ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୨୪ ନିର୍ବାଚନରେ ଓଡ଼ିଶାକୁ ନେଇ ଆସିଥିବା ସବୁ ଏକଜିଟ୍ ପୋଲ୍ ଏକ ପ୍ରକାର ଭୁଲ ପ୍ରମାଣିତ ହୋଇଛି। କାରଣ ଦୀର୍ଘ ୨୪ ବର୍ଷର ବିଜେଡି ଶାସନକୁ ମାତ୍ କରି ବିଜେପି ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କୌଣସି ପୋଲ୍ରେ ସ୍ପଷ୍ଟ ହୋଇନଥିଲା।
ବିଜୁ ଜନତା ଦଳ ଏଥର ବିଧାନସଭାରେ ୧୧୫ ପର୍ଯ୍ୟନ୍ତ ଆସନ ଜିତିବ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ଦାବି କରିଥିଲା। କିନ୍ତୁ ରାଜ୍ୟରେ ଫଳାଫଳ ସମ୍ପୂର୍ଣ୍ଣ ଓଲଟି ଯାଇଛି।
ଓଡ଼ିଶାର ଏକ ଟେଲିଭିଜନ୍ ଚ୍ୟାନେଲ୍ ବିଜେଡିକୁ ୧୧୭ ଆସନ ମିଳିବ ବୋଲି ପୂର୍ବାନୁମାନ କରିଥିଲା। ଏହି ଟିଭି ଚ୍ୟାନେଲ୍ ବିଜେପିକୁ ମାତ୍ର ୧୧ଟି ସିଟ୍ ଦେଇଥିଲା। ସେହିପରି ଗୋଟିଏ ଖବରକାଗଜ ବିଜେଡିକୁ ୯୦ରୁ ଅଧିକ ସିଟ୍ ଆସିବ ବୋଲି ଅନୁମାନ ଲଗାଇଥିଲା।
ଜାତୀୟସ୍ତରର ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥା ଏବଂ ଟେଲିଭିଜନ୍ ଚ୍ୟାନେଲ୍ ଏକଜିଟ୍ ପୋଲ୍ ବାବଦରେ ଭିନ୍ନ ଭିନ୍ନ ଆକଳନ କରିଥିଲେ। ଅଧିକାଂଶ ସଂସ୍ଥା ବିଜେଡିକୁ ୮୦ରୁ ଅଧିକ ସିଟ୍ ଦେଇଥିବା ବେଳେ ଦଳ ପୁଣିଥରେ ସରକାର ଗଢ଼ିବ ବୋଲି କହିଥିଲେ। ତେବେ ଗୋଟିଏ ସଂସ୍ଥା ଉଭୟ ବିଜେଡି ଓ ବିଜେପିକୁ ପ୍ରାୟ ସମାନ ସମାନ ସିଟ୍ ମିଳିପାରେ ବୋଲି ଅନୁମାନ କରିଥିଲା।
ଏଥର ଓଡ଼ିଶାରେ ବିଜେପିର ଏପରି ସୁନାମି ଆସିବ ବୋଲି କୌଣସି ଏକଜିଟ୍ ପୋଲ୍ ଅନ୍ଦାଜ ଲଗାଇ ପାରିନଥିଲେ। ଏପରିକି ଉଭୟ ବିଜେଡି ଓ ବିଜେପି ମଧ୍ୟ ଏ ବାବଦରେ ହୁଏତ ଅନୁମାନ କରିପାରିନଥିଲେ।
ଓଡ଼ିଶାରେ ନବୀନ ସରକାରଙ୍କ ୨୪ ବର୍ଷର ଶାସନର ଶେଷ ହୋଇ ବିଜେପି ସରକାର ଗଠନ ହେବାକୁ ଯାଉଛି। ଏହା କେବଳ ଓଡ଼ିଶା ନୁହେଁ ସାରା ଭାରତ ଲାଗି ଆଜି ଏକ ଚମକିଲା ଭଳି ଖବର ହୋଇଛି। କିନ୍ତୁ ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ, ଆଜି ତାହା ପ୍ରମାଣିତ ହୋଇଛି।
Tags: #OdishaElections2024 #CountingUpdates #Elections2024 #IndiaVotes #OdishaAssembly2024 #CountingNews