ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାନସଭା ନିର୍ବାଚନ ୨୦୨୪ରେ ଓଡ଼ିଶା ଦେଖିଲା ବଡ଼ ପରିବର୍ତ୍ତନ। ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ପ୍ରଥମ ଥର ଲାଗି ଚାଖିଲା ପରାଜୟର ସ୍ଵାଦ। ରାଜ୍ୟରେ ନୂଆ ସରକାର ଗଢ଼ିବାକୁ ଯାଉଛି ବିଜେପି।

ତେବେ ବିଜେପି କେମିତି ଜିତିଲା? ଏ ପ୍ରଶ୍ନଠାରୁ ବଡ଼ ପ୍ରଶ୍ନ ପାଲଟିଛି କାହିଁକି ବିଜେଡି ହାରିଲା। ରାଜନୈତିକ ବିଶେଷଜ୍ଞ ଓ ଗବେଷକଙ୍କ ସାମ୍ଭାବ୍ୟ କାରଣ ଖୋଜିବାକୁ ବ୍ୟସ୍ତ ରହିଥିବାବେଳେ ପରାଜୟର ଅନେକ କାରଣକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏ ପରାଜୟର ବୋଝ କିଏ ନେବ; ନିଜେ ନବୀନ ନା ରାଜନୈତିକ ଆକାଂକ୍ଷା ପାଇଁ ଭାରତୀୟ ପ୍ରଶାସନିକ ସେବା ଛାଡ଼ିବା ସହ ନିଜ ନାଁ ବି ବଦଳାଇଥିବା କାର୍ତ୍ତିକ ପାଣ୍ଡିଆନ। ବ୍ୟକ୍ତିଗତ ରାଜନୈତିକ ନିରାପତ୍ତା ପାଇଁ ନିରବ ରହିଥିବା ବରିଷ୍ଠ ନେତାମାନେ ବି ଏ ପ୍ରଶ୍ନରୁ ମୁକ୍ତ ହୋଇପାରିବେ ନାହିଁ।

ସତକୁ ଅଣଦେଖା ଓ ଆତ୍ମସନ୍ତୋଷ

ପରାଜୟର ସ୍ଵାଦ କେମିତି; ଏହାକୁ କେବେ ବି ଚାଖି ନ ଥିବା ବିଜେଡିକୁ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ଭୂମିକମ୍ପ, ସୁନାମୀ, ମହାବାତ୍ୟାଠାରୁ ବି ଅଧିକ ଝଟକା ଦେଇଛି। ସତକୁ ଅଣଦେଖା ଓ ଅସୀମିତ ଆତ୍ମସନ୍ତୋଷ ବିଜେଡି ପାଇଁ ପରାଜୟର ସବୁଠାରୁ ବଡ଼ କାରଣ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ଗୋଟିଏ ସରକାର ଲଗାତର ୫ ଥର ଶାସନ କରିବା ପରେ ତୃଣମୂଳସ୍ତରରେ ଧୀରେଧୀରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଆକଳନ ନ କରିବା କିମ୍ବା ମିଳିଥିବା ରିପୋର୍ଟକୁ ପୂରା ଅଣଦେଖା କରିବା। ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ସମ୍ପୂର୍ଣ୍ଣ ବିଜୟ ବିଜେଡିକୁ ଅତ୍ୟଧିକ ଆତ୍ମସନ୍ତୋଷ ଦେଇଥିଲା। ବିଜେଡି ଏଥିରେ ଭଳିଯାଇ ନିଜର ଦୁର୍ବଳତାକୁ ପୂରା ଅଣଦେଖା କରିଦେଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ପାଣ୍ଡିଆନଙ୍କୁ ଗ୍ରହଣ କଲେନି ଜନତା

ରାଜନୈତିକ ଉଚ୍ଚାକାଂକ୍ଷା ପାଇଁ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇ ରାଜନୀତିରେ ଲମ୍ଫ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ହେଲେ ଏହାକୁ ତୃଣମୂଳସ୍ତରରେ ଲୋକେ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି। ଧୀରେ ଧୀରେ ବିଜେଡି ପ୍ରତି ବିଭିନ୍ନ ବର୍ଗର ଭୋଟରଙ୍କ ବଦଳୁଥିବା ଆଭିମୁଖ୍ୟକୁ ନବୀନଙ୍କ ପାଖରେ କେହି ପହଞ୍ଚାଇ ପାରି ନ ଥିଲେ କିମ୍ବା ପହଞ୍ଚାଇ ନ ଥିଲେ। ଯେଉଁଥିପାଇଁ ଲଗାତର ଜିତିଆସୁଥିବା ନବୀନଙ୍କୁ କଣ୍ଟାବାଞ୍ଜିରେ ପରାଜୟ ବି ଦେଖିବାକୁ ମିଳିଲା ବୋଲି କୁହାଯାଉଛି।

