ଅଭିଷେକ ରାୟ

ବରିଷ୍ଠ ସାମ୍ବାଦିକ ରାହୁଲ ପଣ୍ଡିତଙ୍କ ବିରୋଧରେ ମାନହାନି ମାମଲାରେ ପଞ୍ଜାବର ମୋହାଲିସ୍ଥିତ ଏକ ଅଦାଲତ ତାଙ୍କୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪ରେ ସେ ‘ଦ ହିନ୍ଦୁ’ ସମ୍ବାଦପତ୍ରରେ ଏକ ନକ୍ସଲ ଆକ୍ରମଣ ଘଟଣା ଉପରେ ଲେଖିଥବା ଖବରକୁ ନେଇ ଏହି ମାମଲା ହୋଇଥିଲା।

ଏହି ମାମଲାରେ ‘ଦ ହିନ୍ଦୁ’ ଗ୍ରୁପ ନିଜକୁ ଦୂରେଇ ନେଇ ଆଇନଗତ ଲଢ଼େଇ ପାଇଁ ରାହୁଲ ପଣ୍ଡିତଙ୍କୁ ଏକା ଛାଡ଼ି ଦେଇଛି। ଫଳରେ ନିଜ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସମ୍ପୃକ୍ତ ସମ୍ବାଦ ସଂସ୍ଥା ଠିଆ ନହେବା ଏହାର ନୈତିକ କର୍ତ୍ତବ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାହୁଲ ପଣ୍ଡିତଙ୍କ ବିରୋଧରେ ହୋଇଥିବା ଏହି ମାମଲାକୁ ନେଇ ମୁମ୍ବାଇ ପ୍ରେସ୍ କ୍ଲବ୍ ‘ଦ ହିନ୍ଦୁ ଗ୍ରୁପ୍’ର ସମ୍ପାଦକ ଓ ପ୍ରକାଶକଙ୍କୁ ଚିଠି ଲେଖିଛି। ଏହି ଆଇନଗତ ଲଢ଼େଇବେଳେ ସାମ୍ବାଦିକ ରାହୁଲ ପଣ୍ଡିତଙ୍କୁ ଏକା ଛାଡ଼ି ନଦେଇ, ତାଙ୍କୁ ସହଯୋଗ କରିବାକୁ ପ୍ରେସ୍ କ୍ଲବ୍ ପକ୍ଷରୁ ଅନୁରୋଧ କରାଯାଇଛି। ଏକ ସତ୍ୟ ଘଟଣା ଉପରେ କରାଯାଇଥିବା ରିପୋର୍ଟିଂ ପାଇଁ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଦଣ୍ଡିତ ହେବ ଉଚିତ ନୁହେଁ ବୋଲି ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ କୁହାଯାଇଛି।  

୨୦୧୪ ମସିହା ଡିସେମ୍ବର ୧୩ ତାରିଖରେ ଛତିଶଗଡ଼ର ସୁକମାରେ ନକ୍ସଲ ଆକ୍ରମଣରେ ସିଆରପିଏଫର ୧୪ ଜଣ ଯବାନ ସହିଦ ହୋଇଥିଲେ।  ଏହି ଘଟଣା ସମ୍ପର୍କରେ ‘ଦ ହିନ୍ଦୁ’ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ରାହୁଲ ପଣ୍ଡିତଙ୍କ ଦ୍ଵାରା ଏକ ଖବର ପ୍ରକାଶ ପାଇଥିଲା। ରାହୁଲ ଫିଲ୍ଡ ରିପୋର୍ଟିଂ କରିବା ସହ ଘଟଣାର ସତ୍ୟାସତ୍ୟକୁ ଯାଞ୍ଚ କରି ଏହି ଖବର ଲେଖିଥିଲେ। ‘ଦ ହିନ୍ଦୁ’ର ବରିଷ୍ଠ ସମ୍ପାଦକଙ୍କ ଅନୁମୋଦନ କ୍ରମେ ଏହା ଖବରକାଗଜରେ ପ୍ରକାଶିତ ହୋଇଥିଲା।

ଏହି ନକ୍ସଲ ଆକ୍ରମଣ ଘଟଣା ପଛରେ ସିଆରପିଏଫର ବିଫଳତା ବିଷୟରେ ସାମ୍ବାଦିକ ରାହୁଲ ପଣ୍ଡିତ ଚର୍ଚ୍ଚା କରିଥିଲେ। ଏହାସହିତ ସେ ସମ୍ପୃକ୍ତ ଅପରେସନ୍ସର ମୁଖ୍ୟ ସିଆରପିଏଫ ଆଇଜି ହରପ୍ରୀତ ସିଦ୍ଧୁଙ୍କୁ ମୁଖ୍ୟତଃ ଦାୟୀ କରିଥିଲେ।  

ଏହି ଖବର ବିରୋଧରେ ତତକାଳୀନ ସିଆରପିଏଫ ଆଇଜି ହରପ୍ରୀତ ସିଦ୍ଧୁ ସାମ୍ବାଦିକ ରାହୁଲ ପଣ୍ଡିତ ଏବଂ ‘ଦ ହିନ୍ଦୁ’ ଖବରକାଗଜ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ। ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ‘ଦ ହିନ୍ଦୁ’ ସମ୍ବାଦିକ ପଣ୍ଡିତଙ୍କ ସପକ୍ଷରେ ମତ ରଖିଥିଲା। କିନ୍ତୁ ମୁମ୍ବାଇ ପ୍ରେସ୍ କ୍ଲବ୍ କହିବା ଅନୁଯାୟୀ ପରବର୍ତ୍ତୀ ସମୟରେ ଏକ ନାଟକୀୟ ପରିବର୍ତ୍ତନ କ୍ରମେ ଏହି ଖବରକାଗଜ ସଂସ୍ଥା ହରପ୍ରୀତ ସିଦ୍ଧୁଙ୍କ ସହ ଏକ ବୁଝାମଣାରେ ପହଞ୍ଚି ମାମଲାରୁ ନିଜକୁ ଅଲଗା କରିଦେଇଥିଲା।

ରାହୁଲ ପଣ୍ଡିତ ଏବେ ‘ଦ ହିନ୍ଦୁ’ ସମ୍ବାଦପତ୍ରରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କୁ ଏକାକୀ ଏହି ନ୍ୟାୟିକ ମାମଲାର ସମ୍ମୁଖୀନ ହେବାକୁ ପଡୁଛି। ଏହା ବିରୋଧରେ ସେ ପଞ୍ଜାବ ଓ ହରିୟଣା ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ମାସରେ ହାଇକୋର୍ଟରେ ଏହି ମାମଲା ଉପରେ ଶୁଣାଣି ଜାରି ରହିବ।

ଏହି ମାମଲାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦି ସାମ୍ବାଦିକମାନଙ୍କୁ କୌଣସି ଖବର ପରିବେଷଣ ପାଇଁ ଏପରି ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ଭୋଗିବାକୁ ଛାଡ଼ି ଦିଆଯାଏ, ତେବେ ମୁକ୍ତ ଓ ନିରପେକ୍ଷ ରିପୋର୍ଟିଂ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ ବୋଲି ଅନେକ ମତ ଦେଇଛନ୍ତି।  

Tags: #RahulPandita #DefamationCase #TheHindu #IndependentJournalism #India

LEAVE A REPLY

Please enter your comment!
Please enter your name here