ଲକ୍ଷ୍ମୀନାରାୟଣ କାନୁନ୍ଗୋ
ମିଡିଆକୁ ନିରପେକ୍ଷ କରିବାକୁ ହେଲେ ପ୍ରଥମେ ଏହାର ମୂଳଧନ-ପାଣ୍ଠି ଠିକ ସ୍ରୋତରୁ ଆସିବା ଦରକାର। ତେବେ ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ତାଙ୍କର କୌଣସି ସ୍ୱାର୍ଥ ବା ଆଭିମୁଖ୍ୟ ରହିବ ନାହିଁ କେମିତି? ଏମିତି ଏକ ଗୋଲକଧନ୍ଦାର ସମାଧାନ କରିପାରିଛି ବେଙ୍ଗାଲୁରୁର “ଆଇପିଏସ୍ ମିଡିଆ ଫାଉଣ୍ଡେସନ୍”।
ଆସନ୍ତୁ ଦେଖିବା ଏହି ମଡେଲ କିଭଳି କାମ କରୁଛି। ୨୦୧୫ ମସିହାରେ ବେଙ୍ଗାଳୁରୁର କିଛି ଧନୀ ବ୍ୟବସାୟୀଙ୍କ ଦାନରେ ଆରମ୍ଭ ହୋଇଥିଲା ଏକ ଫାଉଣ୍ଡେସନ୍। ପ୍ରଥମେ ୧୦୦ କୋଟି ଟଙ୍କା ମୂଳଧନରେ ଗଢ଼ାଗଲା ଫାଉଣ୍ଡେସନ୍। ଆଇପିଏସ୍ଏମ୍ଏଫ୍ ବା “ଇଣ୍ଡିପେଣ୍ଡେଣ୍ଟ ଆଣ୍ଡ୍ ପବ୍ଲିକ୍ ସ୍ପିରିଟେଡ୍ ମିଡିଆ ଫାଉଣ୍ଡେସନ୍” ନାମରେ ଗଠିତ ଏହି ଫାଉଣ୍ଡେସନର ଲକ୍ଷ୍ୟ ଥିଲା ଭାରତରେ କିଛି ସ୍ୱାଧୀନ ଡିଜିଟାଲ ମିଡିଆ ଆଉଟଲେଟ ସୃଷ୍ଟି କରିବା। ଯାହାଦ୍ୱାରା ବିଭିନ୍ନ କାରଣରୁ ଚାପର ବଶବର୍ତ୍ତୀ ହେଉଥିବା ମୁଖ୍ୟସ୍ରୋତ ଗଣମାଧ୍ୟମକୁ ଏହା ଟକ୍କର ଦେଇପାରିବ।
ଲୋକଙ୍କ ପାଖରେ ସତ୍ୟ ଓ ତଥ୍ୟଭିତ୍ତିକ ଖବର ପହଞ୍ଚିବାରେ ବାଧା କମିପାରିବ। ଯେଉଁ ଡିଜିଟାଲ ମିଡିଆ ଆଉଟଲେଟଗୁଡ଼ିକ ଉପଯୁକ୍ତମାନ ରକ୍ଷା କରୁଥିବେ, ରିପୋର୍ଟିଂରେ ଅତ୍ୟଧିକ ଯତ୍ନଶୀଳ ଥିବେ ଓ ତୀକ୍ଷ୍ମ ବିଶ୍ଲେଷଣ କରିପାରୁଥିବେ ସେମାନଙ୍କୁ ଆବଶ୍ୟକ ପାଣ୍ଠି ବା ଟଙ୍କା ମିଳିବ। ତେବେ କେଉଁ ଡିଜିଟାଲ ମିଡିଆକୁ ଆର୍ଥିକ ଅନୁଦାନ ଦିଆଯିବ ତାହା ସ୍ଥିର କରିବ ଏକ ଟ୍ରଷ୍ଟବୋର୍ଡ। ମିଡିଆକୁ ନିରପେକ୍ଷ କରିବାକୁ ଚାହୁଁଥିବା ସେହି ଦାତାମାନଙ୍କର ଏଥିରେ କୌଣସି ଭୂମିକା ରହିବ ନାହିଁ। ଏଭଳି ଏକ ମଡେଲରେ ମିଡିଆ ପ୍ରତିଷ୍ଠା ପାଇଁ ଟଙ୍କାଦାନ କରୁଥିବା ବ୍ୟକ୍ତି/ବ୍ୟକ୍ତିସମୂହଙ୍କ ହସ୍ତକ୍ଷେପ କମିବ।
