ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଟକ ଜିଲ୍ଲାରେ ଏଥର ବିଜେଡି ବିଜେପିଠାରୁ କଡ଼ା ମୁକାବିଲାର ଶିକାର ହେଉଛି। ବାଙ୍କୀ, ଚୌଦ୍ୱାର – କଟକ ଏବଂ ସାଲେପୁର – ଏହି ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ନିଜର ସ୍ଥିତି ବଜାୟ ରଖିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ଆସନଗୁଡ଼ିକରେ ମୁଖ୍ୟତଃ ପଛୁଆ ରହିଛି।
ଉପକୂଳ ଜିଲ୍ଲାଗୁଡ଼ିକ ଭିତରେ କଟକ ବିଜେଡିର ଗଡ଼ ଭାବେ ପରିଚିତ ଥିଲା। ଗତ ନିର୍ବାଚନରେ କେବଳ ବାରବାଟୀ କଟକ ଆସନକୁ ଛାଡ଼ିଦେଲେ ଜିଲ୍ଲାର ଅନ୍ୟ ୮ଟି ଆସନରେ ବିଜେଡି ବିଜୟୀ ହୋଇଥିଲା। କିନ୍ତୁ ୨୦୨୪ରେ ସେହି ଚିତ୍ର ପୂରାପୂରି ବଦଳିଯାଇଛି।
ବାଙ୍କୀରେ ଦେବୀରଞ୍ଜନ ଜିତିଲେ
ବାଙ୍କୀ ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ବିଜେଡିର ଯୁବ ନେତା ଦେବୀରଞ୍ଜନ ତ୍ରିପାଠୀ। ପ୍ରଭାତ ତ୍ରିପାଠୀଙ୍କର ପୁଅ ଦେବୀ ୨୦୧୯ ନିର୍ବାଚନରେ ପ୍ରଥମେ ଟିକେଟ୍ ପାଇଥିଲେ। ଏଥର ସେ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ହରାଇ ୧୬ ହଜାର ୮୬୪ ଭୋଟ୍ରେ ବିଜୟୀ ହୋଇଛନ୍ତି।
ଦେବୀରଞ୍ଜନଙ୍କୁ ମୋଟ ୬୮ ହଜାର ୭୫୨ ଭୋଟ୍ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତୁଷାରକାନ୍ତ ୫୧ ହଜାର ୮୮୮ ଭୋଟ ପାଇଥିବା ବେଳେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ୪୨ ହଜାର ୫୪୪ ଭୋଟ୍ ପାଇଛନ୍ତି।
ଆଠଗଡ଼ରେ କଡ଼ା ଟକ୍କର
ଆଠଗଡ଼ରେ ବିଜେଡି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେପିଠାରୁ କଡ଼ା ମୁକାବିଲାର ଶିକାର ହୋଇଛନ୍ତି। ସେଠାରେ ୯ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ସେ ବିଜେପି ପ୍ରାର୍ଥୀଙ୍କଠାରୁ ମାତ୍ର ୬୨ ଭୋଟ୍ ବ୍ୟବଧାନରେ ପଛୁଆ ଅଛନ୍ତି।
ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକ ଏପର୍ଯ୍ୟନ୍ତ ୪୧ହଜାର ୭୦୫ ଭୋଟ୍ ପାଇଛନ୍ତି। ରାଜା ସ୍ୱାଇଁଙ୍କୁ ୪୧ ହଜାର ୬୪୩ ଭୋଟ୍ ମିଳିଛି। ସେଠାରେ ଆହୁରି ୧୦ ରାଉଣ୍ଡ୍ ଭୋଟ୍ ଗଣତି ବାକି ରହିଛି।
ବଡ଼ମ୍ବାରେ ଦେବୀ ମିଶ୍ର ପଛୁଆ
ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ୨୦୨୪ ନିର୍ବାଚନରେ ପଛରେ ପଡ଼ି ଯାଇଛନ୍ତି। ୧୧ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ସେ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କଠାରୁ ୩ ହଜାର ୬୫୯ ଭୋଟ୍ରେ ପଛୁଆ ରହିଛନ୍ତି।
ବଡ଼ମ୍ବାରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳିଛି। ଦେବୀ ମିଶ୍ରଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା।
ବଡ଼ମ୍ବା ଆସନରେ ଏଥର ଲଢ଼ୁଥିବା ବିଜେପିର ସମ୍ବିତ ତ୍ରିପାଠୀ ତୃତୀୟ ସ୍ଥାନରେ ରହିଛନ୍ତି। ଆଗୁଆ ଅବସର ନେଇଥିବା ପ୍ରଶାସନିକ ଅଧିକାର ସମ୍ବିତ ୧୧ ରାଉଣ୍ଡ ସୁଦ୍ଧା ୧୬ ହଜାର ୧୨୧ ଭୋଟ୍ ପାଇଛନ୍ତି।
ବାଙ୍କୀ ଆସନରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ବିଜୟୀ
