ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏନେଇ ବୁଧବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଗତ ବର୍ଷର ବଜେଟରେ ରେଳ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ମିଳିଥିଲା। ତେବେ ଚଳିତ ବଜେଟରେ ଏଥିରେ ୫୭୪ କୋଟି ଟଙ୍କାର ବୃଦ୍ଧି ହୋଇଛି।
“କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ଗତ ୩ ବର୍ଷ ହେଲା ଓଡ଼ିଶାକୁ ରେଳ ବଜେଟରେ ହାରାହାରି ୧୦ ହଜାର କୋଟି ଟଙ୍କା ମିଳୁଛି। ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଉଥିଲା। ସେତେବେଳେ ରାଜ୍ୟ ପାଇଁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା। ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି”, କହିଛନ୍ତି ଅଶ୍ୱିନୀ ବୈଷ୍ଣବ।
ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ଏବେ ରେଳ ଲାଇନର ଶତ ପ୍ରତିଶତ ବିଦ୍ୟୁତିକରଣ ହୋଇଯାଇଛି। ଗତ ୧୦ ବର୍ଷରେ ରାଜ୍ୟରେ ୪୨୭ଟି ରେଳ ଅଣ୍ଡରପାସ ଓ ଫ୍ଲାଏଓଭର ନିର୍ମାଣ କରାଯାଇଛି। ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ୪୦ଟି ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି।”
ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ଵ ଦିଆଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି।
ଚଳିତ ବର୍ଷ କେନ୍ଦ୍ରୀୟ ବଜେଟରେ ରେଳ ବିଭାଗ ପାଇଁ ୨ ଲକ୍ଷ ୬୨ ହଜାର କୋଟି ବ୍ୟୟବରାଦ କରାଯାଇଛି। ଏଥିରେ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଯାଇଛି।
Tags: #Budget2024-25 #RailwaySector #Odisha #AshwiniVaishnaw #MinistryofRailways #India