ଏହି ମଡେଲରେ “ଆଇପିଏସ୍ ମିଡିଆ ଫାଉଣ୍ଡେସନ୍’’ରୁ ଗତ ଆଠବର୍ଷରେ ଅନୁଦାନ ପାଇ ଭାରତରେ ଅନେକ ଭଲ ଡିଜିଟାଲ ମିଡିଆ ଆଉଟଲେଟ ସୃଷ୍ଟି ହୋଇଛି। ଏହି ଫାଉଣ୍ଡେସନରୁ ୨ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଥିବା ଡିଜିଟାଲ ମିଡିଆ ଭିତରେ ରହିଛନ୍ତି- ଦ ୱେୟାର, ଦ କାରାଭାନ୍, ଅଲଟ ନ୍ୟୁଜ, ଲାଇଭ ଲ, ଦ ପ୍ରିଣ୍ଟ, ନ୍ୟୁଜ ମିନିଟ୍, ବେଟର ଇଣ୍ଡିଆ, ସ୍ୱରାଜ୍ୟ, ମିଡିଆ ନାମା, ମୋଜୋଷ୍ଟୋରୀ, ଇମ୍ଫାଲ ଫ୍ରିପ୍ରେସ ଓ କଶ୍ମୀର ଅବଜର୍ଭର ଇତ୍ୟାଦି।
“ଆଇପିଏସ୍ ମିଡିଆ ଫାଉଣ୍ଡେସନ୍” ପ୍ରଥମେ ୧୦୦ କୋଟି ଚାନ୍ଦା ଦେଇଥିବା ବ୍ୟକ୍ତି କିମ୍ବା ସେମାନଙ୍କ ଫାଉଣ୍ଡେସନ୍ ଭିତରେ ଅଛନ୍ତି- ଅଜିମ ପ୍ରେମଜୀ ଫିଲାନଥ୍ରୋପିକ ଇନିସିଏଟିଭ୍ ପ୍ରାଇଭେଟ ଲିମିଟେଡ, ରୋହିଣୀ ନିଲକେନି ଫିଲାନଥ୍ରୋପିଜ୍, କିରଣ ମଜୁମଦାର ଶ’, ଶ୍ରୀନଟରାଜ ଟ୍ରଷ୍ଟ, ପିରାମଲଏର ପ୍ରାଇଜେସ ଲିମିଟେଡ, ମଣିପାଲ ଏଜୁକେସନ୍ ଆଣ୍ଡ୍ ମେଡିକାଲ ଗ୍ରୁପ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଇତ୍ୟାଦି।
ଏବେ ପ୍ରଶ୍ନ ଉଠିପାରେ କେବଳ ଟଙ୍କାର ସ୍ରୋତ ଠିକ ହୋଇଗଲେ, ସଂପାଦକୀୟତାରେ କ’ଣ ନିରପେକ୍ଷତା ଆସିଯିବ? ସଂପାଦକ କ’ଣ ଚାପର ବଶବର୍ତ୍ତୀ ହେବେ ନାହିଁ? ଏଥିପାଇଁ ମିଡିଆ ଆଉଟଲେଟରେ ବଡ଼ବଡ଼ ନିଷ୍ପତ୍ତି ନେବାକୁ ସଂପାଦକମଣ୍ଡଳୀ ରହିପାରିବେ। ଯେଉଁମାନଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଚାପ କମିବ।
୧୯୧୯ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପିତା ମୋତିଲାଲ ନେହରୁ “ଦ ଇଣ୍ଡିପେଣ୍ଡେଣ୍ଟ’ ଖବର କାଗଜ କାଢ଼ୁଥିଲେ। ଏହି ଖବର କାଗଜ କାଢ଼ିବାବେଳେ ମହାତ୍ମାଗାନ୍ଧୀ ଯେଉଁ ଚିଠି ଲେଖିଥିଲେ ଏବେ ବି ତାହାର ପ୍ରାସଙ୍ଗିକତା ରହିଛି।
