ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।

ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା। ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଡାକ୍ତର ବିସି ରାୟଙ୍କ ଜନ୍ମ ୧୮୮୨ ମସିହା ଜୁଲାଇ ୧ ତାରିଖରେ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧କୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।

ପ୍ରତିବର୍ଷ ଗୋଟିଏ ଥିମକୁ ନେଇ ଜାତୀୟ ଡାକ୍ତର ଦିବସରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍ ରହିଛି ‘ହିଲିଙ୍ଗ ହ୍ୟାଣ୍ଡସ୍, କେୟାରିଂ ହାର୍ଟସ୍’।

Tags: #NationalDoctersDay2024 #Health #Healing #Treatment

Comment