ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେମରେ ଧୋକା ମିଳିବା ପରେ ଜଣେ ମଣିଷ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇପାରେ। ନିଜ ଜୀବନ ହାରିବାକୁ ମଧ୍ୟ ପଛଘୁଞ୍ଚା ଦିଏନାହିଁ। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ସାମ୍ବାଦିକା ମଧୁମିତା ପରିଡ଼ାଙ୍କ କ୍ଷେତ୍ରରେ।

ପ୍ରେମ ବିବାହ କରିବାର ମାତ୍ର କିଛି ମାସ ପରେ ଜୀବନ ହାରିଛନ୍ତି ମଧୁମିତା। ଯୋଉ ମଣିଷକୁ ଜୀବନଠାରୁ ଅଧିକ ବିଶ୍ଵାସ କରି ସାତ ଜନମର ସାଥୀ କରିଥିଲେ, ସେ ଧୋକା ଦେବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଥିବା ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଯୋଗ କରିଥିଲେ ମଧୁମିତା।

ମଧୁମିତାଙ୍କ ଆତ୍ମହତ୍ୟାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ପରିବାର ଲୋକଙ୍କ ଅଭିଯୋଗ ମଧୁମିତାଙ୍କ ସ୍ଵାମୀ ଶ୍ରୀଧର ଜେନା ହିଁ ଝିଅକୁ ମାରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଶ୍ରୀଧରଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ।

ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଭିଡିଓ

ମୃତ୍ୟୁର କିଛି ସମୟ ପୂର୍ବରୁ ବୁଧବାର ଦିନ ସାମ୍ବାଦିକା ମଧୁମିତା ପରିଡ଼ା ନିଜ ଇନଷ୍ଟାଗ୍ରାମରେ ପ୍ରାୟ ୪ ମିନିଟର ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓଟିରେ କାନ୍ଦି କାନ୍ଦି ତାଙ୍କ ସ୍ଵାମୀ ତାଙ୍କୁ ଧୋକା ଦେଉଥିବା ନେଇ ଅଭିଯୋଗ କରୁଛନ୍ତି। ସେ କହିଛନ୍ତି, ୫ ବର୍ଷର ପ୍ରେମ ସମ୍ପର୍କ ପରେ କିଛି ମାସ ତଳେ ବିବାହ କରିଥିଲେ। ହେଲେ ତାଙ୍କ ସ୍ଵାମୀ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖି ତାଙ୍କୁ ଧୋକା ଦେଉଛନ୍ତି।

ତାଙ୍କ ସହ ସ୍ଵାମୀ ଶ୍ରୀଧର ଆଉ ରହିବାକୁ ଚାହୁଁ ନାହାନ୍ତି। ପ୍ରେମରେ ତାଙ୍କୁ ଧୋକା ମିଳିଛି, ତାଙ୍କ ବିଶ୍ଵାସ ଭାଙ୍ଗିଛି। ସେ ଆଉ କଷ୍ଟ ସହି ପାରୁନାହାନ୍ତି, ସେ ଆଉ ବଞ୍ଚିବାକୁ ଚାହୁଁନଥିବା କହି ସମସ୍ତଙ୍କ ନିକଟରେ କ୍ଷମାପ୍ରାର୍ଥନା କରୁଛନ୍ତି। ମଧୁମିତାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ବୁଧବାର ସନ୍ଧ୍ୟା ସମୟରେ ମଧୁମିତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପରେ ବାପୁଜୀ ନଗର ରେଳ ଧାରଣା ନିକଟରୁ ମଧୁମିତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମୃତ ମଧୁମିତାଙ୍କ ଭଉଣୀ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଶ୍ରୀଧର ଏବଂ ତାଙ୍କ ବଡ଼ ଭାଇ ମିଶି ମଧୁମିତାଙ୍କୁ ହତ୍ୟା କରି ରେଳ ଧାରଣା ଉପରେ ଫିଙ୍ଗି ଦେଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ମଧୁମିତାଙ୍କ ଭଉଣୀ ଆହୁରି ଅଭିଯୋଗ କରିଛନ୍ତି ଯେ, ଭିଣୋଇ ଶ୍ରୀଧର ଜେନା ପୂର୍ବରୁ ବିବାହ କରି ଛାଡ଼ପତ୍ର ଦେଇଥିଲେ। ଏ ସମ୍ପର୍କରେ ମଧୁମିତା କିମ୍ବା ତାଙ୍କ ପରିବାର ଲୋକ କେହି ଜାଣିନଥିଲେ। ବିବାହର କିଛି ମାସ ପରେ ଅନ୍ୟ ଝିଅଙ୍କ ସହ ଶ୍ରୀଧରଙ୍କ ସମ୍ପର୍କ ଥିବା ମଧୁମିତା ଜାଣିବାକୁ ପାଇଥିଲେ। ଏମିତିକି ସେ ମଧୁମିତାଙ୍କୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ଝିଅଙ୍କୁ ବିବାହ କରିବାକୁ ଯୋଜନା କରିଥିବା ଅଭିଯୋଗ କରିଛନ୍ତି ମଧୁମିତାଙ୍କ ଭଉଣୀ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମଧୁମିତାଙ୍କ ସ୍ଵାମୀ ଶ୍ରୀଧର ଜେନା। ସେ କହିଥିଲେ ଦୁଇଦିନ ତଳେ ତାଙ୍କର ମଧୁମିତାଙ୍କ ସହ ମନୋମାଳିନ୍ୟ ହୋଇଥିଲା। ପରେ ସବୁ ଠିକ୍ ଠାକ୍ ହୋଇଯାଇଥିଲା। ମଧୁମିତା ତାଙ୍କ ଉପରେ ସବୁବେଳେ ସନ୍ଦେହ କରୁଥିଲେ। ତାଙ୍କର ଅନ୍ୟ କୌଣସି ଝିଅଙ୍କ ସହ ସମ୍ପର୍କ ନାହିଁ ବୋଲି ସେ କହିଥିଲେ।

