ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ଶନିବାର ପୁରୀ ବଡ଼ଦାଣ୍ଡରେ ସଫେଇ କାର୍ଯ୍ୟକ୍ରମ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବଡ଼ଦାଣ୍ଡରେ ଝାଡୁ ମାରିଛନ୍ତି। ତାଙ୍କ ସହ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରଡ଼ା ମଧ୍ୟ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସକାଳେ ପୁରୀରେ ପହଞ୍ଚିଥିଲେ। ଏହାପରେ ସେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ କିଛି ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମଧ୍ୟ ଯୋଗ ଦେଇ ବଡ଼ଦାଣ୍ଡକୁ ସଫା କରିଥିଲେ।
“ଆସନ୍ତାକାଲି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ। ଏହା ପୂର୍ବରୁ ବଡ଼ଦାଣ୍ଡକୁ ସ୍ଵଚ୍ଛ ଓ ପରିଷ୍କାର କରିବା ପାଇଁ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି। ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ପୁରୀ ଆସିବେ। ରଥଯାତ୍ରାରେ ବଡ଼ଦାଣ୍ଡକୁ ସ୍ଵଚ୍ଛ ରଖିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ରାଜ୍ୟ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #Rathajahatra #BadaDanda #CleanlinessDrive #CMMohanCharanMajhi #Puri


















