ଓଡ଼ିଶାଲାଇଭ୍ ବ୍ୟୁରୋ

“ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଏସଓପିକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। କେଉଁ ସମୟରେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ଵ ଦିଆଯାଇଛି”, କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଲାଗି ରତ୍ନଭଣ୍ଡାର ଯାଞ୍ଚ କମିଟି ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସେଡିଓର (ଏସଓପି) ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲା। ଏହା ଉପରେ ବିଚାର କରି ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଲା। ଶନିବାର ଦିନ ଏହି ଏସଓପିକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିଲା।

ଆଇନମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ନିଶ୍ଚିତ ଭାବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ତେବେ କେଉଁ ସମୟରେ ରତ୍ନଭଣ୍ଡା ଖୋଲାଯିବ ସେବାୟତମାନଙ୍କ ସହ ବିଚାରବିମର୍ଶ କରି ସମୟ ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ଵ ଦିଆଯାଇଛି।

ଏପଟେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି, ଆସନ୍ତାକାଲି ଦିନ ଗୋଟାଏ ପରେ ରତ୍ନଭଣ୍ଡାର ଖୋଲିବାକୁ ଶୁଭମୁହୂର୍ତ୍ତ ବାହାରିଛି। ଦିନ ସାଢ଼େ ଗୋଟାଏ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବା ପାଇଁ ଆରବିଆଇର ସହାୟତା ନିଆଯିବ। ଆରବିଆଇ ପ୍ରତିନିଧିମାନେ ଗଣତି ମଣତି ସମୟରେ ଉପସ୍ଥିତ ରହି ପରିଚାଳନା କମିଟିକୁ ସହାୟତା କରିବେ।

ଆଇନମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର ଅଳଙ୍କାରର ସଂଖ୍ୟା, ଗୁଣାତ୍ମକ ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ।

ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କରିବା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଛି। କିଏ କେଉଁ କମିଟିରେ ରହିବେ ତାହା ସରକାର ଚୂଡ଼ାନ୍ତ କରିସାରିଛନ୍ତି। ବିଭିନ୍ନ କମିଟିରେ ମନ୍ଦିର ପରିଚାଳନା ସଦସ୍ୟ, ସେବାୟତ, ଏଏସଆଇ ପ୍ରତିନିଧି, ରିଜର୍ଭ ବ୍ୟାଙ୍କ ପ୍ରତିନିଧି ସାମିଲ ରହିବେ। ପ୍ରତ୍ୟେକ କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ। ରତ୍ନଭଣ୍ଡାର ଖୋଲିବା ସମୟରେ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Tags: #Ratnabhandar #Shreemandir #NewCommittee #Puri #Odisha #OdishaGovt #Meeting

LEAVE A REPLY

Please enter your comment!
Please enter your name here