ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵରରୁ ଅଭିଷେକ ରାୟ): ଓଡ଼ିଶାର ଔଦ୍ୟୋଗିକ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ଟାଇ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାର ନାମ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ ଏଣ୍ଟ୍ରପ୍ରେନ୍ୟୁରିଆଲ ଇକୋସିଷ୍ଟମ’ ରହିଥିଲା।   

ଏହି କାର୍ଯ୍ୟକ୍ରମରେ ଅନେକ ସରକାରୀ ଅଧିକାରୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ଓ ଏକାଧିକ ଉଦ୍ୟୋଗୀ ସାମିଲ ହୋଇଥିଲେ। ଓଡ଼ିଶାରେ ନୂଆ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଟାଇ ଗ୍ଲୋବାଲ ବୋର୍ଡ ଅଫ୍ ଟ୍ରଷ୍ଟିସ୍‌ର ଉପାଧ୍ୟକ୍ଷ ମୁରଲୀ ବୁକାପଟ୍ଟନମ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ବ୍ୟବସାୟିକ ଇକୋସିଷ୍ଟମର ବିଭିନ୍ନ ତଥ୍ୟ ଏବଂ ଔଦ୍ୟୋଗିକତାର ବିକାଶ କ୍ଷେତ୍ରରେ ଟାଇର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

“ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟୋଗ ଓ ବ୍ୟବସାୟିକ ଇକୋସିଷ୍ଟମର ବିକାଶ କ୍ଷେତ୍ରରେ ଟାଇ ବଡ଼ ଭୂମିକା ଗ୍ରହଣ କରିଛି। ଟାଇ ପକ୍ଷରୁ ଯୁବ ଉଦ୍ୟୋଗୀଙ୍କୁ ଆର୍ଥିକ ଓ ବୈଷୟିକ ସ୍ତରରେ ସହଯୋଗ କରାଯାଉଛି। ଏହା ସେମାନଙ୍କ ପାଇଁ ଅନେକ ଉପଯୋଗୀ ସାବ୍ୟସ୍ତ ହେଉଛି। ଓଡ଼ିଶାରେ ଔଦ୍ୟୋଗିକ ବିକାଶ ପାଇଁ ଅନେକ ସମ୍ଭାବନା ରହିଛି। ଟାଇ ଭୁବନେଶ୍ୱର ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛି”, କହିଛନ୍ତି ମୁରଲୀ ବୁକାପଟ୍ଟନମ।

ସେହିପରି ଟାଇ ଭୁବନେଶ୍ଵରର ଅଧ୍ୟକ୍ଷ, ଅୟଶକାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସମ୍ବୋଧନ କରି, ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା କ୍ଷେତ୍ରରେ ସଂସ୍ଥାର ପଦକ୍ଷେପ ଓ ଭବିଷ୍ୟତର ଯୋଜନାଗୁଡ଼ିକୁ ବିଷୟରେ କହିଥିଲେ।

ଅନ୍ୟପଟେ ବିଶିଷ୍ଟ ଲିଡରସିପ କୋଚ୍ ଦୀପକ ଚୌଧୁରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଔଦ୍ୟୋଗିକ ସଫଳତା ପାଇଁ ଆବଶ୍ୟକ ମାନସିକତା ସମ୍ପର୍କରେ କହିଥିଲେ। ସେହିପରି ଆବ୍ରେନ୍ସ ଆର୍ଟ ଅଫ୍ ଲିଭିଂ କୋଚ ଦିବ୍ୟା କୁମାରୀ ବ୍ୟବସାୟିକ ଅଭିବୃଦ୍ଧିକୁ ବ୍ୟକ୍ତିଗତ ବିକାଶ ସହ ସନ୍ତୁଳିତ ରଖିବା ଉପରେ ମତାମତ ଦେଇଥିଲେ।

ଏହି କାର୍ଯ୍ୟକମ ଟାଇ ସଦସ୍ୟମାନଙ୍କୁ ନିଜର କମ୍ପାନିର ପ୍ରୋଫାଇଲ ଉପସ୍ଥାପନ କରିବା ଏବଂ ଅନ୍ୟ ଅତିଥମାନଙ୍କ ସହ ଯୋଗାଯୋଗ କରିବା ଲାଗି ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ଏଠାରେ ଟାଇ ଭୁବନେଶ୍ଵରର ଚାର୍ଟର୍ ସଦସ୍ୟମାନେ ସଂସ୍ଥାର ଲକ୍ଷ୍ୟକୁ ସୁଦୃଢ଼ କରି ଉଦୀୟମାନ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ ଓ ସ‌ହଯୋଗ କରିବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।  

ଏହି କାର୍ଯ୍ୟକ୍ରମରେ ଟାଇ ଭୁବନେଶ୍ଵରର ଉପସଭାପତି ସତ୍ୟବ୍ରତ ରଥ, ସମ୍ପାଦକ ଆନନ୍ଦ ପ୍ରସାଦ ପାଢ଼ୀ, କ୍ରାଉନ ଭୁବନେଶ୍ଵରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ, ଜେଡ୍ ଇଷ୍ଟେଟ୍ସର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତି, ମେକେମ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଜେ କେ ରଥ, ମେଫାର୍ମ ଏଗ୍ରୋଟେକର ପ୍ରତିଷ୍ଠାତା ସ୍ଵସ୍ତି ମିଶ୍ର ଓ ଟାଇ ଭୁବନେଶ୍ଵରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥ ସାରଥୀ ଘୋଷ ପ୍ରମୁଖ ଯୋଗ ଦେଇଥିଲେ।

Tags: #TiEBhubaneswar #EntrepreneurialEcosystem #Entrepreneurship #Business #Bhubaneswar #Odisha  

LEAVE A REPLY

Please enter your comment!
Please enter your name here