ଗାନ୍ଧୀଜୀ ଲେଖିଥିଲେ- ‘ବର୍ତ୍ତମାନ ଖବରକାଗଜ ଗୁଡ଼ିକ ରାଜସ୍ୱ ପାଇଁ ଗ୍ରାହକ ଦେୟ ଅପେକ୍ଷା ବିଜ୍ଞାପନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଖବର କାଗଜ ମଦର କୁପ୍ରଭାବ ଉପରେ ଲେଖୁଛି, ସେହି ଖବରକାଗଜ ମଦର ପ୍ରଶଂସାରେ ବିଜ୍ଞାପନ ଦେଉଛି। ଏସବୁ ପରମ୍ପରା ପାଶ୍ଚାତ୍ୟରୁ ଆସିଛି। ଆମେ ଏହି ପରମ୍ପରା ବନ୍ଦ କରିବା ଉଚିତ କିମ୍ବା ଏଥିରେ ସଂସ୍କାର ଆଣିବା ଉଚିତ। ବିଜ୍ଞାପନରେ ଆମେ କିଛି ନିୟନ୍ତ୍ରଣ ଆଣିବା ଦରକାର। ଯେତେବେଳେ କେବଳ ଲାଭ ଉଦ୍ଦେଶ୍ୟରେ ମିଡିଆ ଚାଲିବ ସେତେବେଳେ ଭ୍ରଷ୍ଟାଚାର ବଢ଼ିବ।” ଏଥିରୁ ଜଣାପଡ଼ୁଛି, ଖବରକାଗଜ ବା ମିଡିଆ ଚଳାଇବା ପାଇଁ ଦୀର୍ଘକାଳୀନ ଭିତ୍ତିରେ ଅର୍ଥ ବା ପାଣ୍ଠି ଆବଶ୍ୟକ। ରାଜସ୍ୱ ଆସିବାର ମଡେଲ ଠିକ୍ ହୋଇନପାରିଲେ ଖବରକାଗଜ ବା ମିଡିଆ ସ୍ୱାଧୀନ ହୋଇ ରହିପାରିବନାହିଁ।
‘ଟାଇମ୍ସ ଅଫ୍ ଇଣ୍ଡିଆ’ର ମାଲିକ ସମୀର ଜୈନ ୨୦୧୨ରେ ଏକ ସାକ୍ଷାତକାରରେ କହିଥିଲେ- ‘ଆମେ ଖବର ନୁହେଁ, ବିଜ୍ଞାପନ ବ୍ୟବସାୟରେ ଅଛୁ।’ ସେତେବେଳେ ଜୈନଙ୍କ ଏହି ବୟାନ ବହୁ ବିତର୍କ ସୃଷ୍ଟି କରିଥିଲା। କିଛି ବର୍ଷ ହେଲା, ଟାଇମ୍ସ ଅଫ୍ ଇଣ୍ଡିଆ, ହିନ୍ଦୁ, ଇଣ୍ଡିଆନ ଏକ୍ସପ୍ରେସ ଭଳି ଅଧିକାଂଶ ଅଗ୍ରଣୀ ଖବରକାଗଜ ସେମାନଙ୍କର ଅନଲାଇନ ବା ଡିଜିଟାଲ ଖବର ପଢ଼ିବା ପାଇଁ ଗ୍ରାହକ ଦେୟକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଏମିତିକି କିଛି ସ୍ୱତନ୍ତ୍ର ଉପାଦେୟ ଲେଖା ପଢ଼ିବା ପାଇଁ ଅଧିକ ମୂଲ୍ୟ ବା ପ୍ରିମିୟମ ଫି ନେଉଛନ୍ତି। ତେବେ କୌଣସି କାରଣରୁ ଓଡ଼ିଆ ଭାଷାର ଖବରକାଗଜରେ ଏ ପର୍ଯ୍ୟନ୍ତ ସେଭଳି ହୋଇନାହିଁ।
‘ଇଣ୍ଡିଆନ୍ ଏକ୍ସପ୍ରେସ’ର ପ୍ରତିଷ୍ଠାତା ରାମନାଥ ଗୋଏଙ୍କା କହୁଥିଲେ- “ଇଣ୍ଡିଆନ୍ ଏକ୍ସପ୍ରେସ ଏକ ଶିଳ୍ପ ନୁହେଁ ଏକ ମିଶନ।” ସେଥିପାଇଁ ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସରକାରଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ତେବେ ବିନା ରାଜସ୍ୱରେ ମିଡିଆକୁ ଦୀର୍ଘ ଦିନ ଚଲାଇବା ଯେ କଷ୍ଟକର ତାହା ଅନେକ ସ୍ୱୀକାର କରନ୍ତି।
