ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସେବା ଭବନରେ ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ପାଇଁ ନିଆ ଯାଉଥିବା ପଦକ୍ଷେପ ଉପରେ ଏଠାରେ ସମୀକ୍ଷା କରାଯାଇଛି। ଏଥିରେ କମିଟିର ବହୁ ସଦସ୍ୟ ଯୋଗ ଦେଇଥିଲେ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘ ମିଆଦୀ ବ୍ୟବସ୍ଥା କରିବା ଲାଗି ଗୁରୁତ୍ଵ ଦେବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହ କମିଟିର ସଦସ୍ୟମାନେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ତର୍ଜମା କରି ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

“ନିଜ ଅଞ୍ଚଳକୁ ନେଇ ସଦସ୍ୟମାନେ ବିଭିନ୍ନ ବିଭାଗର ପ୍ରସ୍ତାବ ଦେଇଛନ୍ତି। ବିଚାର କରି ଏ ଦିଗରେ ପଦକ୍ଷେପ ନିଆଯିବ। ଭୁବନେଶ୍ୱର ପରି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବର୍ଷା ଦିନେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟାର ମୁକାବିଲା କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟରୁ ବ୍ଲକ ଯାଏଁ କଣ୍ଟ୍ରୋଲ ରୁମକୁ ଆହୁରି ସ୍ମାର୍ଟ ଓ ଅପଡେଟ୍ କରାଯିବ। ଖାସ କରି ବର୍ଷା ଦିନରେ ସାପ କାମୁଡ଼ା ମାମଲାରେ ଅଧିକାଂଶ ଲୋକ ପ୍ରାଣ ହରାନ୍ତି। ସେଥିପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେନମ ରଖିବା ସହ ଲୋକଙ୍କୁ ସଚେତନ କରିବା କାର୍ଯ୍ୟ କରାଯାଉଛି। ରାଜ୍ୟରେ ଥିବା ଓଡ୍ରାଫ ୟୁନିଟ୍ ୨୦କୁ ୩୦ କରିବା ପାଇଁ ଗୃହ ବିଭାଗକୁ ଅବଗତ କରାଯାଇଛି।”

ରାଜ୍ୟରେ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଜିରୋ କାଜୁଆଲିଟି ନୀତି ଗ୍ରହଣ କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #CMMohanCharanMajhi #NaturalDisaster #DisasterManagementCommitte #Odisha

LEAVE A REPLY

Please enter your comment!
Please enter your name here