ଓଡ଼ିଶାଲାଇଭ୍ ବ୍ୟୁରୋ

ଜ୍ଵରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏନେଇ ଗଜପତି ମହାରାଜାଙ୍କୁ ଖବର ଜଣାଇଛନ୍ତି ସେବାୟତ। ବୁଧବାର ଅନବସର ଦ୍ୱାଦଶୀ ତିଥିରେ ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ ହୋଇଛି।

ଅନବସର ଦ୍ଵାଦଶୀ ତିଥିରେ ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ‘ରାଜପ୍ରସାଦ ବିଜେ’। ଏଥିରେ ଦଇତାପତି ସେବକ, ପତିମହାପାତ୍ର ସେବକ, ଖୁଣ୍ଟିଆ, ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରାରେ ଶ୍ରୀନଅରକୁ ଯାଇଥିଲେ। ସେଠାରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥ ହେବାର ଖବର ଦିଆଯାଇଛି।

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିଲେ ମହାପ୍ରଭୁ। ଏହାପରେ ଶ୍ରୀଜିଉଙ୍କୁ ଅଣସରରେ ରଖାଯାଇ ଫଳ, ଫୁଲୁରି ତେଲ, ଆୟୁର୍ବେଦିକ ଜଡ଼ିବୁଟ୍ଟି ଔଷଧ ଆଦିରେ ଉପଚାର କରାଯାଇଥିଲା। ମଙ୍ଗଳବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଚକା ବିଜେ ନୀତି ହୋଇଥିଲା। ମହାପ୍ରଭୁ ସୁସ୍ଥ ଅନୁଭବ କରିବା ପରେ ତାଙ୍କଠାରେ ତୁଳସୀ ଲାଗି ହୋଇଛି।

ଅନ୍ୟପଟେ ରବିବାର ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କ ସହ ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ। ସେଥିଲାଗି ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲାଗିଛନ୍ତି ବିଶ୍ୱକର୍ମା ଏବଂ ମହାରଣା ସେବାୟତ। ଏଥିପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  

Tags: #Rathajatra #LordJagannath #GajapatiMaharaja #Culture #Puri #Odisha

LEAVE A REPLY

Please enter your comment!
Please enter your name here