ନିରା ରାଡିଆ ଟେପ୍ ଛାପି “ଆଉଟଲୁକ୍’’ ମଗାଜିନ କିଭଳି ଟାଟାଗ୍ରୁପ୍ ଭଳି କମ୍ପାନୀରୁ ଅନେକ ଦିନ ପର୍ଯ୍ୟନ୍ତ ବିଜ୍ଞାପନ ହରାଇଥିଲା ତାହା ଦର୍ଶାଇଥିଲେ ପ୍ରତିଷ୍ଠାତା ସମ୍ପାଦକ ବିନୋଦ ମେହେଟା। ୨୦୧୪ରେ ଲିଖିତ ତାଙ୍କ ଆତ୍ମଜୀବନୀ “ଏଡିଟର ଅନପ୍ଲଗଡ’ରେ ସେ ଲେଖିଛନ୍ତି- “ନିରା ରାଡିଆ ଟେପ୍ରେ ରହିଥିବା ରତନ ଟାଟାଙ୍କ କଥୋପକଥନ ଛାପିବାରୁ ଆଉଟଲୁକ୍ ଗ୍ରୁପ୍କୁ ଟାଟା କେବଳ ବିଜ୍ଞାପନ ନୁହେଁ, ପ୍ରେସ୍ ଇସ୍ତାହାର ଦେବା ବନ୍ଦ କରିଦେଲା। ଏମିତିକି ଆମ ମାଲିକ ରହେଜା ବି ଖୁସି ନ ଥିଲେ। ତେବେ ପରେ ଟାଟା-ଆଉଟଲୁକ୍ର ସମ୍ପର୍କରେ ସୁଧାର ଆସିଥିଲା।”
ବ୍ରିଟେନରେ “ବିବିସି ନ୍ୟୁଜ୍” ମୁଖ୍ୟତଃ ଟିଭି ରଖିଥିବା ଲୋକଙ୍କଠାରୁ ବାଧ୍ୟତାମୂଳକ ବାର୍ଷିକ ଲାଇସେନ୍ସ ଫି ନେଇଚାଲିଥାଏ। ମାତ୍ର ସ୍ୱିଡେନ ୪ ବର୍ଷତଳେ ନିଜର ଜାତୀୟ ଟିଭି (ଏସଭିଟି) ପାଇଁ ଏଭଳି ବାର୍ଷିକ ଲାଇସେନ୍ସ ଫି ହଟାଇ ନେଇଛି। ଏବେ ସ୍ୱିଡେନରେ କେବଳ ଆୟକର ଦେଉଥିବା ଲୋକଙ୍କଠାରୁ ଅତିରିକ୍ତ ୧ ପ୍ରତିଶତ ଟିଭି ଟିକସ ନିଆଯାଉଛି। ବିବିସିର ତଥ୍ୟ ଯାଞ୍ଚ ଉଚ୍ଚସ୍ତରର ହୋଇଥିଲେ ବି ନିରପେକ୍ଷତା ଉପରେ ବେଳେବେଳେ ପ୍ରଶ୍ନ ଉଠିଛି।
‘ଦୂରଦର୍ଶନ’ ଭଳି ଆମେରିକାରେ କୌଣସି ସରକାରୀ ମିଡିଆ ନାହିଁ। ମୁକ୍ତ ବଜାରରେ ଘରୋଇ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଚାନେଲଗୁଡ଼ିକ ତିଷ୍ଠିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଓ ଦର୍ଶକୀୟ ଚାହିଦା ପୂରଣ କରୁଛନ୍ତି। ଆମେରିକାରେ ବି ମିଡିଆର ଢଳଣିବା ପକ୍ଷପାତ ନେଇ ପ୍ରଶ୍ନ ଉଠିଛି।
