ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ଫଳାଫଳର ରୋଚକ ଚିତ୍ର ସାମ୍ନାକୁ ଆସିଛି। ୨୪ ବର୍ଷ ହେଲା ବିଜୟୀ ହୋଇ ଆସୁଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏଥର ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏହାସହ ଦଳର ବର୍ଷ ବର୍ଷର ପ୍ରତିଷ୍ଠାକୁ ବଡ଼ କ୍ଷତି ପହଞ୍ଚିଛି।

ତେବେ ପୂର୍ବରୁ ବିଜେଡିର ବହୁ ହେଭିୱେଟ୍ ନେତା ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ଵପୂର୍ଣ୍ଣ ଆସନ ପାଇଆସୁଥିଲେ। ସଂଗଠନରେ ବି ସେମାନଙ୍କ ଗୁରୁତ୍ଵ ଥିଲା। ସେଥିପାଇଁ ବିଜେଡି ପୁଣି ସେମାନଙ୍କୁ ଟିକେଟ୍ ଦେଇଥିଲା। ହେଲେ ଏଥର ସେମାନଙ୍କଠାରୁ ମୁହଁ ଫେରାଇନେଲେ ଭୋଟର। ଦଳର ୧୦ ଜଣ ମନ୍ତ୍ରୀ ପରାଜୟର ସମ୍ମୁଖୀନ ହେଲେ। ଆଉ କେତେ ଜଣ ଅଳ୍ପକେ ରକ୍ଷା ପାଇବାରେ ସକ୍ଷମ ହୋଇଛନ୍ତି। 

ଆସ୍ଥା ହରାଇଲେ ଟୁକୁନି

ମନ୍ତ୍ରୀ ଥାଇ ନିର୍ବାଚନ ହାରିବା ଏତେ ସହଜ ନୁହେଁ। ତଥାପି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ରାଜ୍ୟରେ। ବିଜେଡିର ସବୁଠାରୁ ବଡ଼ ଭୋଟ୍ ବ୍ୟାଙ୍କ ଥିଲେ ମିଶନଶକ୍ତି ଅଧୀନରେ ଥିବା ଏସ୍ଏଚଜିର ମହିଳାମାନେ। ତଥାପି ଜଣେ ମହିଳା ମନ୍ତ୍ରୀ ହାରିଗଲେ। ବାଣିଜ୍ୟ ଓ ପରିବହନ ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ପାଇଥିଲେ ଟୁକୁନି ସାହୁ। କିନ୍ତୁ ଭୋଟରଙ୍କ ଆସ୍ଥା ଜିତିପାରିଲେ ନାହିଁ ଟୁକୁନି।

ସ୍ଵାମୀଙ୍କ ହତ୍ୟା ପରେ ୨୦୧୪ରେ ଟୁକୁନିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସେଥର ଭଲ ଭୋଟ୍ ବ୍ୟବଧାନରେ ଜିତିଥିଲେ। ୨୦୧୯ରେ ବି ଆସନ ବଜାୟ ରଖିଥିଲେ। କିନ୍ତୁ ଏଥର ଜଣେ ନବାଗତ ପ୍ରାର୍ଥୀ ନବୀନ ଜୈନଙ୍କ ଠାରୁ ବିପୁଳ ଭୋଟ୍ ବ୍ୟବଧାନରେ ହାରିଗଲେ। ଟୁକୁନିଙ୍କୁ ୮୦,୪୫୫ ଭୋଟ୍ ମିଳିଥିବା ବେଳେ ନବୀନ ୯୭,୮୫୪ ଭୋଟ୍ ପାଇ ବାଜିମାତ କରିଛନ୍ତି।

ଜଣେ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ସହ ପଡ଼ୋଶୀ ନିର୍ବାଚନମଣ୍ଡଳୀଗୁଡ଼ିକରେ ମଧ୍ୟ ଭୋଟ୍ ହାରକୁ ପ୍ରଭାବିତ କରିବାର କ୍ଷମତା ରଖିବା କଥା। କିନ୍ତୁ ଟୁକୁନିଙ୍କ ଜିଲ୍ଲା ବଲାଙ୍ଗିରରେ ବିଜେଡିକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। କେବଳ ବଲାଙ୍ଗିର ଆସନକୁ ଛାଡ଼ିଦେଲେ ବାକି ୫ ଆସନରେ ହାରିଛି ବିଜେଡି। ଏପରିକି ଏହି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପରାଜୟର ସମ୍ମୁଖୀନ ହୋଇଛନ୍ତି।

