ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ରଥଯାତ୍ରା ପାଇଁ ମଙ୍ଗଳବାର ପୁରୀରେ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଅଧ୍ୟକ୍ଷତା କରିଥିଲେ। ରଥଯାତ୍ରାକୁ ସଫଳ କରିବାକୁ ଏଠାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହାସହ ସେ ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି।

ଏଥର ରଥଯାତ୍ରା ପାଇଁ ଜୁଲାଇ ୭ ସହିତ ୮ ତାରିଖରେ ମଧ୍ୟ ସରକାରୀ ଛୁଟି ରହିବ। ଛୁଟି ସମ୍ବନ୍ଧୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

“ଚଳିତ ବର୍ଷ ବିରଳ ଓ ଅଦ୍ଭୁତପୂର୍ଣ୍ଣ ରଥଯାତ୍ରା ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷ ପରେ ରଥଯାତ୍ରା ୨ ଦିନ ଚାଲିବ। ରାଜ୍ୟରେ ନୂଆ ସରକାର ଗଠନ ହେବା ବର୍ଷ ଏଭଳି ସୁଯୋଗ ଆସିବା ଆମ ପାଇଁ ବଡ଼ ସୌଭାଗ୍ୟ। ଏଥରର ରଥଯାତ୍ରାକୁ ସଫଳ କରିବାକୁ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ” କହିଛନ୍ତି ମୋହନ ଚରଣ ମାଝୀ।  

୧୯୭୧ ମସିହା ପରେ ଚଳିତ ବର୍ଷର ରଥଯାତ୍ରା ୨ ଦିନ ଧରି ହେବାକୁ ଯାଉଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି। ଏଥର ୧୯୭୧ ମସିହାରେ ହୋଇଥିବା ରୀତିନୀତି ଆଧାରରେ ସବୁ କାର୍ଯ୍ୟ ହେବ। ରବିବାର ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ।

ରଥଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ଵ ଦେଇଥିଲେ। ରଥଯାତ୍ରା ଲାଗି ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।    

ଏହି ବୈଠକରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ଏହାସହ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।

Tags: #Rathajatra #ReviewMeeting #CMMohanCharanMajhi #Puri

LEAVE A REPLY

Please enter your comment!
Please enter your name here