ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟର ଚାଷୀମାନଙ୍କ ଲାଗି ‘ସିଏମ କିଷାନ’ ନାଁରେ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହା ସହ ଚାଷୀଙ୍କ ପାଇଁ ‘ସମୃଦ୍ଧ କୃଷକ’ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥ ବିଭାଗ ରହିଥିବାରୁ ସେ ବଜେଟ ଉପସ୍ଥାପନା କରିଥିଲେ।

‘ସିଏମ କିଷାନ’ ଯୋଜନା ପାଇଁ ବଜେଟରେ ମୋଟ ୧,୯୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ‘ସମୃଦ୍ଧ କୃଷକ’ ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ସହ ‘ଶ୍ରୀ ଅନ୍ନ’ ଅଭିଯାନ ଲାଗି ୬୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ପୂର୍ବ ବର୍ଷ ତୁଳନାରେ କୃଷି ପାଇଁ ଚଳିତ ଥର ବଜେଟର ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪,୮୨୯ କୋଟି ଟଙ୍କା ରହିଥିବାବେଳେ ଚଳିତ ବର୍ଷ ୩୩,୯୧୯ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏଥିରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି।

ପିଏମ କିଷାନ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବା ଲାଗି ଚାଷୀଙ୍କ ନାଁରେ ଥିବା ନିଜସ୍ଵ ଜମିର ପରିମାଣକୁ ଆଧାର ନକରି ରାଜ୍ୟର ଉଭୟ ଗ୍ରାମ୍ୟ ଏବଂ ସହରାଞ୍ଚଳର ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। କୃଷକଙ୍କ ଆୟକୁ ତ୍ଵରାନ୍ଵିତ କରିବା ପାଇଁ ସିଏମ କିଷାନ ଅଧୀନରେ ଅତିରିକ୍ତ ଟପ୍ ଅପ୍ ପ୍ରଦାନ କରାଯିବ।

ସେହିପରି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣାଯିବାକୁ ଘୋଷଣା କରାଯାଇଛି। ଧାର୍ଯ୍ୟ ଏମଏସପିଠାରୁ ଅଧିକ ୮୦୦ ଶହ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କର ଯୋଜନା ରହିଛି। ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ, ସମବାୟ, ଶକ୍ତି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ ସ୍ତରରେ ଶୀତଳ ଭଣ୍ଡାର କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

କୃଷକଙ୍କ ସମସ୍ୟାର ସମାଧାନ ଲାଗି ବ୍ଲକସ୍ତରରେ କୃଷି ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୬ ଶହ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯାଇଛି। ଏହି ମିଶନ ଅଧୀନରେ କନ୍ଧମାଳ ଓ ସ୍ଵାଭିମାନ ଅଞ୍ଚଳ ମାଲକାନଗିରିରେ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତି ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ରହିଛି।

ରାଜ୍ୟରେ ଝୋଟ ଏବଂ ବାଦାମ ଭଳି ଫସଲ ଉତ୍ପାଦନ ବୃଦ୍ଧି ସହ ଚାଷୀଙ୍କ ଆୟ ବୃଦ୍ଧି ଲାଗି ଆର୍ଥିକ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି।