ଗଡ଼ ସମ୍ଭାଳିପାରିଲେନି ଅତନୁ

ଉଚ୍ଚଶିକ୍ଷା, ଖାଦ୍ୟ ସୁରକ୍ଷା ଓ ସମବାୟ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ପାଇଥିଲେ ଅତନୁ। ଦଳରେ ବି ତାଙ୍କର ବହୁତ ଗୁରୁତ୍ଵ ଥିଲା। ଏତେ କ୍ଷମତା ଥାଇ ସୁଦ୍ଧା ମହାକାଳପଡ଼ାର ନିଜ ଗଡ଼ରେ ବିଜେଡିର ଲୋକପ୍ରିୟତା ହରାଇଥିଲେ ଅତନୁ। ଭୋଟରଙ୍କୁ ମନାଇବାରେ ଅତନୁଙ୍କ ବିଫଳତା କେବଳ ତାଙ୍କ ଆସନ ଭିତରେ ସୀମିତ ରହିଲାନାହିଁ। ପୂରା ଜିଲ୍ଲାରେ ବିଜେଡି ଭୁଶୁଡ଼ିଗଲା। ବିଜେଡିର ସାଂସଦ ପ୍ରାର୍ଥୀ ମଧ୍ୟ ପରାସ୍ତ ହେଲେ।

ମହାକାଳପଡ଼ାରେ ଅତନୁଙ୍କୁ ୭୬,୧୨୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ୧,୦୯,୬୫୩ ଭୋଟ୍ ମିଳିଛି। ରାଜନୀତିରେ ଧୂରୀଣ, ନବୀନ ଓ ପାଣ୍ଡିଆନଙ୍କ ବ୍ଲୁଆଏଡ ବଏ ଅତନୁ ଭୋଟରଙ୍କ ଭଲପାଇବାରୁ ବଞ୍ଚିତ ହେଲେ। ଜଣେ ଟାଣୁଆ ନେତା ନା ନିଜ ପାଇଁ ନା ଦଳ; କାହା ପାଇଁ ଲାଭଦାୟକ ହୋଇପାରିଲେ ନାହିଁ।

ଫିକା ପଡ଼ିଗଲେ ପ୍ରଦୀପ

ବିଜେଡିର ଅନ୍ୟତମ ଟାଣୁଆ ନେତା ପ୍ରଦୀପ ଅମାତ। ସେ କେବେ ନିର୍ବାଚନ ହାରି ନ ଥିଲେ। ଏକାଧିକ ବାର ମନ୍ତ୍ରୀ ହୋଇଛନ୍ତି। ବାଚସ୍ପତି ଆସନ ବି ସମ୍ଭାଳିଛନ୍ତି। ଗତ ପାଳିରେ ନବୀନ ତାଙ୍କୁ ପଞ୍ଚାୟତିରାଜ, ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ଦେଇଥିଲେ। ତଥାପି ସେ ଲୋକଙ୍କ ନିକଟତର ହେବାରେ ବିଫଳ ହୋଇଥିବା ପ୍ରମାଣିତ ହୋଇଛି।

ତାଙ୍କ ଅଧୀନରେ ଥିବା ବିଭାଗଗୁଡ଼ିକ ସିଧାସଳଖ ଭାବେ ଭୋଟରଙ୍କ ସହ ଯୋଡ଼ି ହୋଇ ରହିବା ଭଳି ବିଭାଗ। ତଥାପି ସେ ବୌଦ୍ଧରେ ବହୁତ କମ ଅଭିଜ୍ଞତା ଥିବା ଜଣେ ନେତାଙ୍କଠାରୁ ହାରିଗଲେ। ଖାଲି ସେତିକି ନୁହେଁ ତାଙ୍କର ପ୍ରଦର୍ଶନ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମଧ୍ୟ ସାଂଘାତିକ ଭାବେ ପ୍ରଭାବ ପକାଇଛି। ଏଠାରେ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପରାଜୟ ପଛରେ ପ୍ରଦୀପଙ୍କ ନିଷ୍ପ୍ରଭ ପ୍ରଦର୍ଶନ ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି।

