ଓଡ଼ିଶାଲାଇଭ୍ ବ୍ୟୁରୋ

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଅନ୍ତରୀଣ ଜାମିନ ମିଳିଥିଲେ ମଧ୍ୟ ଏବେ ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରି ପାରିବେ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ୯୦ ଦିନରୁ ଅଧିକ ସମୟ ଜେଲରେ ରହିଛନ୍ତି। ସେ ଜଣେ ନିର୍ବାଚିତ ନେତା, ତେଣୁ ସେ ନିଜ ପଦରେ ରହିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ। ତାଙ୍କୁ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇହେବ ନାହିଁ। କେବଳ ପଚରାଉଚରା କରିବା ପାଇଁ ଗିରଫ କରିବା ଏକ ଆଧାର ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ମାମଲାକୁ ସୁପ୍ରିମକୋର୍ଟ ବୃହତ ଖଣ୍ଡପୀଠକୁ ପଠାଇଛନ୍ତି। ସୁପ୍ରିମକୋର୍ଟର ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ। ବୃହତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବା ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀନ ଜାମିନ ପ୍ରଦାନ କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଓକିଲ ବିବେକ ଜୈନ କହିଛନ୍ତି, ଜୁଲାଇ ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ମାମଲାର ଶୁଣାଣି ହେବ। ଏହି ମାମଲାର ରାୟ ଆସିବା ପରେ ଅରବିନ୍ଦ କେଜ୍ରିୱାଲ ଜେଲରୁ ମୁକୁଳିବେ କି ନାହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି

ଏହା ପୂର୍ବରୁ ଜୁନ ୨୫ ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ରୋକ ଲଗାଇଥିଲେ।

ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୨୦ ତାରିଖରେ ଜାମିନ ଦେଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। ଏହାକୁ ଚ୍ୟାଲେଞ୍ଜ କରି ଇଡି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା।

ତେବେ କେଜ୍ରିୱାଲଙ୍କ ବିରୋଧରେ ଅବକାରୀ ଦୁର୍ନୀତି ମାମଲା ଏବେ ବିଚାରାଧୀନ ଥିବାରୁ ତାଙ୍କ ଜାମିନ ଉପରେ ରୋକ ଲଗାଯାଉ ବୋଲି ଇଡି ପକ୍ଷରୁ ଦର୍ଶା ଯାଇଥିଲା। ଏହାପରେ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ଉପରେ କଟକଣା ଜାରି ରହିବ ବୋଲି ରାୟ ଶୁଣାଇଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ।ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।

Tags: #ArvindKejriwal #CMofDelhi #LiquorScam #DelhiHighCourt #ED #NewDelhi

LEAVE A REPLY

Please enter your comment!
Please enter your name here