ଓଡ଼ିଶାଲାଇଭ୍ ବ୍ୟୁରୋ
କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ସେନେଇ ଆସନ୍ତା ଜୁଲାଇ ୯ ତାରିଖରେ ନିଷ୍ପତ୍ତି ହେବ। ଏ ନେଇ ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
ରତ୍ନଭଣ୍ଡାର ଖୋଲିବା ପାଇଁ ପୁରୁଣା କମିଟିକୁ ଭାଙ୍ଗି ୧୬ ଜଣିଆ ନୂଆ କମିଟି ଗଠନ କରାଯାଇଛି। ଶନିବାର ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟିର ପ୍ରଥମ ବୈଠକ ବସିଥିଲା। ରତ୍ନ ଭଣ୍ଡାର ଖୋଲିବା, ଗଣତି ମଣତି ଏବଂ ମରାମତି ଆଦି ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଯଦି ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାରର ତାଲା ନଖୋଲିବ, ତେବେ ତାଲାକୁ ଭାଙ୍ଗି ଦିଆଯିବ। ଡୁପ୍ଲିକେଟ ଚାବି ଟ୍ରେଜେରିରେ ରହିଛି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସନ୍ତା ଜୁଲାଇ ୯ ତାରିଖ ବୈଠକ ବେଳେ ରତ୍ନଭଣ୍ଡାର ଯାଞ୍ଚ କମିଟିକୁ ଏହି ଚାବି ପ୍ରଦାନ କରିବେ। କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ତା’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।
ସେ କହିଛନ୍ତି, ଦୀର୍ଘ ଦଶନ୍ଧି ହେଲା ରତ୍ନଭଣ୍ଡାରର ତାଲା ଖୋଲାଯାଇ ନାହିଁ। ଡୁପ୍ଲିକେଟ ଚାବିରେ ଯଦି ତାଲା ନଖୋଲିବ, ତାକୁ ଭଙ୍ଗାଯିବ। ତାଲାକୁ କିଭଳି ଭଙ୍ଗାଯିବ ସେନେଇ ଏସଓପି ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।
ସେ ଆହୁରି କହଛନ୍ତି ଯେ, କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ। ସେଠାରେ ଅଳଙ୍କାର ରଖି ମତରାମତି କାମ ହୋଇପାରିବ ନାହିଁ। ତେଣୁ ଅସ୍ଥାୟୀ ରତ୍ନଭଣ୍ଡାର କରାଯିବ। ତେବେ ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ, ପରିଚାଳନା କମିଟି ତା’ର ନିଷ୍ପତ୍ତି ନେବେ। ଗଣତି ମଣତି ପାଇଁ ଅଲଗା କମିଟି କରାଯିବ ବୋଲି ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି।
Tags: #Ratnabhandar #Shreemandir #NewCommittee #Puri #Odisha #OdishaGovt #Meeting