ପ୍ରଦୀପ ଅମାତ ୫୯,୭୨୯ ଭୋଟ୍ ପାଇଥିବା ବେଳେ ବିଜୟୀ ବିଜେପି ବିଧାୟକ ସରୋଜ ପ୍ରଧାନ ୬୨,୪୯୪ ଭୋଟ୍ ପାଇଛନ୍ତି। କିନ୍ତୁ ତାଙ୍କୁ ଦଳ ଦେଇଥିବା କ୍ଷମତା ଓ ସରକାରରେ ତାଙ୍କର ବଡ଼ ପ୍ରଭାବ ଭୋଟରଙ୍କ ଆଗରେ ପ୍ରଭାବଶୂନ୍ୟ ହୋଇଯିବା ପ୍ରଦୀପଙ୍କ ପାଇଁ ଆତ୍ମ ସମୀକ୍ଷାର ବିଷୟ।

ପ୍ରୀତିଙ୍କୁ ପସନ୍ଦ କଲେନି ଭୋଟର

ପ୍ରୀତି ରଞ୍ଜନ ଘଡ଼ାଇ, ନିଜେ ଟାଣୁଆ ନେତା ଓ ଜଣେ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ବାପା ପ୍ରଫୁଲ୍ଲ ଘଡ଼େଇଙ୍କର ମଧ୍ୟ ଦବଦବା ରହିଛି। ତଥାପି ହାରିଗଲେ ପ୍ରୀତିରଞ୍ଜନ। ସୁକିନ୍ଦାରେ ବିପୁଳ ଭୋଟ୍ ବ୍ୟବଧାନ ତାଙ୍କ ଲୋକପ୍ରିୟତା ହ୍ରାସକୁ ପ୍ରମାଣିତ କରୁଛି। ଏହା ସହିତ ଯାଜପୁରରେ ବିଜେଡିର ନେତୃତ୍ଵ ନେବାକୁ କେହି ନ ଥିବା ବେଳେ ଏହାର ପ୍ରଭାବ ମଧ୍ୟ ଜିଲ୍ଲାର ବିଭିନ୍ନ ଆସନରେ ସାଂଘାତିକ ଭାବେ ପଡ଼ିଛି। ପ୍ରୀତିରଞ୍ଜନଙ୍କୁ ୭୭,୧୫୬ ଭୋଟ୍ ମିଳିଥିବା ବେଳେ ବିଜେପି ବିଧାୟକ ପ୍ରଦୀପ ଲାଲ୍ ସାମନ୍ତଙ୍କୁ ୮୬,୭୩୩ ଭୋଟ୍ ମିଳିଛି।

ମଉଳିଗଲେ ପ୍ରଫୁଲ୍ଲ

ଢେଙ୍କାନାଳ ଜିଲ୍ଲାର ଟାଣୁଆ ନେତା ପ୍ରଫୁଲ୍ଲ ମଲ୍ଲିକ। ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ଭଳି ବଡ଼ ବଡ଼ ବିଭାଗ ତାଙ୍କ ଅଧୀନରେ ଥିଲା। ସଂଗଠନରେ ବି ସେ ପ୍ରଭାବଶାଳୀ ଥିଲେ। ତେଣୁ ତାଙ୍କୁ ଦଳ ପୁଣି ଟିକେଟ ଦେଇଥିଲା। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା କମୁଥିବା ନେଇ ବିଜେଡି ଶୀର୍ଷ ନେତୃତ୍ଵ ଆକଳନ କରି ନ ଥିଲେ କିମ୍ବା ନିର୍ବାଚନରେ ସେସବୁକୁ ସୁଧାରି ଦେବାର ଅତ୍ୟଧିକ ଆତ୍ମବିଶ୍ଵାସ ରଖିଥିଲେ। ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ବିପୁଳ ଭୋଟ୍ରେ ପରାଜିତ ହୋଇଛନ୍ତି। କାମାକ୍ଷାନଗରରେ ଏଥର ସେ ୭୯,୪୮୭ ଭୋଟ୍ ପାଇଥିବା ବେଳେ ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ତଥା ବିଜେପି ନେତା ଶତ୍ରୁଘ୍ନ ଜେନା ୮୪,୫୮୯ ଭୋଟ୍ ପାଇଛନ୍ତି।