ମଧୁମିତାଙ୍କ ମା’ ଅଭିଯୋଗ କରିଛନ୍ତି, ଅନ୍ୟ ଝିଅଙ୍କ ସହ ଶ୍ରୀଧରଙ୍କର ସମ୍ପର୍କ ଥିବା ଜାଣି ଜୁଲାଇ ୨୨ ତାରିଖରେ ମଧୁମିତା ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପର ଦିନ ଜୁଲାଇ ୨୩ ତାରିଖରେ ଧଉଳି ଥାନାରେ ଅଭିଯୋଗ କରିଥିଲେ ମଧୁମିତାଙ୍କ ପରିବାର ଲୋକ। ପୋଲିସ ଉଭୟ ମଧୁମିତା ଏବଂ ଶ୍ରୀଧରଙ୍କୁ ଡାକି ବୁଝାସୁଝା କରିଥିଲା। ଦୁହେଁ ଘରକୁ ଆସିବା ପରେ ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶ୍ରୀଧର ମଧୁମିତାଙ୍କୁ ମାଡ଼ ମାରିଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି।

ମଧୁମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଶ୍ରୀଧର ଜେନାଙ୍କୁ ଧଉଳି ଥାନା ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀଧରଙ୍କ ମୋବାଇଲ ପୋଲିସ ଜବତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଅଭିଯୁକ୍ତ ଶ୍ରୀଧରଙ୍କ ବଡ଼ ଭାଇକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଆତ୍ମହତ୍ୟା କ’ଣ ସତରେ ସମସ୍ୟା ସମାଧାନର ବାଟ ହୋଇପାରେ? ଜଣେ ସାମ୍ବାଦିକା ହିସାବରେ ମଧୁମିତା ଦୃଢ଼ମନା ହେବା ସହ ସମାଜିକକୁ ନେଇ ବେଶ ସଚେତନ ହେବା କଥା। ତେବେ ତାଙ୍କ ଦୁର୍ବଳ ମୁହୂର୍ତ୍ତର ନିଷ୍ପତ୍ତି ତାଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ପାଇଁ ବାଧ୍ୟକଲା ନା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଗଲା? ମଧୁମିତା ମୃତ୍ୟୁ ମାମଲାର ତଦନ୍ତ ପରେ ସବୁ ରହସ୍ୟ ଉପରୁ ପରଦା ହଟିପାରିବ ବୋଲି ସାଧାରଣରେ ଆଶା କରାଯାଉଛି।

Tags: #JournalistMadhumitaParida #SuicideCase #Death #DomesticViolence #Bhubaneswar #PoliceInvestigation

LEAVE A REPLY

Please enter your comment!
Please enter your name here