ଧି କରିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

ସ୍ଥିତି ରକ୍ଷା ପାଇଁ କଂଗ୍ରେସର ସଂଘର୍ଷ

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ତୃତୀୟସ୍ଥାନରେ ରହିଥିଲେ ମଧ୍ୟ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ସମ୍ମାନଜନକ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଉପନିର୍ବାଚନରେ ସେ ପ୍ରାର୍ଥୀ ହୋଇନଥିଲେ। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ କଂଗ୍ରେସର ଭୋଟ୍‌ ବ୍ୟାଙ୍କକୁ ସୁରକ୍ଷିତ ରଖିପାରିନଥିଲେ। ବରଂ ୧୬ ହଜାରରୁ ଅଧିକ ଭୋଟ୍ ହରାଇଥିଲେ, ଯାହା ବିଜେଡି ପ୍ରାର୍ଥୀଙ୍କୁ ଜିତିବାରେ ସହାୟକ ହୋଇଥିଲା। ଏଥର କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମୋନାଲିସା ଲେଙ୍କା। ସେ ଉଦ୍ୟମ କରୁଥିଲେ ମଧ୍ୟ ତାହା କଂଗ୍ରେସକୁ କେଉଁ ସ୍ଥାନରେ ରଖିବ ସେ ନେଇ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।

ବାଲେଶ୍ଵରରେ ପୂର୍ବରୁ ବିଜେପିର ସଂଗଠନ ରହିଛି। ମେଣ୍ଟ ଥିବାବେଳେ ବିଜେପି ଥରେ ଏଠାରୁ ଜିତିଥିଲା। କିନ୍ତୁ ପର ନିର୍ବାଚନରେ ଅର୍ଥାତ ୨୦୦୪ରେ ଏଠାରୁ ବିଜେପି ହାରିଯାଇଥିଲା। ବିଜେଡି ଏଠାରେ ୨୦୦୯ ପରଠାରୁ ଲଢ଼ି ଆସୁଛି। ୨୦୦୯ ଓ ୨୦୧୪ ଲଗାତର ଦୁଇ ଥର ଜିତିଥିଲେ ମଧ୍ୟ ୨୦୧୯ରେ ହାରିଯାଇଥିଲା ଦଳ। ତେବେ ୨୦୨୦ ଉପ ନିର୍ବାଚନରେ ପୁଣି ବିଜେଡି ବାଲେଶ୍ଵରକୁ ନିଜ କବ୍‌ଜାକୁ ନେଇଥିଲା। ତେଣୁ ୨୦୨୪ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି ଚର୍ଚ୍ଚା ହେଉଛି।

Tags: #Politics #OdishaPolitic #BJD #BJP #Congress #Baleswar #OdishaAssemblyElections2024 #Odisha

LEAVE A REPLY

Please enter your comment!
Please enter your name here