ଓଡ଼ିଶାଲାଇଭ୍ ବ୍ୟୁରୋ

ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ଉନ୍ମୋଚିତ ହୋଇଥିବା ଡାଇଭର୍ସିଟି ଲିଷ୍ଟ-୨୦୨୪ରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ତଥା ଶିକ୍ଷାବିତ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କୁ ଅନ୍ତର୍ଭୁକ୍ତ କରି ସମ୍ମାନିତ କରାଯାଇଛି। ଏକ ବିଶେଷ କାର୍ଯ୍ୟକ୍ରମରେ ଫାଉଣ୍ଡେସନ ପକ୍ଷରୁ ଏହି ବିବିଧତା ତାଲିକାର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ହଂକଂ ଏସଏଆରର ମୁଖ୍ୟ ସଚିବ ଏରିକ୍ ଚାନ୍ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଜୁବିନ୍ ଫାଉଣ୍ଡେସନର ଏହି ବିବିଧତା ତାଲିକା ହଂକଂର ସାମାଜିକ ବିକାଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ। ଏହାସହ ସେମାନେ ହଂକଂ ସଂସ୍କୃତିରେ କରିଥିବା ଯୋଗଦାନ ବିଷୟରେ ତାଲିକାରେ ଉଲ୍ଲେଖ ହୋଇଥାଏ।

୨୦୨୪ରେ ଫାଉଣ୍ଡେସନ୍ ପକ୍ଷରୁ ବିବିଧତା ତାଲିକା ପାଇଁ ୭୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୨୪ ଜଣଙ୍କୁ ଚୟନ କରାଯାଇଥିଲା। ଏହି ମୂଲ୍ୟାୟନରେ ପୃଷ୍ଠଭୂମିର ଯାଞ୍ଚ, ବ୍ୟକ୍ତିଙ୍କ ବାୟୋଡାଟାର ପରୀକ୍ଷା ଏବଂ ଏକ ପ୍ରତିଷ୍ଠିତ ଚୟନ ପ୍ୟାନେଲ ଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ସାକ୍ଷାତକାର ଅନ୍ତର୍ଭୁକ୍ତ ରହିଥିଲା।

ଡକ୍ଟର ଧନଦା କାନ୍ତ ମିଶ୍ର ୨୦୧୭ ମସିହାରେ ହଂକଂ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ (ଏଚକେୟୁଏସଟି) ଭିଜିଟିଂ ରିସର୍ଚ୍ଚ ସ୍କଲାର ଭାବରେ ଆସିଥିଲେ। ସେ ସେବେଠାରୁ ହଂକଂର ଇଞ୍ଜିନିୟରିଂ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ଦେଶର ‘ରାସ୍ପେକ୍ଟ’ ଏଆଇ ଷ୍ଟାର୍ଟଅପରେ ଯୋଗ ଦେଇ ଡକ୍ଟର ଧନଦା କାନ୍ତ ମିଶ୍ର ନିର୍ମିତ ଭିତ୍ତିଭୂମିର ସ୍ୱୟଂଚାଳିତ ନିରାପତ୍ତା ଯାଞ୍ଚର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହାଦ୍ୱାରା ହଂକଂ ବାହାରେ ମଧ୍ୟ ଉକ୍ତ ଷ୍ଟାର୍ଟଅପ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ସୁନାମ ଆଣିବାରେ ସକ୍ଷମ ହୋଇଛି।

ଜୁବିନ୍ ଫାଉଣ୍ଡେସନ୍ ବିବିଧତା ତାଲିକା କମିଟିର ସଦସ୍ୟ ଥେରେସା କୁନନ ମନ୍ତବ୍ୟ ଦେଇ କହିଛନ୍ତି, “ଡକ୍ଟର ଧନଦା କାନ୍ତ ମିଶ୍ର ଇଞ୍ଜିନିୟରିଂ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍। ଉନ୍ନତ ନିର୍ମାଣ ସାମଗ୍ରୀ କ୍ଷେତ୍ରରେ ତାଙ୍କର ବ୍ୟାପକ ଗବେଷଣା ଶିଳ୍ପ ପ୍ରଯୁକ୍ତିବିଦ୍ୟାରେ ଉନ୍ନତ ଭିତ୍ତିଭୂମି ଏବଂ ଏହାର ସ୍ଥାୟୀତା ବାବଦରେ ବୁଝିବା ପାଇଁ ବହୁ ଅବଦାନ ଦେଇଛି। ତାଙ୍କର ଦକ୍ଷତା ହଂକଂର ସିଭିଲ ଇଞ୍ଜିନିୟରିଂ କ୍ଷେତ୍ରକୁ ବିକାଶ କରିବାରେ ପ୍ରଚୁର ସମ୍ଭାବନା ରଖିଛି।”

ବିବିଧତା ତାଲିକାରେ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କର ନାଁ ସାମିଲ ହେବା ପରେ ତାଙ୍କୁ ଜୁବିନ୍ ଫାଉଣ୍ଡେସନ୍ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

ଜୁବିନ୍ ଫାଉଣ୍ଡେସନ୍ ହେଉଛି ହଂକଂର ଏକ ପ୍ରସିଦ୍ଧ ଅନୁଷ୍ଠାନ ଯାହା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିକାଶ ପାଇଁ କାର୍ଯ୍ୟ କରିଥାଏ। ଏହା ବିଭିନ୍ନ କ୍ଷେତ୍ରରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଅନ୍ତର୍ଭୁକ୍ତୀକରଣ ପାଇଁ ସମର୍ଥନ କରେ ଏବଂ ସାମାଜିକ ଅସମାନତା ଦୂର କରିବା ଦିଗରେ ପ୍ରମୁଖ ଭୂମିକା ବହନ କରୁଛି।

ଫାଉଣ୍ଡେସନ୍ ପକ୍ଷରୁ ୨୦୧୬ ମସିହାରୁ ୨୦୨୦ ପର୍ଯ୍ୟନ୍ତ ବାହାରିଥିବା ୫ଟି ବିବିଧତା ତାଲିକାରେ ସମୁଦାୟ ୧୨୨ ଜଣ ବ୍ୟକ୍ତିଙ୍କୁ ସ୍ଥାନ ଦିଆଯାଇଛି। ଏହି ପଦକ୍ଷେପର ଫଳସ୍ୱରୂପ ଜାତିଗତ ସଂଖ୍ୟାଲଘୁମାନଙ୍କର ଏକ ବିବରଣୀ ପ୍ରସ୍ତୁତ ହୋଇଛି, ଯେଉଁମାନେ ହଂକଂ ସରକାରଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଅସାଧାରଣ ପ୍ରତିଭା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି।

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମୂଲ୍ୟବାନ ଦକ୍ଷତା ଏବଂ ଅବଦାନର ପ୍ରମାଣ ସ୍ୱରୂପ ସେମାନଙ୍କୁ ହଂକଂରେ ପ୍ରଶାସନିକ ସ୍ତରରେ ନିଯୁକ୍ତି ଦେବା ଉପରେ ବିଚାର କରିବା ଲାଗି ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ହଂକଂ ସରକାରଙ୍କୁ ଅନୁରୋଧ କରାଯାଇଛି।

Tags: #DrDhanadaKantaMishra #ZubinFoundation #DiversityList #HongKong

LEAVE A REPLY

Please enter your comment!
Please enter your name here