ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ପୁଣି ଫେରିଛି ତାତି। ଅସହ୍ୟ ଗରମରେ ଜଳୁଛି ସାରା ଓଡ଼ିଶା। ଜୁନ ୧୪ ତାରିଖ ଯାଏଁ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ପରିସ୍ଥିର ମୁକାବିଲା କରିବା ପାଇଁ ସତର୍କ ରହିବାକୁ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା।

ଏହି ସମୟ ମଧ୍ୟରେ ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଶ୍ରମିକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ କୁହାଯିବା ସହ ବାହାରକୁ ଯିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ରହିଛି। ହାଲୁକା ପୋଷାକ ପରିଧାନ, ସାଙ୍ଗରେ ପାଣି ବୋତଲ, ଛତା, ଟୋପି, ଓଦା ଗାମୁଛା ଆଦି ବାହାରକୁ ଯିବା ସମୟରେ ସାଙ୍ଗରେ ନେଇ ଯିବାକୁ ପରାମର୍ଶ ରହିଛି।

ଜୁନ ୧୧ ତାରିଖରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଜଗପତି, ଝାରସୁଗୁଡ଼ା, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଜୁନ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Tags: #Weather #WeatherUpdate #WeatherNews #SRC #Heatwave #HotWeather #Odisha #MeteorologicalCentre

Comment