ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସରେ ସତସଙ୍ଗ ସମାରୋହରେ ହୋଇଥିବା ଦଳାଚକଟା ଘଟଣାରେ ମୃତକଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି। ଏବେ ବି ଅନେକ ଆହତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରଠାରୁ ଉକ୍ତ ସତସଙ୍ଗକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସତସଙ୍ଗ ଆୟୋଜନ କରିଥିବା କିଏ ସେହି ଭୋଲେ ବାବା? ଏହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।  

ଭୋଲେ ବାବାଙ୍କ ପୁରାନାମ ହେଉଛି ନାରାୟଣ ସାକାର ହରି ଓରଫ୍ ସୂରଜପାଲ ସିଂହ। ସୂଚନା ଅନୁସାରେ, ଏହି ଆତ୍ମଘୋଷିତ ବାବା ପୂର୍ବରୁ ଉତ୍ତରପ୍ରଦେଶ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିବା ସହିତ ଶ୍ରୋତା ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଥିବା କୁହାଯାଉଛି।

ତେବେ ଏହି ବାବାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ମଧ୍ୟ ହୋଇଛି। ସେ ୨୦୨୧ ମସିହାରେ କୋରୋନା ମହାମାରୀ ସମୟରେ ସତସଙ୍ଗ କରି ହଜାର ହଜାର ଲୋକଙ୍କୁ ଏକାଠି କରିଥିଲେ। ଏ ନେଇ ସେତେବେଳେ ତାଙ୍କ ବିରୋଧରେ ମାମଲା ହୋଇଥିଲେ ମଧ୍ୟ ସେ ଆଇନକୁ ଚକମା ଦେଖାଇ ବଞ୍ଚି ଯାଇଥିଲେ।  

ସବୁଠାରୁ ବଡ଼ କଥା ହେଉଛି, ଭୋଲେ ବାବାଙ୍କର ସୋସିଆଲ ମିଡିଆରେ କୌଣସି ଆକାଉଣ୍ଟ ନାହିଁ କି ଅନଲାଇନରେ ତାଙ୍କର ପ୍ରବଚନର ପ୍ରଚାର ପ୍ରସାର ହୁଏ ନାହିଁ। ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟ ନାମକ ନିଜ ସଂସ୍ଥାରେ ସେ ରହନ୍ତି। ତାଙ୍କ ଘର ଉତ୍ତରପ୍ରଦେଶର ଏଟା ଜିଲ୍ଲା ଅନ୍ତର୍ଗତ ପଟିଆଲି ତହସିଲର ବାହାଦୂର ଗାଁରେ ହୋଇଥିବା କୁହାଯାଉଛି।

ତେବେ ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବା ଏବେ ଫେରାର ଥିବାବେଳେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି।

ଅନ୍ୟପଟେ ବୁଧବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ ସ୍ଥାନୀୟ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେହିପରି ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି।         

ତେବେ ହାଥରସର ସତସଙ୍ଗ ସମାରୋହରେ ଦଳାଚକଟା ଘଟଣାରେ ଆୟୋଜକଙ୍କର ଯେତିକି ଭୁଲ୍, ତା’ଠାରୁ ପ୍ରଶାସନର ଢିଲା ବ୍ୟବସ୍ଥା ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି ବୋଲି ଅଭିଯୋଗ ହେଉଛି। ସତସଙ୍ଗରେ ଲୋକଙ୍କ ପାଇଁ ଠିକ ଭାବେ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ସତସଙ୍ଗରେ ପ୍ରାୟ ୭୦-୮୦ ହଜାର ଲୋକଙ୍କ ଆସିବା ପାଇଁ ଅନୁମତି ମିଳିଥିଲେ ମଧ୍ୟ କିଭଳି ଏଠାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେଲା ତାକୁ ନେଇ ତଦନ୍ତ କରାଯାଉଛି।   

Tags: #Stamped #Satsang #People #Hathras #UttarPradesh

LEAVE A REPLY

Please enter your comment!
Please enter your name here