ରହିଲାନି ବିକ୍ରମଙ୍କ ପରାକ୍ରମ

ବିଜେଡିର ଜଣେ ପରାକ୍ରମୀ ନେତା ଥିଲେ ବିକ୍ରମ କେଶରୀ ଆରୁଖ। ବିଜେଡିର ପ୍ରାୟ ସବୁ ପାଳିରେ ସେ ମନ୍ତ୍ରୀ ହୋଇଛନ୍ତି। ନବୀନଙ୍କ ପାଖକୁ ଯାଇପାରୁଥିବା କିଛି ନେତାଙ୍କ ମଧ୍ୟରେ ସେ ଅନ୍ୟତମ। ନବୀନଙ୍କ ଆଶୀର୍ବାଦ ଥିଲା ମଧ୍ୟ ତାଙ୍କଠାରେ ଥିଲା। ତଥାପି ସେ ବିରୋଧୀଙ୍କ ଆଗରେ ଦୁର୍ବଳ ହୋଇଗଲେ।

ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଦାୟିତ୍ଵ ତାଙ୍କ ଉପରେ ଥିଲା କିନ୍ତୁ ସେ ତାହା ସମ୍ଭାଳିପାରିଲେନି ବରଂ ନିଜେ ବି ହାରିଗଲେ। ବିଜେପି ସୁନାମୀ ଆଗରେ ସେ ଶକ୍ତିହୀନ ହୋଇଗଲେ। ଭଞ୍ଜନଗରରେ ତାଙ୍କୁ ୬୭,୯୪୮ ଭୋଟ୍ ମିଳିଥିବା ବେଳେ ବିଜୟୀ ବିଜେପି ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କୁ ୮୩,୮୨୨ ଭୋଟ ମିଳିଛି।

ବିଫଳ ହେଲେ ଜଗନ୍ନାଥ ସାରକା

ଅବିଭିକ୍ତ କୋରାପୁଟର ଜଣେ ଟାଣୁଆ ନେତା ଜଗନ୍ନାଥ ସାରକା। ଆଇନ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତଥାପି ସେ ଭୋଟରଙ୍କ ମୁଡ୍ ବୁଝିବାରେ ବିଫଳ ହେଲେ। ବିଷମକଟକ ବିଜେଡିର ଏକ ନିରାପଦ ଆସନ ହୋଇଥିବା ସତ୍ତ୍ଵେ ତାହା ବିରୋଧୀଙ୍କ ଖାତାକୁ ଚାଲିଗଲା। ଏଠାରୁ ଜଗନ୍ନାଥ ୫୯,୦୪୩ ଭୋଟ୍ ପାଇଥିବା ବେଳେ କଂଗ୍ରେସର ନୀଳମାଧବ ହିକ୍କା ୬୮,୪୪୫ ଭୋଟ୍ ପାଇଛନ୍ତି।

ହାରିଗଲେ ଅଶୋକ

ଅଶୋକ ପଣ୍ଡା ଆରମ୍ଭରୁ କେବେ ବି ହାରି ନ ଥିଲେ। ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ରାଜନୀତିକୁ ଆଣିଥିଲେ। ସେ ଦୁଇ ପାଳିରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଭୁବନେଶ୍ଵରରେ ଅନେକ ବିକାଶମୂଳକ କାମ ମଧ୍ୟ ହୋଇଥିଲା। ଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାମ ମଧ୍ୟ ଭୋଟରଙ୍କୁ ପ୍ରଭାବିତ କରିନାହିଁ। ଏକଦା ବିଜେଡିରେ ତାଙ୍କର ସହଯୋଗୀ ଥିବା ବାବୁ ସିଂ ଏଥର ତାଙ୍କୁ ହରାଇଛନ୍ତି। ବାବୁ ସିଂ ୭୪,୮୮୪ ଭୋଟ୍ ମିଳିଥିବା ବେଳେ ଅଶୋକ ପାଇଛନ୍ତି ୬୯,୮୬୧ ଊୋଟ୍। କିନ୍ତୁ ନିର୍ବାଚନ ପରିଚାଳନାରେ ସେ ଦଳର ଆଶା ପୂରଣ କରିପାରିନାହାନ୍ତି।