ଜଳ ସେଚନ ପ୍ରକଳ୍ପ ପାଇଁ ୩,୩୫୨ କୋଟି ଟଙ୍କା ବ୍ୟୟ ବରାଦ

ଚାଷୀଙ୍କ ପାଇଁ ଜଳସେଚନର ସୁବିଧା ଲାଗି ବଜେଟରେ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର ଉଠା ଜଳସେଚନ ପ୍ରକଳ୍ପ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ମୟୂଭଞ୍ଜ ଜିଲ୍ଲାର ଦ୍ଵିତୀୟ ପର୍ଯ୍ୟାୟ ପ୍ରକଳ୍ପ, ଖଇରିବନ୍ଧନ, ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ, ଗଜପତି ଜିଲ୍ଲାର ଛେଳିଗଡ଼ ଡ୍ୟାମ, ଗଜପତି ଜିଲ୍ଲା ନୂଆଗାଁ ବ୍ୟାରେଜ ପ୍ରକଳ୍ପ, ଗଞ୍ଜାମ ଜିଲ୍ଲାର ଜାନିଭିଲି ବ୍ୟାରେଜ ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ସୋନୋ ଓ ବାଙ୍କତିରା ବ୍ୟାରେଜ ପ୍ରକଳ୍ପ, ହାଡ଼ୁଆ ଜଳସେଚନ ପ୍ରକଳ୍ପର ହାଡ଼ୁଆ ଡ୍ୟାମ ଓ ୟୁଜିପିଏଲ ବିତରଣ ବ୍ୟବସ୍ଥା ଭଳି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ବିଜେଟରେ ୩ ହଜାର ୩୫୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ସେହିପରି ନୟାଗଡ଼ ଜିଲ୍ଲାର ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଞ୍ଜାମ ଜିଲ୍ଲା ପିପଳପଙ୍କ ଡ୍ୟାମ ପ୍ରକଳ୍ପ, ବଲାଙ୍ଗିର ଜିଲ୍ଲାର ଉପର ଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସାମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ଼ ଜିଲ୍ଲାର ୩ଟି ଓ ନୂଆପଡ଼ା ଜିଲ୍ଲାରେ ୭ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାର ୩ଟି ଓ ନୂଆପଡ଼ା ଜିଲ୍ଲାରେ ୨ଟି ଏମଆଇପି, କଳାହାଣ୍ଡି, ବଲାଙ୍ଗିର, ବରଗଡ଼ା ଓ ନୂଆପଡ଼ା ଜିଲ୍ଲାରେ ୩୫୯ଟି ଗଭୀର ନଳକୂପ ଭଳି ନୂତନ ଜଳ ସେଚନ ପ୍ରକଳ୍ପ  ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଛି।

୨ ଶହ କୋଟ ଟଙ୍କା ବ୍ୟୟରେ ବିପର୍ଯ୍ୟସ୍ତ ପୁରୁଣା ଡ୍ୟାମଗୁଡ଼ିକର ନିରନ୍ତର ତଦାରଖ ଏବଂ ରକ୍ଷଣାବେକ୍ଷଣ ଲାଗି ‘ଡ୍ୟାମ ସୁରକ୍ଷା ଏବଂ ଉନ୍ନତିକରଣ’ ଯୋଜନାକୁ ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ ୨୮ ହଜାର ୬୮୫ ହେକ୍ଟର ଅଞ୍ଚଳକୁ ସେଚାଧୀନ କରିବାକୁ ଯୋଜନା ରହିଛି।

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ୭୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଯୋଜାନା ଅଧୀନରେ ଡ୍ୟାମ ଓ ବ୍ୟାରେଜ ନିର୍ମାଣ ଓ ଜଳାଶୟ ପରିଚାଳନା ପାଇଁ ୮୧୪ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’ ଅଧୀନରେ କ୍ଷୁଦ୍ର ଝରଣା ଓ ନାଳରେ ଚେକ ଡ୍ୟାମ ନିର୍ମାଣ କରି ଚାଷଜମିର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ସେଚନ ସୁନିଶ୍ଚିତ କରିବା ଲାଗି ୪ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଗଭୀର ନୂଳକୂଅ ତଥା ଗୋଷ୍ଠୀ ଉଠା ଜଳସେଚନ ନିର୍ମାଣ ଏବଂ ପୁରାତନ ଆନିକଟର ପୁନରୁଦ୍ଧାର ନିମନ୍ତେ ବଜେଟରେ ୧,୨୯୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ସେହିପରି ଭୂତଳ ଜଳସ୍ତରକୁ ବୃଦ୍ଧି କରିବା ଲାଗି ଛାତ ଉପରେ ବର୍ଷା ଜଳ ସଂରକ୍ଷଣର ଢାଞ୍ଚା ନିର୍ମାଣ ପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।

‘ସେଚାଞ୍ଚଳର ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା’, ‘ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା’ ଏବଂ ‘ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା’ ପାଇଁ ୭୭୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ମୋଟ ୭୫୭ କୋଟି ଟଙ୍କା ବ୍ୟୟ ଅଟକରଳରେ ୧୯୩ କିଲୋମିଟର ଲମ୍ବର ଲୁଣି ବନ୍ଧକୁ ସୁଦୃଢ଼ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ’ କରାର୍ଯ୍ୟକାରୀ ହେବ। ଏଥିପାଇଁ ୨୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଲୁଣିବନ୍ଧ ଓ ନଦୀ ବନ୍ଧ ନିର୍ମାଣ ସହ ବନ୍ୟା ପ୍ରତିରୋଧି ଢାଞ୍ଚା ନିର୍ମାଣ ଲାଗି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୭୧୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି।