କଟକ ଜିଲ୍ଲାର ବିଧାନସଭା ନିର୍ବାଚନମଣ୍ଡଳୀ ଭିତରେ ବିଜେଡିକୁ ଏବେ ବେଶ୍ ଝଟ୍କା ଲାଗିଛି। ଜିଲ୍ଲାର ବାଙ୍କୀ ଆସନରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟ ହୋଇଥିବା ବେଳେ କଟକ ସଦରରେ ଦଳୀୟ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ପରାଜୟ ସ୍ୱୀକାର କରିଛନ୍ତି।
କଟକ ସଦର ଆସନରେ ଚନ୍ଦ୍ରସାରଥିଙ୍କୁ ବିଜେପିର ପ୍ରତାପଚନ୍ଦ୍ର ସେଠୀ ପରାଜିତ କରିଛନ୍ତି। ଚନ୍ଦ୍ରସାରଥି କଟକ ରାଜନୀତିରେ ଦଳ ପାଇଁ ଜଣେ ଛାମୁଆ ନେତା ଥିଲେ।
ପଛରେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ୍
ନିଆଳି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ୍ ୧୦ ରାଉଣ୍ଡ ଗଣତି ସୁଦ୍ଧା ପଛରେ ଅଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଛବି ମଲ୍ଲିକ ପ୍ରମୋଦଙ୍କଠାରୁ ୧୩୨୩ ଭୋଟ୍ରେ ଆଗୁଆ ରହିଛନ୍ତି।
ଚୌଦ୍ୱାର କଟକରେ ସୌଭିକ୍ ବିଶ୍ୱାଳ ଆଗୁଆ
ଚୌଦ୍ୱାର କଟକ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୌଭିକ୍ ବିଶ୍ୱାଳ ଆଗୁଆ ରହିଛନ୍ତି। ୮ ରାଉଣ୍ଡ ଗଣତି ସୁଦ୍ଧା ତାଙ୍କୁ ୨୯ ହଜାର ୧୦୨ ଭୋଟ୍ ପାଇଛନ୍ତି। ବରିଷ୍ଠ ବିଜେପି ନେତା ନୟନକିଶୋର ମହାନ୍ତି ସୌଭିକଙ୍କଠାରୁ ୬ ହଜାରରୁ ଅଧିକ ଭୋଟରେ ପଛୁଆ ଅଛନ୍ତି। ସେହିପରି ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ୧୬ ରାଉଣ୍ଡ ସୁଦ୍ଧା ୫୭ ହଜାର ୩୯୦ ଭୋଟ୍ ପାଇଛନ୍ତି।
ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ଆଗରେ
ସାଲେପୁରରେ ବିଜେପି ପ୍ରାର୍ଥୀ ଅଭିନେତା ଅରିନ୍ଦମ୍ ରାୟ ପଛରେ ପଡ଼ିଯାଇଛନ୍ତି। ସେ ବିଜେଡିର ପ୍ରଶାନ୍ତ ବେହେରାଙ୍କଠାରୁ ୬ହଜାରରୁ ଅଧିକ ଭୋଟ୍ରେ ପଛୁଆ ଅଛନ୍ତି।
ଆଗରେ ବାରବାଟୀ କଟକ କଂଗ୍ରେସ ପ୍ରାର୍ଥୀ ସୋଫିଆ
ବାରବାଟୀ କଟକ ନିର୍ବାଚନମଣ୍ଡଳୀ ଗତ ଥର କଂଗ୍ରେସ୍ ହାତରେ ଥିଲା। କଂଗ୍ରେସ ନେତା ମହମ୍ମଦ ମୁକିମ୍ ସେଠାରୁ ନିର୍ବାଚିତ ହୋଇଥିଲେ। ଚଳିତ ଭୋଟ୍ରେ ତାଙ୍କ ଝିଅ ସୋଫିଆ ଫିରଦୋସ୍ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ୁଛନ୍ତି।
୧୨ ରାଉଣ୍ଡ ସୁଦ୍ଧା ସୋଫିଆ ୩୭ ହଜାର ୪୫ ଭୋଟ୍ ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କଠାରୁ ୭ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଅଛନ୍ତି। ଏହି ଆସନରେ ବିଜେଡିର ପ୍ରକାଶଚନ୍ଦ୍ର ବେହେରା ତୃତୀୟ ସ୍ଥାନରେ ରହିଛନ୍ତି।
ମାହାଙ୍ଗାରେ ବିଜେଡି ପ୍ରାର୍ଥୀ ଅଙ୍କିତ ପଛରେ
ଚଳିତ ନିର୍ବାଚନରେ ମାହାଙ୍ଗା ରାଜନୀତି ଏଥର ବେଶ୍ ରୋଚକ ହୋଇଛି। ଏଠାରେ ବିଜେଡିର ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଦଳ ଏଥର ଟିକେଟ ଦେଇଥିଲା। ୧୫ ରାଉଣ୍ଡ ଶେଷ ସୁଦ୍ଧା ଅଙ୍କିତ ୯୭୭ ଭୋଟ୍ରେ ପଛୁଆ ଅଛନ୍ତି।
ମାହାଙ୍ଗାରେ ସ୍ୱାଧୀନ ପ୍ରାର୍ଥୀ ସାରଦାପ୍ରସାଦ ପଧାନ ଏପର୍ଯ୍ୟନ୍ତ ୪୮ ହଜାର ୯୧୬ ଭୋଟ୍ ପାଇଛନ୍ତି। ସେତେବେଳେ ଅଙ୍କିତଙ୍କୁ ମିଳିଛି ୪୭ ହଜାର ୯୩୯।
Tags: #OdishaElections2024 #CountingUpdates #Elections2024 #IndiaVotes #CuttackLoksabha #OdishaAssembly2024 #CountingNews