ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସେ ସମସ୍ୟା ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଯୋଗ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୭୦୦ଟି ଅଭିଯୋଗ ପଞ୍ଜୀକୃତ ହୋଇଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୧୦୦୦ଟି ଅଭିଯୋଗର ଶୁଣାଣି ଶେଷ ହୋଇଛି।
ଏବେ ଓଡ଼ିଶାରେ ରାଜଧାନୀ ଭୁବନେଶ୍ଵର ସହିତ ଆରଡିସି ସ୍ତରରେ ମଧ୍ୟ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଥିବା ଏଠାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରାୟ ୧୬ ବର୍ଷର ବ୍ୟବଧାନ ପରେ ଜୁଲାଇ ୧ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଥିଲା। ପ୍ରତି ସୋମବାର ନିୟମିତ ଭାବେ ଲୋକଙ୍କ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ। ତେବେ ରଥଯାତ୍ରା ପାଇଁ ସରକାରୀ ଛୁଟି ଥିବାରୁ ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହୋଇପାରିନଥିଲା।
ଅଭିଯୋଗ ଶୁଣାଣି ପାଇଁ ଲୋକଙ୍କୁ ସକାଳ ୯ଟାରୁ ୧୨ଟା ମଧ୍ୟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଆଗ୍ରହୀ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ନିଜ ପଞ୍ଜୀକରଣ କରାଇ ପାରିବେ।
ଅନ୍ୟପଟେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଜିଲ୍ଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରିବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି।
Tags: #CMMohanCharanMajhi #GrievanceCell #People #Odisha