ପ୍ରାୟ ଦୁଇ ଶହବର୍ଷ ତଳେ ବ୍ରିଟେନରେ ବାହାରିଥିବା ଦୈନିକ ଖବରକାଗଜ “ଦ ଗାର୍ଡିଆନ’ର ନିରପେକ୍ଷତା ନେଇ ସୁନାମ ରହିଛି। ଏକ ଟ୍ରଷ୍ଟ ଦ୍ୱାରା ଚାଲିଥିବା ଏହି ଆଉଟଲେଟ ଏବେ ଏକ କମ୍ପାନୀରେ ପରିଣତ ହୋଇଛି। ତେବେ ପୂର୍ବଭଳି ଏହାର ଖବରରେ ରାଜନୈତିକ ଓ ବ୍ୟବସାୟିକ ହସ୍ତକ୍ଷେପ ରହିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୨୦୦ ବର୍ଷ ତଳେ ମଞ୍ଚେଷ୍ଟରର ଜଣେ ଲୁଗା ବ୍ୟବସାୟୀ ଏଡୱାର୍ଡ ଟେଲର୍ ଏହାକୁ ପ୍ରତିଷ୍ଠା କରିଥିଲେ। ମାତ୍ର ୫ ବର୍ଷତଳେ “ଦ ଗାର୍ଡିଆନ’ ଲାଭଜନକ ସ୍ଥିତିକୁ ଆସିଛି।
୧୦୪ ବର୍ଷତଳେ ଓଡ଼ିଶାରେ “ସମାଜ’ ପ୍ରତିଷ୍ଠା କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଏକ ଟ୍ରଷ୍ଟ ଦ୍ୱାରା ଏହା ପରିଚାଳିତ ହେଉଛି। ଟ୍ରଷ୍ଟ ମଡେଲ୍ରେ ପରିଚାଳିତ ମିଡିଆରେ ପ୍ରେସ୍ ସ୍ୱାଧୀନତା ଓ ନିରପେକ୍ଷତା ଅଧିକ କି? ଏ ନେଇ ଏନ୍ଡିଟିଭିରେ ୧୯ ବର୍ଷ କାମ କରିଥିବା ଓଡ଼ିଶାର ପୂର୍ବତନ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କୁହନ୍ତି- “ଟ୍ରଷ୍ଟ ଦ୍ୱାରା ଯେ ମୁକ୍ତ ସାମ୍ବାଦିକତା କରିହେବ ତାହା ଠିକ ନୁହେଁ। କ୍ଷମତାରେ ଥିବା ଲୋକ ମାଲିକଙ୍କୁ ହଇରାଣ କରିବା ପରେ ସାମ୍ବାଦିକର ନିର୍ଭୀକତା କମିଯାଇଛି। କେନ୍ଦ୍ରରେ ହେଉ କି ରାଜ୍ୟରେ ଆପଣ ଶୀର୍ଷରେ ଥିବା ଦୁଇ/ ତିନି ଜଣ ନେତାଙ୍କ ବିଷୟରେ କିଛି ସମାଲୋଚନାମୂଳକ ଲେଖା ଲେଖି ପାରିବେ ନାହିଁ। ଲେଖିଲେ ଛୁଟି। ଏଭଳି ଅନେକ ନିର୍ଭୀକ ସାମ୍ବାଦିକଙ୍କୁ ଆଉ ଚାକିରି ମିଳୁନି।
ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା
ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ବଢ଼ାଇଲେ ନିର୍ଭୀକତା ବଢ଼ନ୍ତା । ମିଡିଆ ସରକାରଙ୍କ ଗୋଡ଼ାଣିଆ ହୁଅନ୍ତା ନାହିଁ। ବିଶ୍ୱ ପ୍ରେସ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ ଦେଶ ଭିତରେ ୧୬୧କୁ ଖସିଗଲାଣି ବୋଲି କୁହାଯାଉଛି । “ରିପୋର୍ଟସ୍ ୱିଦ ଆଉଟ୍ବଡର୍ସ” (ଆରଏସଏଫ) ପକ୍ଷରୁ କୁହାଯାଇଛି, ସ୍ୱାଧୀନ ଭାବେ କାମ କରିବାକୁ ଚାହୁଁଥିବା ସାମ୍ବାଦିକଙ୍କ ପାଇଁ ଭାରତ ପୃଥିବୀର ସବୁଠାରୁ ବିପଜ୍ଜନକ ସ୍ଥାନରେ ଥିବା ଦେଶମାନଙ୍କ ଭିତରେ ଅନ୍ୟତମ।