୧୫ଟି ଜିଲ୍ଲାର ୫୩୭ଟି ଏମଆଇପି ଅଧୀନରେ ଥିବା ସେଚାଞ୍ଚଳର ଚାଷୀମାନଙ୍କୁ ଜଳବାୟୁ ଉପଯୋଗୀ ଆଧୁନିକ କୃଷି ପ୍ରଦର୍ଶନ/ପ୍ରଶିକ୍ଷଣ ପାଇଁ ବଶ୍ଵବ୍ୟାଙ୍କ ସହାୟତାପ୍ରାପ୍ତ ଯୋଜନା ‘ଓଇପିକ୍ରା’ ପାଇଁ ୩୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଅବହେଳିତ ଅବସ୍ଥାରେ ଥିବା ଡ୍ୟାମଗୁଡ଼ିକର ପୁନରୁଦ୍ଧାର ପାଇଁ ବିଶ୍ଵବ୍ୟାଙ୍କ ସହାୟତାପ୍ରାପ୍ତ ଯୋଜନା ଡିଆରଆଇପି ପାଇଁ ୧୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଡ୍ରେନ ଉନ୍ନତିକରଣ ଯୋଜନା ୨.୦ ପାଇଁ ଚଳିତ ବଜେଟରେ ୩୩୦ କୋଟି ଟଙ୍କା ପ୍ରସ୍ତାବ ରହିଛି। ସେଚ ପ୍ରକଳ୍ପଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣା ନିମନ୍ତେ ୧,୭୮୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଚାଷୀମାନଙ୍କୁ ଫସଲ ଋଣ ଯୋଗାଉଥିବା ସମବାୟ ବ୍ୟାଙ୍କକୁ ସୁଧ ରିହାତି ପାଇଁ ଏହି ବଜେଟରେ ୮୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ବ୍ୟତୀତ ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ସହାୟତା ପାଇଁ ବଜେଟରେ ୧୬୫ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ଏହା ସହ ଭିତ୍ତିଭୂମି ବିକାଶ, ପଣ୍ୟାଗାର ନିର୍ମାଣ, କୃଷି ସେବା କେନ୍ଦ୍ର ଆଦି ପାଇଁ ସମବାୟ ବ୍ୟାଙ୍କଗୁଡ଼ିକୁ  ଆର୍ଥିକ ସହାୟତା ଯୋଗାଇବା ଲାଗି ୨୪୬ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ମୋଟ ଆବଣ୍ଟନ ୬୫୪ କୋଟି ଟଙ୍କା ମଧ୍ୟରୁ ‘ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା’ ବାବଦକୁ ୩୪୪ କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରହିଛି।

ଦୁଗ୍ଧ ଉତ୍ପାଦନ ପାଇଁ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ କାମଧେନୁ’

ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ଵିଗୁଣିତ କରିବା ଲାଗି ନୂତନ ଅମ୍ବ୍ରେଲା ଯୋଜାନା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ ହେବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୨ ହଜାର ହିତାଧିକାରୀଙ୍କୁ ୨ଟି କ୍ରସ ବ୍ରିଡ ଗାଈ ରଖିବା ପାଇଁ କ୍ଷୁଦ୍ର ୟୁନିଟ୍ ପ୍ରତିଷ୍ଠା ଲାଗି ସହାୟତା ପ୍ରଦାନ କରାଯିବ।

ଏହା ସହ ୨୦ ହଜାର ଦୁଗ୍ଧଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, ୧ ଲକ୍ଷ ଚାଷୀଙ୍କୁ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା, ୬,୨୮ ଜଣ ଚାଷୀଙ୍କୁ ମଇଁଷି ୟୁନିଟ ପ୍ରତିଷ୍ଠା ପାଇଁ ସହାୟତା ଓ ଦୁଗ୍ଧ ସମବାୟ ସମିତିରେ କ୍ଷୀର ଦେବାକୁ ଦୁଗ୍ଧ ଚାଷୀଙ୍କ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏହା ବ୍ୟତୀତ ବିଭିନ୍ନ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ୟରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

Tags: #Budget2024-25 #OdishaAssembly #CMMohanCharanMajhi #FinanceDept #Odisha #AgricultureSector

LEAVE A REPLY

Please enter your comment!
Please enter your name here