ନବୀନଙ୍କୁ ଭଲ ପାଉଥିବା ଲୋକମାନେ ପାଣ୍ଡିଆନଙ୍କୁ ସେହି ଭଲପାଇବା ଦେଇ ନଥିବା ଦେଖିବାକୁ ମିଳିଛି। କାର୍ତ୍ତିକେୟନରୁ କାର୍ତ୍ତିକର ରୂପାନ୍ତରଣ ବି ଭୋଟରଙ୍କୁ ଆକ଼ୃଷ୍ଟ କରିପାରିଲାନାହିଁ। ଅସ୍ମିତାର ପ୍ରସଙ୍ଗ ଉଠିଲା। ବିଜେପି ଏହାକୁ ଅତି ସୁନ୍ଦର ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହେଲା। ପାଣ୍ଡିଆନ ମଧ୍ୟ ଜଣେ ଅଭିଜ୍ଞ ରାଜନେତା ଓ ୬ ମାସର ରାଜନେତା ମଧ୍ୟରେ ଥିବା ଫରକକୁ ଆକଳନ କରିପାରିଲେ ନାହିଁ। ଯାହାର ଫଳ ବିଜେଡିକୁ ଭୟଙ୍କର ଭାବେ ଭୋଗିବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି।

ନବୀନଙ୍କ ସଫେଇ ବି କାମ ଦେଲାନି

୩ ପର୍ଯ୍ୟାୟ ମତଦାନ ପରେ ନବୀନଙ୍କୁ ବାଧ୍ୟକଲା କହିବା ପାଇଁ ଯେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି। ଓଡ଼ିଆ ଲୋକ ବୋହୂକୁ ଯେତିକି ଗ୍ରହଣ କରନ୍ତି, ଜ୍ଵାଇଁଙ୍କୁ ସେତିକି ଗ୍ରହଣ କରନ୍ତି ନାହିଁ। ପାଣ୍ଡିଆନ ନବୀନଙ୍କ ଉତ୍ତରାଧିକାରୀ ବୋଲି ବିଜେପି ଭୋଟରଙ୍କ ମନରେ ଭରିବାରେ ସଫଳ ହେଉଥିବା ଦେଖି ବିଜେଡି ସୁପ୍ରିମୋ ଏହାକୁ ବଦଳାଇବାକୁ ଚେଷ୍ଟା କରିଥିଲେ। ନବୀନଙ୍କ ସଫେଇ ସେତିକି ସ୍ଵଚ୍ଛ ବୋଲି ଭୋଟରମାନେ ବିଶ୍ଵାସ କରିପାରିଲେନାହିଁ। ଦଳର ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଭୋଟରଙ୍କର ଏ ଦ୍ଵନ୍ଦ୍ଵକୁ ଆଦୌ ଦୂର କରିପାରିଲେ ନାହିଁ। ଏ ପ୍ରସଙ୍ଗ ବିଜେଡିକୁ ସାଂଘାତିକ କ୍ଷତିଗ୍ରସ୍ତ କରୁଥିବା ରିପୋର୍ଟ ଥିଲେ ମଧ୍ୟ ବିଜେଡି ଏହାକୁ ଆଦୌ ଗୁରୁତ୍ଵ ନ ଦେବା ଭୋଟ୍‌ରେ ପ୍ରତିଫଳିତ ହୋଇଛି।

ବିଜେଡି ନେତାଙ୍କ ନିରବତା

ଗୋଟିଏ ଦଳରେ ଆଭ୍ୟନ୍ତରୀଣ କ୍ଷମତା ବିକେନ୍ଦ୍ରୀକରଣ ହେବା କଥା। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ତାହା ବିଜେଡିରେ ହେଲାନାହିଁ। ନିଜର ରାଜନୈତିକ ସୁରକ୍ଷା ପାଇଁ ବିଜେଡିର ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ନୂଆନେତାମାନେ ମଧ୍ୟ ଏହାକୁ ନେଇ ଚୁପ୍ ରହିଲେ। ବିରୋଧାଭାସକୁ ଗ୍ରହଣ କରି ସେହି ଅନୁସାରେ କାମ କଲେ ଗୋଟେ ମିଶନ ଫଳପ୍ରଦ ହୋଇଥାଏ। କିନ୍ତୁ ବିରୋଧ କଲେ ପରାଭବ ଭୋଗିବାର ଭୟ ଘାରିବାରୁ ବିଜେଡି ନେତାମାନେ ନିରବ ରହିଲେ। ଏଥିରେ ସେମାନଙ୍କ ଚେହାର ମଳିନ ହେଲା। ଭୋଟରଙ୍କ ଆଗରେ ନେତାମାନେ ଆଉ ନେତା ହୋଇ ରହିଲେ ନାହିଁ। ତେଣୁ ଅନେକ ବରିଷ୍ଠ ନେତା ରାଜନୀତିର ନବାଗତଙ୍କ ଠାରୁ ବି ହାରିଯିବାର ଦେଖିବାକୁ ମିଳିଲା।