ବାସନ୍ତୀଙ୍କୁ ମିଳିଲାନି ସମର୍ଥନ

ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପୂର୍ବତନ ବିଧାୟିକା ବାସନ୍ତୀ ହେମ୍ବ୍ରମ। ମିଶନ ଶକ୍ତି ବିଭାଗ ତାଙ୍କ ଅଧୀନରେ ଥିଲା। କିନ୍ତୁ ସେ ମହିଳାଙ୍କ ଭୋଟ୍ ପାଇବାରେ ବିଫଳ ହୋଇଛନ୍ତି। ଏସ୍ଏଚଜି  ମହିଳା ବିଜେଡିର ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିଲେ ମଧ୍ୟ କାହିଁକି ବିଜେପିକୁ ସମର୍ଥନ ମିଳିଲାନି ତାହା ଏକ ବଡ଼ ପ୍ରଶ୍ନବାଚୀ। ଏଥର କରଞ୍ଜିଆରେ ବିଜେପିର ପଦ୍ମଚରଣ ହାଇବୁରୁଙ୍କୁ ୬୫,୩୫୭ ଭୋଟ୍ ମିଳିଥିବାବେଳେ ବାସନ୍ତୀଙ୍କୁ ମିଳିଛି ମାତ୍ର ୩୫,୮୫୮ ଭୋଟ୍।

ସୁଦାମ ମାର୍ଣ୍ଡି ବି ହାରିଲେ

ଦୀର୍ଘ ଦିନ ହେଲା ରାଜନୀତି କରିଆସୁଥିଲେ ସୁଦାମ ମାର୍ଣ୍ଡି। ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ରାଜସ୍ଵ ବିଭାଗ ଥିଲା ତାଙ୍କ ପାଖରେ। ଏହା ସହିତ ନିଜେ ଜେଏମ୍ଏମରେ ଥିବାବେଳେ ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। କିନ୍ତୁ ମୟୂରଭଞ୍ଜରେ ଏମିତି ବାଜି ପଲଟିଲା ଯେ ସେ ତ ସାଂସଦ ହୋଇପାରିଲେନି ତାଙ୍କ ପତ୍ନୀଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ଜିତାଇ ପାରିଲେ ନାହିଁ। 

ଅଳ୍ପକେ ବର୍ତ୍ତିଗଲେ ଅଶ୍ଵିନୀ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ ଅଶ୍ଵିନୀ। ସେ ଜିତିଛନ୍ତି କିନ୍ତୁ ବହୁତ କମ୍ ଭୋଟ୍ରେ। ଟିକେ ଗଣିତ ଏପଟ ସେପଟ ହୋଇଥିଲେ ସେ ପୂର୍ବତନ ବିଧାୟକ ହୋଇଯାଇଥାନ୍ତେ। ସେ ମାତ୍ର ୩୧୯ ଖଣ୍ଡ ଭୋଟରେ ଜିତିଛନ୍ତି। ଏ ବିଜୟ ତାଙ୍କୁ ଆଶ୍ଵସ୍ତ କରିଥିଲେ ମଧ୍ୟ ଗଣତି ଶେଷ ହେବା ପର୍ଯ୍ୟନ୍ତ ସେ ଆତଙ୍କିତ ଅବସ୍ଥାରେ ରହିଥିବେ। ରାଜନୀତି ସମୀକ୍ଷକଙ୍କ ମତରେ ଏ ବିଜୟ ତାଙ୍କ ପାଇଁ ଆଦୌ ଆତ୍ମସନ୍ତୋଷର ଅବସର ଦେବନାହିଁ।

Tags: #OdishaAssemblyElections2024 #BJD #Politics #OdishaPolitics #Odisha

LEAVE A REPLY

Please enter your comment!
Please enter your name here