ଓଡ଼ିଶାଲାଇଭ୍ ବ୍ୟୁରୋ

ବଜେଟ୍ ୨୦୨୪-୨୫ରେ ନିଯୁକ୍ତି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବେସରକାରୀ ସଂସ୍ଥାରେ ପ୍ରଥମଥର ପାଇଁ ଚାକିରି କରୁଥିବା ନୂଆ କର୍ମଚାରୀଙ୍କୁ ସରକାର ଏକ ମାସର ଦରମା ଦେବେ। ଏହି ରାଶି ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ। ଏନେଇ ବଜେଟ୍ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବଜେଟରେ ହୋଇଥିବା ଘୋଷଣା ଅନୁସାରେ ନୂଆ ଚାକିରିଆଙ୍କୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଥମ ମାସର ଦରମା କେନ୍ଦ୍ର ସରକାର ପ୍ରଦାନ କରିବେ। ଏହି ରାଶି ୩ଟି କିସ୍ତିରେ ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ।

ନିଯୁକ୍ତି ଦେଉଥିବା ସଂସ୍ଥାଙ୍କୁ ଆର୍ଥିକ ସହଯୋଗ କରିବା ଲକ୍ଷ୍ୟରେ ଏହି ଆର୍ଥିକ ଅନୁଦାନ ଘୋଷଣା କରାଯାଇଛି। ଏଥିରେ ୨ କୋଟି ୧୦ ଲକ୍ଷ ନୂଆ ଚାକିରି କରୁଥିବା ଯୁବକ ଯୁବତୀ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।

ସେହିପରି ଦେଶରେ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆଗାମୀ ୫ ବର୍ଷରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

Tags: #UnionBudget2024-25 #NirmalaSitharaman #Employment #ParliamentBudgetSession #MinistryofFinance #India

Comment