ଓଡ଼ିଶାଲାଇଭ୍ ବ୍ୟୁରୋ
“ଉଚ୍ଚ ଶିକ୍ଷା ଏବଂ ଉତ୍ତମ ସ୍ଵାସ୍ଥ୍ୟସେବା ସେବା ଯୋଗାଇବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଛି ସୋଆ ବିଶ୍ଵବିଦ୍ୟାଳୟ”, ସୋଆ ବିଶ୍ଵ ବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟବକ୍ତ ଭାବେ ଯୋଗ ଦେଇ ଏହା କହିଛନ୍ତି ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ବିପିୟୁଟି) ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର) ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଞ୍ଜନ ନାୟକ ଏବଂ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଫେସର କର୍ମାଲକର କହିଥିଲେ, “ସୋଆ ନିରନ୍ତର ଭାବେ ଉତ୍କର୍ଷତା ହାସଲ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛି। ଶିକ୍ଷାର ଅର୍ଥ କେବଳ ବିବିଧ ବିଷୟକୁ ନେଇ ଜ୍ଞାନ ଆହରଣ କରିବା ନୁହେଁ, ବରଂ ଏକ ବିଷୟକୁ ବିଭିନ୍ନ ଢଙ୍ଗରେ ପରିବେଷଣ କରିବା। ‘ଶିକ୍ଷା ଓ ଅନୁସନ୍ଧାନ’ (ସୋଆ) ନିଜ ନାମକୁ ସଫଳ କରିପାରିଛି।”
ସେ ଆହୁରି କହିଥିଲେ ଯେ, ଜଣେ ଜିଜ୍ଞାସୁ ମଣିଷଠାରୁ ହିଁ ଗବେଷଣାର ଉତ୍ସ ଆରମ୍ଭ ହୋଇଥାଏ। ବାରମ୍ବାର ବିଫଳ ହେବା ପରେ ମଧ୍ୟ ଥୋମାସ ଆଲଭା ଏଡିସନ ଯେପରି ସଫଳ ହୋଇପାରିଥିଲେ, ସେପହିପରି ଗବେଷଣା କ୍ଷେତ୍ରରେ ନିଜର ପ୍ରଚେଷ୍ଠା ଜାରି ରଖିବା ଆବଶ୍ୟକ। ଏହା ଦ୍ଵାରା ସଫଳତା ନିଶ୍ଚୟ ମିଳିପାରି ବୋଲି ସେ କହିଥିଲେ।
ବିଧାୟକ ବାବୁ ସିଂ କହିଥିଲେ, “ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୋଆ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି।”
ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ କହିଥିଲେ ରାଜ୍ୟରେ ଉଚ୍ଚ ଶିକ୍ଷା ଏବଂ ସ୍ଵାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ସୋଆ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସୋଆକୁ ଏକ ସମ୍ପୂର୍ଣ୍ଣ ପୁସ୍ତକ ବୋଲି ଅଭିହିତ କରି ପ୍ରଫେସର ଅମୀୟ କୁମାର ରଥ କହିଥିଲେ, ଏହାର ଅନେକ ପୃଷ୍ଠା ଲେଖିବା ବାକି ଅଛି। ନିଷ୍ଠା ଏବଂ ସଚ୍ଚୋଟତାର ସହ ନିଜ କର୍ତ୍ତବ୍ୟ କରିପାରିଲେ ସଫଳତା ନିଶ୍ଚୟ ମିଳିଥାଏ। ପ୍ରତିଷ୍ଠାତାଙ୍କ ନିଷ୍ଠା ଏବଂ ପ୍ରତିଟି ସଦସ୍ୟଙ୍କ ଚେଷ୍ଟା ଯୋଗୁଁ ସୋଆ ସଫଳତା ପଥରେ ଆଗେଇ ଚାଲିଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ସଙ୍ଘମିତ୍ରା ମିଶ୍ର ସ୍ଵାଗତ ଭାଷଣ ଦେଇଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Tags: #SOAUniversity #FoundationDay #Celebration #Odisha #Education #India