ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ହାଉଜଖାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ୪୬ତମ ରଥଯାତ୍ରା ଉତ୍ସବ ପାଳନ କରାଯାଇଛି। ଏଥିରେ ୫୦ ହଜାରରୁ ଅଧିକ ଭକ୍ତ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଥ ଟାଣି ଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ।
ରଥଯାତ୍ରା ପାଇଁ ରବିବାର ଭୋର ୫ଟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆଳତି କରାଯାଇଥିଲା। ଏହାପରେ ଦ୍ଵିପହରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ପ୍ରଭୁ ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଥିଲେ। ଅପାରାହ୍ଣ ୨ଟା ୩୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା।
ଭକ୍ତଙ୍କ ଶଙ୍ଖ, ଘଣ୍ଟ ଘଣ୍ଟା ନାଦ ସହ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ରଙ୍ଗାରଙ୍ଗ ଓ ରାଜକୀୟ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିରାଜମାନ ଦୃଶ୍ୟ ଅଦ୍ଭୂତପୂର୍ବ ଓ ଅଲୌକିକ ଥିଲା। ମହାପ୍ରଭୁଙ୍କ ରଥକୁ ଦିଲ୍ଲୀର ଆଂସାରୀ ନଗରକୁ ନିଆଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା।
ରଥ ହାଉଜଖାସ ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ଭକ୍ତମାନେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ କରିଥିଲେ। ରବିବାର ବିଳମ୍ବିତ ପ୍ରହରରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରର ବେସମେଣ୍ଟରେ ଥିବା ମାଉସୀମା’ ଘରକୁ ନିଆଯାଇ, ସେଠାରେ ଥିବା ସିଂହାସନରେ ଆସୀନ କରାଯାଇଥିଲା।
ମନ୍ଦିର ପରିଚାଳନା କମିଟି ତରଫରୁ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଠାରେ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା।
ଏହି ରଥଯାତ୍ରାରେ ବିଶିଷ୍ଟ ଅତିଥିଭାବେ ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ। ଏହାସହ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଡକ୍ଟର ଏସ କେ ଜେନା, ରାଘବ ଦାଶ, ସୂରଜ ନାୟକ, କେଦାର ନାଥ ତ୍ରିପାଠୀ ଓ କମିଟିର ପୂର୍ଵତନ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।
Tags: #RathaJatra #SriJagannathTemple #HauzKhas #NewDelhi