ନିର୍ବାଚନ ପରିଚାଳନାରେ ଅନଭିଜ୍ଞ ନେତା

ବିଜେଡିରେ ବହୁ ବରିଷ୍ଠ ନେତା ଥିଲେ। କିନ୍ତୁ ସେମାନଙ୍କୁ ନିର୍ବାଚନ ପରିଚାଳନାର ଦାୟିତ୍ଵ ମିଳିଲାନାହିଁ। ଭୋଟରଙ୍କ ସମ୍ମୁଖରେ ପ୍ରାର୍ଥୀଙ୍କ ଅପେକ୍ଷା ଅନ୍ୟମାନଙ୍କ ଚେହେରା ପ୍ରଦର୍ଶିତ ହେଲା। ଗୋଟେ ନିର୍ବାଚନର ପରିଚାଳନା କଦାପି ଜଣଙ୍କ କାନ୍ଧରେ ରହିବା କଥା ନୁହେଁ।

ଗତ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବରିଷ୍ଠନେତାମାନଙ୍କୁ ଭିନ୍ନଭିନ୍ନ ନିର୍ବାଚନମଣ୍ଡଳୀର ଦାୟିତ୍ଵ ଦିଆଯାଇଥିଲା। କିନ୍ତୁ ଏଥର ସେହିନେତାମାନେ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ସୀମିତ ରହିଗଲେ। କେବେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନ ଥିବା ନେତାମାନେ ଦଳକୁ ନିର୍ବାଚନ ବୈତରଣୀ ପାର୍ କରାଇପାରିଲେ ନାହିଁ।

ଭିଡ଼ର ମାୟାରେ ଭାସିଗଲେ

ସଭାକୁ ଆସୁଥିବା ଲୋକମାନେ କ’ଣ ଚିନ୍ତା କରୁଛନ୍ତି। ଏ ଭିଡ଼ ଭୋଟରେ ପରିଣତ ହେବ କି ନାହିଁ; ତାହା ପାଣ୍ଡିଆନ ଓ ତାଙ୍କ ଟିମ୍ ବୁଝିପାରିଲେ ନାହିଁ ବୋଲି ଏବେ ଜନମାନସରେ ଆଲୋଚନା ହେଉଛି। ବିଜେଡି କେବଳ ଡିଜିଟାଲ ପ୍ରଚାରରେ ବ୍ୟସ୍ତ ରହିଥିଲା। ପାଣ୍ଡିଆନ ମଧ୍ୟ ନିଜକୁ ଦଳରେ ସର୍ବମାନ୍ୟ ନେତା ବୋଲି ଡିଜିଟାଲ ଫୋରମରେ ପ୍ରମାଣିତ କରିବାକୁ ଚେଷ୍ଟାରେ ରହିଥିବାର ଦେଖିବାକୁ ମିଳିଥିଲା। ସେ ଯାଉଥିବା ସଭାରେ ଆସୁଥିବା ଭିଡର ମତାମତ କଣ ତାହା ଜାଣିବା ପାଇଁ କୌଣସି ମେକାନିଜମ ରହିଲା ନାହିଁ। ଯାହାର ଫଳାଫଳ ନବୀନଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଲା ବୋଲି କୁହାଯାଉଛି।

ଶେଷରେ ବାଜି ମାରିଲା ବିଜେପି

ବିଜେଡି ହାରିଲା, ବିଜେପି ଜିତିଲା। ଆରମ୍ଭରୁ ହିଁ ଦଳ ନିର୍ବାଚନ ପ୍ରଚାରକୁ ୪ ଭାଗରେ ଭାଗ କରିଦେଇଥିଲା। ପ୍ରତି ଭାଗରେ ଏକାଧିକ ଅଭିଜ୍ଞ ନେତାଙ୍କୁ ଦାୟିତ୍ଵ ଦେଇଥିଲା ଦଳ। ସେମାନେ ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଲେ। ବିଜେଡି ବିରୋଧୀ ଅନ୍ତସ୍ରୋତକୁ ଏକାଠି କରି ଭୋଟ୍‌ରେ ପରିଣତ କରିବାକୁ ଚେଷ୍ଟା କରି ସଫଳ ହେଲେ ବୋଲି କୁହାଯାଉଛି।

ନରେନ୍ଦ୍ର ମୋଦୀ, ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ବାରମ୍ବାର ଆସି ଭୋଟରଙ୍କ ମନରେ ଶେଷ ଯାଏଁ ବିଜେପକୁ ବଞ୍ଚାଇ ରଖିବା ସହ ଶକ୍ତିଶାଳୀ ବିକଳ୍ପ ଭାବେ ପ୍ରତିଷ୍ଠିତ କରାଇବାରେ ସଫଳ ହେଲେ। କିଛି ଅପ୍ରତ୍ୟାଶିତ ଫଳ ବି ପାଇଲା ବିଜେପି। ମୋଟାମୋଟି ବିଜେପି ହିଁ ଏ ତ୍ରିମୁଖୀ ରେସ୍‌ରେ ଆଗରେ ରହି ଗେମ୍‌ ଫିନିସର ସାଜିଛି ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

Tags: #OdishaAssemblyElections2024 #BJD #ElectionResults #Politics #Odisha

LEAVE A REPLY

Please enter your comment!
Please enter your name here