ଓଡ଼ିଶାରେ ଅବସ୍ଥାପିତ ବିବିସିର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କୁହନ୍ତି- ‘ବିଶ୍ୱଗୁରୁ’ ବୋଲାଇବାର ଇଚ୍ଛା ରଖୁଥିବା ଭାରତ ପାଇଁ ଏହା କୌଣସି ମତେ ଗର୍ବ ଓ ଗୌରବର ବିଷୟ ନୁହେଁ। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସାମ୍ବାଦିକତାର ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଅଳ୍ପ କିଛି ସାମ୍ବାଦିକ ଓ ମିଡିଆ ସଂସ୍ଥାଙ୍କର ପୃଷ୍ଠପୋଷକତା କରିବା ଉଚିତ।”
ଉନ୍ମୁକ୍ତ ମିଡିଆ ସୃଷ୍ଟି ପାଇଁ ଏକାଧିକ ମିଡିଆ ରହିବା ଉଚିତ। ତେବେ ଡିଜିଟାଲ ମିଡିଆ ଓ ଟେଲିଭିଜନ୍ ମିଡିଆ ଅଧିକ ଭିୟୁ ତଥା ଟିଆରପି ଆଶାରେ କଣ୍ଟେଣ୍ଟ ବା ବିଷୟକୁ ଅଧିକ ଶସ୍ତା କରୁଥିବା ଅଭିଯୋଗ ଆସୁଛି। କୁହାଯାଏ, ଯେମିତି ପ୍ରଜା ସେମିତି ରାଜା ବା ଯେମିତି ଭୋଟର୍ ସେମିତି ସରକାର। ଅନୁରୂପ ଭାବେ କହିହେବ ଯେମିତି ଦର୍ଶକ ସେମିତି ଟିଭି। ଦର୍ଶକମାନେ ଖରାପ କଣ୍ଟେଣ୍ଟ ବା ବିଷୟକୁ ନଜର ଅନ୍ଦାଜ କରି ଭଲ ଖବର ଦେଖିବାରେ ଆଗ୍ରହ ଦେଖାଇଲେ ଟିଭି ତଥା ଡିଜିଟାଲ ମିଡିଆର କଣ୍ଟେଣ୍ଟ ବି ଭଲ ହେବ। କାରଣ କଣ୍ଟେଣ୍ଟର ଦର୍ଶକୀୟ ଲୋକପ୍ରିତା ଆଧାରରୁ ସେମାନଙ୍କୁ ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆରୁ ଟଙ୍କା ବା ରାଜସ୍ୱ ମିଳିଥାଏ।
ଶେଷରେ ଏତିକି କୁହାଯାଇପାରିବ, ଭଲ ମିଡିଆକୁ ପାଠକ ବା ଦର୍ଶକମାନେ ଗ୍ରାହକ ଦେୟ ବାଟେ ଆର୍ଥିକ ସହାୟତା ଯୋଗାଇ ଦେବା ଉଚିତ। ଯାହାଦ୍ୱାରା ଅଧିକ ମୁକ୍ତ ମିଡିଆ ସୃଷ୍ଟି ହେବ। ଆଉ ସାମ୍ବାଦିକତା ଭଳି ଏକ ମହାନ ବୃତ୍ତି ଗଣତନ୍ତ୍ରକୁ ସମୃଦ୍ଧ କରିବ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)
Tags: #Media #Journalism #Journalists #MediaFreedom #RSF #India