ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ରଜ ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି।

ତିନି ଦିନିଆ ରଜ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟଗୁଡ଼ିକରେ ସ୍ୱତନ୍ତ୍ର ପିଠା, ମିଠା ଏବଂ ସୁସ୍ୱାଦୁ ଖାଦ୍ୟ ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳିର ବ୍ୟବସ୍ଥା କରାଯାଇଛି। ଏହି ପର୍ବ ଅବସରରେ  ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ବୁଲିବାକୁ ଆସୁଥିବା ମହିଳାଙ୍କ ହାତରେ ମାଗଣାରେ ମେହେନ୍ଦୀ କରିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି।

ରଜ ପିଠା ଏବଂ ମିଠା ବିକ୍ରି ପାଇଁ ୩ଟି ‘ପିଠା ଅନ୍ ହୁଇଲ’ ଭ୍ୟାନର ଶୁଭାରମ୍ଭ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ, କିଟ୍ ସ୍କୋୟାର ଏବଂ ଆଇଟିଆର- ଖଣ୍ଡଗିରିରେ ସକାଳ ୮ ଟାରୁ ଦିନ ୧୨ଟା ଏବଂ ଅପରାହ୍ଣ ୪ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପିଠା ଅନ୍ ହୁଲ ଭ୍ୟାନରେ ପିଠା ଓ ମିଠା ବିକ୍ରି ପାଇଁ ଉପଲବ୍ଧ ରହିବ।

ଜୁନ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସିଲଭରସିଟି ବୋଟକ୍ଲବ୍, ଆଇଏସବିଟି କାଫେ ଏବଂ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତୋରାଁରେ ସର୍ବସାଧାରଣଙ୍କ ବିକ୍ରୟ ପାଇଁ ରଜ ପିଠା କାଉଣ୍ଟର ସ୍ଥାପନ କରାଯିବ।

ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ ମ୍ୟାନେଜର ଡକ୍ଟର ଲଲାଟେନ୍ଦୁ ସାହୁ, ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Festival #Raja #PahiliRaja #Celebration #RajaMahotsav2024 #Panthanivas #Bhubaneswar #odisha

LEAVE A REPLY

Please enter your comment!
Please enter your name here